ଭୁବନେଶ୍ବର : ମହାପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀ ଓ ଦୋଳଗୋବିନ୍ଦଙ୍କ ସହ ମାଉସୀ ଘରକୁ ଯାତ୍ରା କରିଛନ୍ତି। ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିର ଏହି ମହାର୍ଘ୍ୟ ମୁହୂର୍ତରେ ମହାପ୍ରଭୁଙ୍କୁ ରାମେଶ୍ବର ମନ୍ଦିର ଯାଏଁ ରଥରେ ଟାଣି ନେବାକୁ ଲୋକାରଣ୍ୟ ପାଲଟିଥିଲା ରଥରୋଡ୍। ହରିବୋଲ, ହୁଳହୁଳି ସହ ଆଧ୍ୟାତ୍ମିକ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ହେଲେ ନୀତି ବିଳମ୍ବ ଯୋଗୁଁ ବେଶି ବାଟ ଗଡ଼ି ପାରିନାହିଁ ରୁକୁଣା ରଥ। ଏପରିକି, ବଢ଼େଇବାଙ୍କ ଛକ ବି ଛୁଇଁପାରିନି। ଗୋଟିଏ ଦିନରେ ରଥ ଲାଗିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଥିବା ବେଳେ ନୀତି ବିଳମ୍ବ ଯୋଗୁଁ ରଥ ମାତ୍ର ଦେଢ଼ଶ ମିଟର ଗଡ଼ିପାରିଛି। ଗତବର୍ଷ ମାତ୍ର ଦେଢ଼ ହାତ ଗଢ଼ି ଅଟକିଥିବା ବେଳେ ଏଥର ଦେଢ଼ଶ ମିଟର ଗଡ଼ିବା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ତେଣୁ ମହାଶିବ ରାତ୍ରିରେ ୪୦ ମିନିଟ୍ ପୂର୍ବରୁ ମହାଦୀପ ଉଠିବା ପରେ ପ୍ରଶଂସା ଅର୍ଜିଥିବା ମନ୍ଦିର ପ୍ରଶାସନକୁ ଆଜି ସମାଲୋଚିତ ହେବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅପରାହ୍ଣ ୪ଟାରେ ରଥ ଗଡ଼ିବା ପାଇଁ ଗତକାଲିଠୁ ମନ୍ଦିର ପ୍ରଶାସନ ସ୍ଥିର କରିଥିଲେ ହେଁ ରଥ ଉପରେ ନୀତି ସରିବା ବେଳେକୁ ସାଢ଼େ ୫ଟା ବାଜି ଯାଇଥିଲା। ତେଣୁ ରଥ ଗଡ଼ିବା ବେଳକୁ ୫ଟା ୩୮ ହୋଇ ଯାଇଥିଲା। ମେଘୁଆ ଆକାଶ ଯୋଗୁଁ ଅନ୍ଧାରୁଆ ହୋଇଯାଇଥିଲା। ତେଣୁ ରଥ ମାତ୍ର ପଥୁରିଆ ବଡ଼ୁ ସାହି ଅତିକ୍ରମ କରିପାରିଥିଲା। ଗତକାଲି ରଥ ପ୍ରତିଷ୍ଠାରେ ବିଳମ୍ବ ପରେ ଆଜି ସକାଳୁ ବିଭିନ୍ନ ନୀତି ବିଳମ୍ବ ଯୋଗୁଁ ବିଳମ୍ବରେ ରଥ ଟଣା ହୋଇଥିଲା। ଆଜି ସକାଳ ୭ଟାରେ ରଥ ପ୍ରତିଷ୍ଠା ନୀତି ଶେଷ ହୋଇଥିଲା। ସକାଳ ୭ଟା ୧୫ରେ ବଡ଼ ସିଂହାର ବେଶ ହେବା ପରେ ପହୁଡ଼ ପଡ଼ିଥିଲା। ମାତ୍ର ୧୦ ମିନିଟ୍ ପରେ ପହୁଡ଼ ଖୋଲାଯାଇ ନୀତି ଆରମ୍ଭ ହୋଇଥିଲା। ତେଣୁ ଠାକୁର ମାତ୍ର ୧୦ ମିନିଟ୍ ବିଶ୍ରାମ ନେଇଥିଲେ। ଫଳରେ ଭୋରରୁ ଆରମ୍ଭ ହେବାକୁ ଥିବା ନୀତି ସକାଳ ସାଢ଼େ ୭ଟାରେ ମଙ୍ଗଳ ଆଳତିରୁ ଆରମ୍ଭ ହୋଇଥିଲା। ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବରେ ନୀତି ଆରମ୍ଭ ହେବା ପରେ ରୋଷ ହୋମ, ପାକ କାର୍ଯ୍ୟ, ଛାମୁ ପରିଷ୍କାର, ମହାସ୍ନାନ, ବେଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ଧୂପ, ବଲ୍ଲଭ, ଭୋଗ ମଣ୍ଡପ କରାଯାଇଥିଲା। ପୁଣି ବିଧି ମୁତାବକ ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା, ମହାସ୍ନାନ, ବେଶ କରାଯାଇ ଯାତ୍ରା ପୂଜା ହୋଇଥିଲା। ଅପରାହ୍ଣ ୨ଟାରେ ଶ୍ରୀଜିଉଙ୍କ ପହଣ୍ଡି କରାଯିବା ପରେ ରଥ ଚତୁଃପାର୍ଶ୍ବ ପରିକ୍ରମା କରି ମହାପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା। ଛେରା ପହରା କରାଯାଇ ପୂଜାପଣ୍ଡା ସେବାୟତଙ୍କ ଦ୍ବାରା ପୂଜା ନୀତି ସମ୍ପନ୍ନ ହୋଇଥିଲା। କିଛି ସମୟ ପାଇଁ ସାଧାରଣ ଭକ୍ତଙ୍କୁ ରଥ ଉପରକୁ ଯାଇ ଦର୍ଶନ କରିବାକୁ ସୁଯୋଗ ମିଳିଥିଲା। ସଂଜ ବୁଡ଼ିବାରୁ ସନ୍ଧ୍ୟା ସାଢ଼େ ୬ଟାରେ ରଥଟଣା ବନ୍ଦ ରହିଥିଲା। ଆସନ୍ତାକାଲି ଦିନ ୨ଟାରେ ରଥଟଣା ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।