ବ୍ରହ୍ମପୁର: ଦୁଇ ପୂଜକ ପଜିଟିଭ୍, ଠାକୁରାଣୀ ଯାତ୍ରାସ୍ଥଳରେ ୧୪୪ ଧାରା ଜାରି, ଦର୍ଶନ ବନ୍ଦ

ଗଞ୍ଜାମରେ ଆଜି ୮୦ ପଜିଟିଭ୍

ବ୍ରହ୍ମପୁର : ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ପୀଠର ଦୁଇ ପୂଜକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ ଠାକୁରାଣୀଙ୍କ ଯାତ୍ରାସ୍ଥଳ ଦେଶୀବେହେରା ସାହି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।  କେବଳ ନୀତିକାନ୍ତି ବ୍ୟତିତ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। ଏନେଇ ଆଜି ରାତିରେ ବ୍ରହ୍ମପୁର ଉପଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି ଠାରୁ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ କୌଣସି ଭକ୍ତ ମା’ଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଦେଶୀବେହେରା ସାହି ଅଞ୍ଚଳର ଉଭୟ ପଟୁ ବ୍ୟାରିକେଡିଂ ବ୍ୟବସ୍ଥା କରି ଅସ୍ଥାୟୀ ମଣ୍ଡପରେ ମାତ୍ର ୧୦ ଜଣ ପୂଜକ ଓ ସେବାୟତଙ୍କୁ ନେଇ ପାରମ୍ପରିକ ପୂଜା କରିବାକୁ ନିର୍ଦ୍ଦେଶରେ କୁହାଯାଇଛି। କେବଳ ସାହିବାସିନ୍ଦା ନିଜ ପରିଚୟ ପତ୍ର ଦେଖାଇ ଯାତାୟାତ କରିପାରିବେ। ଅସ୍ଥାୟୀ ମଣ୍ଡପର ତିନି ପାର୍ଶ୍ବ ଆବଦ୍ଧ କରାଯିବା ସହ ସମ୍ମୁଖ ଭାଗ ମଧ୍ୟ ବନ୍ଦ ରହିବ। ଆସନ୍ତା ୧୬ତାରିଖରେ ଯାତ୍ରାର ଶେଷ ଦିନରେ ମା’ ଅସ୍ଥାୟୀ ମନ୍ଦିରରୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବା ବେଳେ ସମ୍ପୂର୍ଣ୍ଣ ଫେରନ୍ତା ବାଟରେ ୧୪୪ଧାରା ଜାରି କରାଯିବ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ନିର୍ଭରଯୋଗ୍ୟ ସୂତ୍ର ଅନୁଯାୟୀ ଆଜି ସଂଧ୍ୟାରେ ଟେଷ୍ଟ ରିପୋର୍ଟରେ ଗଞ୍ଜାମ ଜିଲ୍ଲାରୁ ୮୦ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ସମ୍ବନ୍ଧିତ ଖବର