ସେକ୍ସନ ଅଫିସର କ୍ୟାଡର ପୁନର୍ଗଠନ

୬୭୧ଟି ସେକସନ ଅଫିସର ପଦବି ଉଚ୍ଛେଦ, ୭୮ଟି ବରିଷ୍ଠ ଏଷ୍ଟାବ୍ଲିସମେଣ୍ଟ ଅଫିସର ପଦବି ସୃଷ୍ଟି

ଭୁବନେଶ୍ବର : କ୍ୟାବିନେଟ ନିଷ୍ପତ୍ତି ମୁତାବକ ଜିଲ୍ଲା ସ୍ତରରେ ଜୁନିଅର କ୍ଲର୍କ, ସିନିୟର କ୍ଲର୍କ, ହେଡ କ୍ଲର୍କ, ଅଫିସ ସୁପରିନଟେଣ୍ଡେଣ୍ଟ ପଦବିର ପୁନର୍ଗଠନ କରିଛନ୍ତି ସରକାର। ସାଧାରଣ ପ୍ରଶାସନ ବିଭାଗର ବିଜ୍ଞପ୍ତି ଅନୁଯାୟୀ ଏଣିକି ଜିଲ୍ଲାପାଳଙ୍କ ଅଫିସରେ ରାଜସ୍ବ ବିଭାଗରେ କାର୍ଯ୍ୟରତ ଜୁନିଅର କ୍ଲର୍କ ପଦବି ପୁନର୍ଗଠନ ହୋଇ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଭାବେ ପରିଗଣିତ ହେବେ। ସେହିପରି ଅନ୍ୟ ବିଭାଗରେ ଜୁନିଅର କ୍ଲର୍କ ପଦବିରେ ଥିବା ଅଧିକାରୀଙ୍କୁ ବିଭାଗୀୟ ଜୁନିଆର ଆସିଷ୍ଟାଣ୍ଟ ଭାବେ ଗଣାଯିବ। ବର୍ତ୍ତମାନ ଏହି ପଦବିରେ ଗ୍ରେଡ ପେ ୧୯୦୦ ଟଙ୍କାରେ ଥିବା ୧୫ ହଜାର ୬୬୮ ପଦବିକୁ ସରକାର ଅପରିବର୍ତ୍ତିତ ରଖିଛନ୍ତି।

ସେହିପରି ସିନିୟର କ୍ଲର୍କ ବର୍ଗକୁ ସିନିୟର ଆସିଷ୍ଟାଣ୍ଟ ପଦବିକୁ ପୁନର୍ଗଠନ କରାଯାଇଛି। ଏହି ପଦବିରେ ଗ୍ରେଡ ପେ ୨୪୦୦ ଟଙ୍କାରେ ଥିବା ୭ ହଜାର ୫୪୫ଟି ପଦବିକୁ ମଧ୍ୟ ସରକାର ଅପରିବର୍ତ୍ତିତ ରଖିଛନ୍ତି। ଜିଲ୍ଲା ସ୍ତରରେ ଆଉ ଏଣିକି ହେଡ କ୍ଲର୍କ ପଦବି ରହିବ ନାହିଁ। ଏଣିକି ହେଡ କ୍ଲର୍କମାନେ ସେକସନ ଅଫିସର ଭାବେ ଗଣାଯିବେ। ୪,୨୦୦ ଟଙ୍କା ଗ୍ରେଡ ପେରେ ବର୍ତ୍ତମାନ ଥିବା ୨ ହଜାର ୫୯୯ଟି ପଦବିକୁ ସରକାର ପୁନର୍ଗଠନ କରି ୬୭୧ ଟି ପଦବି ଉଚ୍ଛେଦ କରିଛନ୍ତି। ନୂଆ କ୍ୟାଡର ଗଠନ ହେବା ପରେ ଏହି ପଦବିକୁ ୧ ହଜାର ୯୨୮ରେ ସୀମିତ ରଖାଯାଇଛି। ସେହିପରି ଅଫିସ ସୁପରିନଟେଣ୍ଡେଣ୍ଟ ବର୍ଗରେ ଆଉ ୫୯୩ଟି ପଦବି ସୃଷ୍ଟି କରାଯାଇଛି। ଏଣିକି ଅଫିସ ସୁପରିନଟେଣ୍ଡଣ୍ଟ ପଦବିରେ କ୍ୟାଡର ପୁନର୍ଗଠନ ହେବା ପରେ ଏଷ୍ଟାବ୍ଲିସମେଣ୍ଟ ଅଫିସର ଭାବେ ଗଣାଯିବେ। ୪ ହଜାର ୬୦୦ ଗ୍ରେଡ ପେରେ ଏହି ପଦବୀରେ ୬୨୭ଟି ପଦବୀ ରହିଛି। ନୂଆକରି ସରକାର ସିନିୟର ଏଷ୍ଟାବ୍ଲିସମେଣ୍ଟ ଅଫିସର ପଦବି ପାଇଁ ୭୮ଟି ପଦବି ସୃଷ୍ଟି କରିଛନ୍ତି। ମୋଟ କନିଷ୍ଠ ଓ ବରିଷ୍ଠ ବର୍ଗ ମିଶି ବର୍ତ୍ତମାନ ଥିବା ୨୫ ହଜାର ୮୪୬ଟି ପଦବି କ୍ୟାଡର ପୁନର୍ଗଠନ ପରେ ସମାନ ସଂଖ୍ୟାରେ ରହିଛି।

ସମ୍ବନ୍ଧିତ ଖବର