ସ୍କୁଟିକୁ ଧକ୍କା ଦେଲା ଟ୍ରାକ୍ଟର: ମହିଳା ମୃତ, ଅଜା-ନାତି ଆହତ

ଉତ୍ତେଜନା; ଲୋକେ ଜେସିବି ଜାଳିଦେଲେ

ଯାଜପୁରଟାଉନ: ବୈଦ୍ୟରାଜପୁର ଆର୍‌ଡି ଅଫିସ ଓ ଡିପିସି ଅଫିସ ରାସ୍ତାରେ ଆଜି ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବାବେଳେ ତାଙ୍କ ବାପା ଓ ତାଙ୍କର ଦୁଇମାସର ପୁଅ ଆହତ ହୋଇଛନ୍ତି। ମୃତ ମହିଳା ହେଲେ ବୈଦ୍ୟରାଜପୁର ଗ୍ରାମର କେଶରୀ ସାହୁଙ୍କ ଝିଅ ଗାୟତ୍ରୀ ସାହୁ(୨୮)। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବ‌ା‌େବଳେ ଉତ୍ତ୍ୟକ୍ତ ଲୋକେ ଗୋଟିଏ ଜେସିବି ମେସିନ ଜାଳି ଦେଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିଲା।ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗାୟତ୍ରୀ ତାଙ୍କର ଦୁଇମାସର ପୁଅକୁ ନେଇ ବାପାଙ୍କ ସ୍କୁଟି ପଛରେ ବସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ଦ୍ରୁତଗତିରେ ଆସୁଥିବା ଏକ ଟ୍ରାକ୍ଟର ସେମାନଙ୍କୁ ବୈଦରାଜପୁର ପୋଲ ନିକଟରେ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ତିନିଜଣ ସ୍କୁଟି ସହ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ମା’ଛୁଆ ଏବଂ ଗାୟତ୍ରୀଙ୍କ ବାପାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ଗାୟତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁସାରେ ଗାୟତ୍ରୀ ଟାଙ୍ଗି ଅଂଚଳର ଦିଲୀପ ସାହୁଙ୍କ ପତ୍ନୀ। ସେ ଗତ କିଛି ଦିନ ହେବ ଶିଶୁପୁତ୍ରକୁ ଧରି ବାପଘରକୁ ବୁଲିବାକୁ ଆସିଥିଲେ। ତାଙ୍କ ମୃତ୍ୟୁ ପରେ ଉଭୟ ଟାଙ୍ଗି ଓ ବୈଦ୍ୟରାଜପୁରରେ ଗଭୀର ଶୋକ ପ୍ରକାଶ ପାଇଛି।

ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ମାନସା ପୋଲ -ସୁନ୍ଦୁରାଇମୁହଁ କେନାଲ ବନ୍ଧ ରାସ୍ତା କାମରେ ନିୟୋଜିତ ଏକ ଜେସିବି ମେସିନକୁ ଜାଳି ଦେଇଥିଲେ। ଖବର ପାଇ ଯାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଯାଜପୁର ପୁଲିସ ମଧ୍ୟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ସେଠାରେ ପହରା ଦେଇଛି। ମେଡିକାଲରେ ମହିଳାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ୧୮୩/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର