ଏସ୍‌ସିବିରେ ଡାକ୍ତର, ଆଟେଣ୍ଡାଣ୍ଟ କରୋନା ପଜିଟିଭ୍‌

ସଂସ୍ପର୍ଶରେ ଆସିଛନ୍ତି ପ୍ରଫେସରଙ୍କ ସମେତ ୧୭ ଡାକ୍ତର,୧୬ ପାରାମେଡିକାଲ କର୍ମଚାରୀ
ହୋମ କ୍ବାରାଣ୍ଟିନ୍‌ରେ ୩୩; ଛାତ୍ରାବାସରେ ରହୁଥିବାରୁ ସଂପର୍କରେ ଆସିଛନ୍ତି ଶହେରୁ ଅଧିକ!

କଟକ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏସ୍‌ସିବିର ଦୁଇ କରୋନା ଯୋଦ୍ଧା। ଏସ୍‌ସିବି ଦନ୍ତ ମହାବିଦ୍ୟାଳୟର ଇଣ୍ଟର୍ନସିପ୍‌ କରୁଥିବା ଜଣେ ୨୬ ବର୍ଷୀୟ ଡାକ୍ତର ଓ ‌ଏସସିବି କରୋନା ଆଇସୋଲେସନ୍‌ ୱାର୍ଡର ଜଣେ ୩୦ ବର୍ଷୀୟ ଆଟେଣ୍ଡାଣ୍ଟ କରୋନାରେ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସେମାନଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଦନ୍ତ ମହାବିଦ୍ୟାଳୟର ଏହି ଡାକ୍ତର ଜଣକ ବଡ଼ ମେଡିକାଲରେ ଚିନ୍ତା ବଢାଇଛନ୍ତି। ତାଙ୍କ ସଂସ୍ପର୍ଶରେ ପ୍ରଫେସର, ସହଯୋଗୀ, ସହକାରୀ ପ୍ରଫେସରଙ୍କ ସମେତ ପାଖାପାଖି ୧୭ଜଣ ଡାକ୍ତର ଓ ପିଜି ଛାତ୍ର, ୧୬ଜଣ ପାରାମେଡିକାଲ କର୍ମଚାରୀ ଆସିଥିବା ପ୍ରାଥମିକ କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି। ଫଳରେ ଦନ୍ତ ମହାବିଦ୍ୟାଳୟର ୩୩ ଜଣଙ୍କୁ ହୋମ କ୍ବାରାଣ୍ଟିନ୍‌ରେ ଯିବାକୁ କୁହାଯାଇଛି। ଅନ୍ୟପଟେ ଏହି ଡାକ୍ତର ଯେହେତୁ ହଷ୍ଟେଲରେ ରହୁଥିଲେ, ତାଙ୍କ ସଂସ୍ପର୍ଶରେ ଶହେରୁ ଅଧିକ ଜଣ ଆସିଥିବା ସୂଚନା ମିଳୁଛି। ୪/୫ଦିନ ତଳେ ସେ ଓଟିରେ ମଧ୍ୟ ଥିବା ଜଣାପଡିଛି। ଅନ୍ୟପଟେ କରୋନା ୱାର୍ଡର ଆଟେଣ୍ଡାଣ୍ଟ ୫ଦିନ ତଳେ ଆଇ ସୋଲେସନ୍‌ ୱାର୍ଡରୁ ଚିହ୍ନଟ ହୋଇଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ଏସ୍‌ସିବି ଦନ୍ତ ମହାବିଦ୍ୟାଳୟ ମୁଖଗହ୍ବର ଶଲ୍ୟ ଚିକିତ୍ସା ବିଭାଗ(ଓଏମ୍‌ଏଫ୍‌ଏସ୍‌) ଇଣ୍ଟର୍ନସିପ୍‌ ଡାକ୍ତରଙ୍କର ଥଣ୍ଡା, କାଶ ଓ ଜ୍ବରର ଲକ୍ଷଣ ପ୍ରକାଶ ପାଇଥିଲା। ଫଳରେ ରବିବାର ତାଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟ ଆଜି ପଜିଟିଭ୍‌ ଆସିବା ପରେ ତାଙ୍କୁ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି। ଅନ୍ୟପଟେ ସେ ଯାଜପୁର ଯାଇଥିବା ଓ ତାଙ୍କ ନିଜ ସଂପର୍କୀୟ କୋଲକାତା ଓ ବାଙ୍ଗାଲୁରରୁ ଆସିଥିବା ଜଣାପଡ଼ିଛି। ସେମାନଙ୍କ ସଂସ୍ପର୍ଶରେ ସେ ଆସିବା ପରେ ତାଙ୍କର ଲକ୍ଷଣ ଦେଖାଦେଇଥିଲା। ସେ ଘରୁ ଆସି ପୁଣି ଏସ୍‌ସିବି ହଷ୍ଟେଲରେ ରହିଥିଲେ। ବିଭାଗର ଜଣେ ପ୍ରଫେସର, ସହଯୋଗୀ, ସହକାରୀ ପ୍ରଫେସର ୩ଜଣ, ୩ ଜଣ ସିନିୟର ରେସିଡେଣ୍ଟ, ପିଜି ଛାତ୍ର ୭ ଜଣ, ଇନ୍‌ଟର୍ମ ଡାକ୍ତର ୨ଜଣ, ଷ୍ଟାଫ୍‌ ନର୍ସ ୬ ଜଣ, ଜଣେ ଡେଣ୍ଟାଲ ହାଇଜିନିଷ୍ଟ, ଜଣେ ଫାର୍ମାସିଷ୍ଟଙ୍କ ସମେତ ୫ଜଣ ଆଟେଣ୍ଡାଣ୍ଟ, ୨ଜଣ ସୁଇପର ହସ୍ପିଟାଲରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି। ପ୍ରାଥମିକ ଭାବେ ଚିହ୍ନଟ ହୋଇଥିବା ୩୩ଜଣଙ୍କ ମଧ୍ୟରୁ ଆଜି ୫/୬ଜଣଙ୍କ ସ୍ବାବ୍‌ ପଠାଯାଇଥିବାବେଳେ ସମସ୍ତଙ୍କୁ ହୋମ କ୍ବାରାଣ୍ଟିନ୍‌ରେ ଯିବାକୁ କୁହାଯାଇଛି। କରୋନା ଆଇସୋଲେସନ୍‌ ୱାର୍ଡରୁ ହାଇଦ୍ରାବାଦ୍‌ ଫେରନ୍ତା ଡାକ୍ତାରୀ ଛାତ୍ରୀ ୫ଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ୱାର୍ଡରେ କାମ କରୁଥିବା ପୁରୁଷ ଆଟେଣ୍ଡାଣ୍ଟ ମଧ୍ୟ ଆଜି କରୋନା ସଂକ୍ରମିତ ହୋଇଛନ୍ତି। ସେ ଆଇସୋଲେସନ୍‌ରେ ରହିଛନ୍ତି। କାଲି ଛୁଟି ଥିବାରୁ ଓଏମ୍‌ଏଫ୍‌ଏସ୍‌ ବିଭାଗକୁ ସାନିଟାଇଜ୍‌ କରାଯିବାପରେ ବୁଧବାରଠାରୁ ସ୍ବାଭାବିକ ଓପିଡି ଆରମ୍ଭ ହେବ ବୋଲି ଦନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଜୟନ୍ତ କୁମାର ଦାଶ ସୂଚନା ଦେଇଛନ୍ତି। କିନ୍ତୁ ଦନ୍ତ ମହାବିଦ୍ୟାଳୟର ଓପିଡିକୁ ୧୪ଦିନ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କିଛି କର୍ମଚାରୀ ଦାବି କରିଛନ୍ତି। ଏସ୍‌ସିବି ଆଇସୋଲେସନ୍‌ ୱାର୍ଡରେ ୨୫ଜଣଙ୍କୁ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଥିବା କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର