ଜଣେ ବ୍ରହ୍ମଚାରିଣୀ ଭକ୍ତଙ୍କ କଥା: ୭୦ ବର୍ଷ ହେଲା ଫଳ ଖାଇ ବଞ୍ଚିଛନ୍ତି ଫୁଲମଣି

ରାଇରଙ୍ଗପୁର/ଜାମଦା-୧/ବିଶୋଇ : ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ତାରଣା ପଞ୍ଚାୟତ ମାନବୀର ଗ୍ରାମ ବଡ଼ସାହିରେ ଜଣେ ୮୭ ବର୍ଷ ବୟସ୍କ ଆଦିବାସୀ ଧର୍ମପରାୟଣା ବ୍ରହ୍ମଚାରିଣୀ ବୃଦ୍ଧା ଫୁଲମଣି ବାଗେ (୮୭) ରହନ୍ତି। ସେ ୭୦ ବର୍ଷ ହେବ ଫଳଖାଇ ବଞ୍ଚିଛନ୍ତି।

ଫୁଲମଣି ୭୦ ବର୍ଷରୁ ଅଧିକ ହେବ ଅନ୍ନ ଖାଇନାହାନ୍ତି। କଞ୍ଚା କ୍ଷୀର ଓ ବଣର ଫଳମୂଳ ତାଙ୍କ ଆହାର। ଆମ୍ବ, ତେନ୍ତୁଳି, ପଣସ, କୁସୁମ, କୋଳି, ପିଜୁଳି; ଯେତେବେଳେ ଯାହା ଫଳ ମିଳେ, ତାହା ସେ ଖାଆନ୍ତି। ତାଙ୍କର ଖାଦ୍ୟ ଦିନରେ ଦୁଇଥର। ସେ ନିଜ ଖପରା ଛାଉଣି ଘରେ ଶିବଙ୍କ ସହ ମା’ କୀଚେକେଶ୍ୱରୀ, ଶାରଳା ଓ ଦୁର୍ଗାଙ୍କ ପୂଜାର୍ଚ୍ଚନା କରନ୍ତି। ଫଳମୂଳ ଖାଇ ଦିନତମାମ ଠାକୁରଙ୍କ ସେବା ଓ ଭଜନକୀର୍ତ୍ତନରେ ମଜ୍ଜି ଥାଆନ୍ତି। ଫୁଲମଣିଙ୍କ ଆଧ୍ୟାତ୍ମିକ ଭାବଧାରାରେ ପ୍ରଭାବିତ ହୋଇ ବହୁ ଲୋକ ତାଙ୍କ ଘରେ ପ୍ରତିଷ୍ଠିତ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରନ୍ତି। ତାଙ୍କର ଭଙ୍ଗା ମନ୍ଦିରକୁ ଠାକୁର ଦର୍ଶନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏବଂ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଯାଇଛନ୍ତି ବୋଲି କୁହନ୍ତି ଫୁଲମଣି।

ଫୁଲମଣି ଚାହାନ୍ତି ତାଙ୍କର ଭଙ୍ଗାଦଦରା ମନ୍ଦିରର ରୂପ ବଦଳୁ। ଠାକୁରଙ୍କ ପାଇଁ ଭବ୍ୟ ମନ୍ଦିର ନିର୍ମାଣ ହେଉ। ସେ ମରିବା ଆଗରୁ ମନ୍ଦିର ଓ ନିଜ ଜମିବାଡ଼ି ଗ୍ରାମବାସୀଙ୍କୁ ଦାନ ଦେବେ।

ସୂଚନା ଥାଉକି ଓଡ଼ିଶାର ପ୍ରଥମ ଆଦିବାସୀ ଆଇଏଏସ୍‌ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଭାଗେ ଗୋବର୍ଦ୍ଧନ ମାନବୀର ଗାଁରେ ଜନ୍ମ ହୋଇଥିଲେ।

ସମ୍ବନ୍ଧିତ ଖବର