ମାଓନେତା ସବ୍ୟସାଚୀ ୫ ମାମଲାରେ ଖଲାସ

ପାରଳାଖେମୁଣ୍ଡି : ଆଉ ୫ ଟି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ ହୋଇଛନ୍ତି। ଗତ ଦୁଇ ଦିନ ହେଲା ସବ୍ୟସାଚୀଙ୍କ ବିରୋଧରେ ଥିବା ୫ଟି ମାମଲାର ବିଚାର କରି ସାକ୍ଷ୍ୟ ପ୍ରମାଣ ଅଭାବରୁ ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ ଅରୁଣ ସାହୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ଜଣାପଡିଛି।

୨୦୦୯ ଡିସେମ୍ବର ୨୮ତାରିଖରେ ରାଇପଙ୍କା ଠାରେ ହୋଇଥିବା ସରକାରୀ ବସ ଓ ମୋବାଇଲ ଟାୱାର ପୋଡ଼ି, ୨୦୧୦ ମାର୍ଚ୍ଚ ୨୫ ତାରିଖରେ ବିରିକୋଟ ମୋବାଇଲ ଟାୱାର ପୋଡି, ୨୦୧୩ ମାର୍ଚ୍ଚ ୮ ତାରିଖରେ ପ୍ରକାଶ ଦଳବେହେରା ଅପହରଣ ଓ ୨୦୧୨ ମସିହା ଜୁନ ୨୨ ତାରିଖରେ ଲୁହାଗୁଡ଼ି ଠାରେ ମାଓ ସାମଗ୍ରୀ ଜବତ ଘଟଣା ଆଦି ପାଞ୍ଚଟି ମାମଲାରେ ମାଓ ନେତା ସବ୍ୟସାଚୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା।ଏହି ମାମଲାର ବିଚାର କରି ଗଜପତି ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜି ଚୂଡାନ୍ତ ରାୟ ଦେଇଛନ୍ତି। ଏହି ସବୁ ମାମଲାରେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଦାଲତ ସବ୍ୟସାଚୀଙ୍କୁ ଖଲାସ କରିଥିବା ତାଙ୍କ ଓକିଲ ସ୍ବରପ କୁମାର ପାଳ କହିଛନ୍ତି । ବର୍ତ୍ତମାନ ସୁଦ୍ଧା‌ ସାରା ଓଡ଼ିଶାରେ ୫୬ଟି ମାମଲାରେ ସବ୍ୟସାଚୀ ନିର୍ଦୋଷରେ ଖଳାସ ହୋଇଥିବାବେଳେ ଗଜପତି ଜିଲ୍ଲାରେ ତାଙ୍କ ନାମରେ ଥିବା ୪୪ଟି ମାମଲା ମଧ୍ୟରୁ ୨୧ ଟି ରେ ସେ ନିର୍ଦୋଷରେ ଖଲାସ ହୋଇ ସାରିଛନ୍ତି। ଅନ୍ୟ ୨୩ ଟି ମାମଲା ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର