କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜଗତସିଂହପୁର ଜିଲ୍ଲାରେ ଲାଗିଲା ୧୪୪ ଧାରା

ଧର୍ମାନୁଷ୍ଠାନ-ପର୍ଯ୍ୟଟନ ସ୍ଥଳୀରେ କଡ଼ା କଟକଣା, ନିୟମ ନମାନିଲେ ଗିରଫ ହେବେ: ଏସ୍‌ପି, ସାମାଜିକ ଦୂରତ୍ୱ ବଢ଼ାଇବାକୁ ପରାମର୍ଶ

ଜଗତସିଂହପୁର ଟାଉନ୍ : କରୋନାକୁ ନେଇ ଗତକାଲି ପାରାଦୀପ ସହର ଓ ଏହାର ଆଖ ପାଖ ଅଂଚଳରେ ୧୪୪ ଧାରା ଲାଗିଥିଲା । କିନ୍ତୁ ଆଜି ଏହାକୁ ଗୁରୁତର ଭାବେ ଗ୍ରହଣ କରି ଜିଲ୍ଲା ପ୍ରଶାସନ ସମଗ୍ର ଜିଲ୍ଲାରେ ୧୪୪ ଧାରା ଜାରି କରିଛି । ଧର୍ମାନୁଷ୍ଠାନ, ପର୍ଯ୍ୟଟ୍ଟନ ସ୍ଥଳୀରେ କଡ଼ା କଟକଣା କରାଯାଇଥିବା ବେଳେ କୌଣସି ସ୍ଥାନରେ ୪-୫ ଜଣରୁ ଅଧିକ ଲୋକ ଏକତ୍ର ନହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ତେବେ ସତର୍କତା ଅବଲମ୍ବନ କରିବା ପାଇଁ ଆଜି କରୋନା ସମ୍ପର୍କିତ ବୈଠକରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ନିବେଦନ କରିଛନ୍ତି । ତେବେ ନିୟମ ଉଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଆବଶ୍ୟକ ସ୍ଥଳେ ଗିରଫ କରାଯିବ ବୋଲି ଏସ୍‌ପି ପ୍ରକାଶ ରଙ୍ଗରାଜ କଡ଼ା ଚେତାବନୀ ଦେଇଛନ୍ତି ।

କରୋନା ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଦେଶ ବାହାରୁ ଜିଲ୍ଲାକୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖିଛି । ଗତକାଲି ସୁଦ୍ଧା ୨୭ଜଣ ବ୍ୟକ୍ତି ଆସିଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଠିକଣା ଅନୁଯାୟୀ ଚିହ୍ନଟ କରାଯାଇ ପାରୁନାହିଁ । ଅନ୍ୟ ୨୪ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ୨୮ଦିନ ସଂପୂର୍ଣ୍ଣ ହୋଇଥିବା ବେଳେ ସମସ୍ତେ ସୁସ୍ଥ ଅଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ସଂକ୍ରାନ୍ତୀୟ ପ୍ରତିଷେଧକ ବ୍ୟବସ୍ଥା ନିମନ୍ତେ ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ପୋଷ୍ଟର, ବ୍ୟାନର, ହୋଡିଂ, ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଲି.ଇ.ଡି ଟିଭି ମାଧ୍ୟମରେ କରୋନା ସଂକ୍ରାନ୍ତୀୟ ସତର୍କ ସୂଚନା ଦିଆଯାଉଛି । ଡାକ୍ତର, ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀମାନେ ସର୍ବସାଧାରଣ ସ୍ଥାନରେ ଜନସାଧାରଣଙ୍କୁ ସଚେତନ କରୁଥିବା ସୂଚନା ମିଳିଛି ।

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପାରାଦ୍ୱୀପ ଠାରେ ୨ଟି ଆଇସୋଲେସନ୍ ଓାର୍ଡ ଖୋଲାଯାଇ ସନ୍ଦିଗ୍ଧ ରୋଗୀଙ୍କୁ ପରୀକ୍ଷା ନିରିକ୍ଷା କରାଯାଉଛି। ପାରାଦ୍ୱୀପ ପୋର୍ଟ ତରଫରୁ ବାହାରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି ଏବଂ ସନ୍ଦେହ ହେଲେ ସାମ୍ପଲ ଟେଷ୍ଟ ପାଇଁ ପଠାଯାଉଛି । ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଓ ଲୋକ ସଂପର୍କ ବିଭାଗ ଓ ପୈାର ପରିଷଦ କତୃପକ୍ଷଙ୍କ ଦ୍ୱାରା ମାଇକ ଯୋଗେ ବ୍ୟାପକ ପ୍ରଚାର କରାଯାଉଛି । ଜିଲ୍ଲାରେ ଥିବା ସମସ୍ତ ସରକାରୀ, ସାହାଯ୍ୟପ୍ରାପ୍ତ, ପବ୍ଲିକ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ପ୍ରଥମ ଶ୍ରେଣୀଠାରୁ ନବମ ଶ୍ରେଣୀ ଓ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ବନ୍ଦ କରାଯାଇଛି । ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ବାରଣ କରାଯାଇଛି । ନିର୍ଦ୍ଦିଷ୍ଟ ଆଦେଶ ଆସିବା ନିମନ୍ତେ ଫୋନକୁ ସଜାଗ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଦଶମ ଓ ଦ୍ୱାଦଶ ଶ୍ରେଣୀର ଖାତା ମୂଲ୍ୟାଙ୍କନ ଯଥାରିତି ସ୍ୱାସ୍ଥ୍ୟ ବିଭାଗ ଗାଇଡ୍ ଲାଇନ ଅନୁସାରେ କରାଯିବାକୁ ନିଷ୍ପତ୍ତି ହୋଇଛି ।

ପାରାଦ୍ୱୀପ ଓ ଏହାର ଆଖପାଖ ଅଚଂଳ ଓ ଶାରଳା ମନ୍ଦିର ସହିତ ଗୋରେଖନାଥ ମନ୍ଦିର, ଧ୍ୟାନକୁଦ ମନ୍ଦିର, ଶିଆଳୀ ବେଳାଭୂମି, ପାରାଦ୍ୱୀପ ବାଲିଯାତ୍ରା ପଡିଆ, ନେହେରୁ ବଙ୍ଗଳା, ଅନ୍ୟାନ୍ୟ ସମସ୍ତ ମନ୍ଦିର, ମସଜିଦ୍, ମାର୍କେଟ ସ୍ଥାନ ମଣ୍ଡପ, ସମୁଦ୍ର ବେଳାଭୂମି ଅଚଂଳରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାର ଯେ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହେବାକୁ କଟକଣା ଜାରି କରାଯାଇଛି। ସାମାଜିକ ଉତ୍ସବ, କର୍ମ କର୍ମାଣୀରେ ଏହି ନିୟମ ଲାଗୁ ହେବ । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ସାଧାରଣ ସଭା, ସେମିନାର, କର୍ମଶାଳା, କନ୍ଫରେନ୍ସ ଓ ଜନସମାବେଶ ଉପରେ କଟକଣା ଜାରି କରାଯାଇଛି। ସରକାରୀ କାର୍ଯ୍ୟାଳୟ, ଶିଳ୍ପ କାରଖାନା ଓ ଅନୁଷ୍ଠାନ ଗୁଡିକ ସମ୍ମୁଖରେ କୌଣସି ରାଜନୈତିକ ଶୋଭାଯାତ୍ରା, ବିକ୍ଷୋଭ, ଧାରଣା, ସାଧାରଣସଭା ଆୟୋଜିତ ହୋଇପାରିବ ନାହିଁ । ଏହି ଆଦେଶନାମା ମାର୍ଚ୍ଚ ୧୬ରୁ ତତ୍‌କ୍ଷଣ ଲାଗୁ କରାଯାଇଛି । ଗେଷ୍ଟ ହାଉସ୍, କଲ୍ୟାଣ ମଣ୍ଡପ, ଯାତ୍ରୀ ନିବାସ, ହୋଟେଲ, ଧର୍ମଶାଳା ସାମାଜିକ ଓ ଧାର୍ମିକ ଉତ୍ସବ ଆୟୋଜନ କରାଯାଇପାରିବ ନାହିଁ । ମାର୍ଚ୍ଚ ୩୧ପର୍ଯ୍ୟନ୍ତ ଯୁଗ୍ମଜନ ଅଭିଯୋଗ ଶିବିରକୁ ଏବଂ ଓକାକ୍ ଅଧିନରେ ଚାଲୁଥିବା ସମସ୍ତ ଆଧାର ପଞ୍ଜିକରଣ କେନ୍ଦ୍ରକୁ ସାମୟିକ ଭାବେ ବନ୍ଦ କରାଯାଇଛି । ଆବଶ୍ୟକ ସ୍ଥଳେ ଅନ୍ ଲାଇନ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯିବ ।

ଆହାର କେନ୍ଦ୍ର ଗୁଡିକ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଭୟଭୀତ ନହୋଇ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ, ପାରାଦ୍ୱୀପ ପୋର୍ଟ ହସ୍ପିଟାଲରେ ଆଇସୋଲେସନ କେନ୍ଦ୍ର ଖୋଲାଯାଇଥିବା ବେଳେ ଅଠରବାଙ୍କୀରେ ସରକାରୀ ଡାକ୍ତରଖାନା, ବାଲିକୁଦା, ଜଗତସିଂହପୁର କଲ୍ୟାଣମଣ୍ଡପ ଠାରେ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସ୍ଥାପନ କରାଯାଇଛି । ସମସ୍ତ ବକ୍ଲରେ ଥିବା ବାତ୍ୟାଆଶ୍ରୟ ସ୍ଥଳୀରେ ସଂଘରୋଧ କେନ୍ଦ୍ର ସ୍ଥାପନ କରାଯିବ । ଟ୍ରେନରେ ଆସୁଥିବା ଯାତ୍ରୀ ଓ ବିଦେଶରୁ ଅସୁଥିବା ଯାତ୍ରୀଙ୍କ ସଂପର୍କରେ ସୂଚନା ଦେବା ପାଇଁ ସରପଞ୍ଚ, ନିର୍ବାହୀ ଅଧିକାରୀ, ବିଡିଓ ତଥ୍ୟ ପ୍ରଦାନ କରିବେ । ସାମାଜିକ ବ୍ୟବଧାନ(ସୋସିଆଲ୍ ଡିଷ୍ଟାନସିଙ୍ଗ)ଦ୍ୱାରା ଏହି ସଂକ୍ରମଣକୁ ପ୍ରତିରୋଧ କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ପଂଜିକରଣ କେନ୍ଦ୍ର ଖୋଲାଯିବାକୁ ଆଜି ବୈଠକରେ ସ୍ଥିର ହୋଇଛି । ବସ୍‌ରେ ସିଟ୍ ସଂଖ୍ୟା ଅନୁଯାୟୀ ଯାତ୍ରୀମାନେ ମାକ୍ସ ବ୍ୟବହାର କରି ଯାତ୍ରା କରି ପାରିବେ । ସାପ୍ତାହିକ ହାଟରେ ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ୫ଜଣରୁ ଅଧିକ ଏକାଠି ନହେବାକୁ ଦୃଷ୍ଟି ଦିଆଯିବ । ଗ୍ରାମସଭା ଆୟୋଜନ କରାଯାଇ ପଂଚାୟତ ପ୍ରତିନିଧିମାନଙ୍କୁ ସଚେତନ କରିବେ । ଏହି ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍, ଏଡିଏମ୍ ସଚିଦାନନ୍ଦ ସାହୁ, ସିଡିଏମ୍ଓ ଡଃ ବିଜୟ ପଣ୍ଡା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଂଜରୀ ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର