ଶ୍ରେୟସ ର‍୍ୟାଗିଂ ହତ୍ୟା ଘଟଣା : ରୁଜୁ ହେବନି ହତ୍ୟା ମାମଲା!

ତିନି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ ପରେ ଛାଡ଼ିଲା ପୁଲିସ
ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ବି ହାଜର କରାଗଲାନି

ଗଡ଼ପୋଷ : ବିଶାଖାପାଟଣା ଶ୍ରୀ ଚୈତନ୍ୟ ସ୍କୁଲ ଛାତ୍ର ତଥା ସମ୍ବଲପୁର ଜିଲ୍ଲା ଗଡ଼ପୋଷର ଶ୍ରେୟସ କେଶଓ୍ଵାନି ର‍୍ୟାଗିଂ ହତ୍ୟା ମାମଲାରେ ପୁଲିସ ଦୁଇ ମାସ ପରେ ୩ ଜଣ ସହପାଠୀଙ୍କୁ ଗିରଫ କରିବାର କେଇ ଘଣ୍ଟା ମଧ୍ୟରେ ଛାଡ଼ି ଦେଇଥିବା ଜଣାପଡ଼ିଛି। ଏହି ପିଲାମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇନାହିଁ କି ସେମାନଙ୍କୁ ସ୍କୁଲ ପକ୍ଷରୁ ନିଲମ୍ବନ ମଧ୍ୟ କରାଯାଇ ନଥିବା ସୂଚନା ମିଳିଛି। ନିକଟରେ ସେମାନେ ସେମାନଙ୍କ ସେମିଷ୍ଟାର ପରୀକ୍ଷା ମଧ୍ୟ ଦେଇଛନ୍ତି। ଦୁଇ ମାସ ପରେ ମଧ୍ୟ ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯାଇ ନାହିଁ। ଏ ନେଇ ତଦନ୍ତ କରାଯାଉଛି, ମାତ୍ର କେବେ ଚାର୍ଜସିଟ ଦାଖଲ କରାଯିବ ସେ ନେଇ କୁହାଯାଇ ପାରିବ ନାହିଁ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ କେ.ଲକ୍ଷ୍ମଣ ମୂର୍ତ୍ତି। ଗୋବିନ୍ଦପୁର ଥାନା ପକ୍ଷରୁ ଏହି ଘଟଣାରେ ଆଇପିସିର ୩୦୨ ଧାରାରେ ହତ୍ୟା ମାମଲା ରୁଜୁ କରାଯାଇ ଥିଲା। ମାତ୍ର ବିଶାଖାପାଟଣାର ପିଏମପାଲେସ ପୁଲିସ ୩୦୪ ଧାରାରେ ମାମଲା ରୁଜୁ କରିବ ବୋଲି ସୂଚନା ମିଳିଥିବା କହିଛନ୍ତି ଗୋବିନ୍ଦପୁର ଥାନା ଅଧିକାରୀ। ସେ ଦୃଷ୍ଟିରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହିତ ଫୋନରେ କଥା ହେବା ପରେ ଶ୍ରେୟସଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ମଉଳିବାରେ ଲାଗିଛି।

ଅଭିଯୁକ୍ତ ୩ ଛାତ୍ର ନାବାଳକ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ନୋଟିସ ଦେଇ ଛାଡ଼ି ଦିଆଗଲା ବୋଲି କୁହାଯାଉଛି। ତେବେ ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ କାହିଁକି ହାଜର କରାଗଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ବଲପୁର ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ସଦସ୍ୟା ପୁଷ୍ପାରାଣୀ ମହାପାତ୍ର କହିଛନ୍ତି, କୌଣସି ଅପରାଧର ସର୍ବାଧିକ ଦଣ୍ଡବିଧାନ ୭ ବର୍ଷ ଥିଲେ ନୋଟିସ ଜରିଆରେ ଛାଡ଼ି ଦିଆଯାଏ। ନାବାଳକ ଅଭିଯୁକ୍ତମାନଙ୍କୁ ଜେଜେବି ବୋର୍ଡ ସମ୍ମୁଖରେ ହାଜର ହେବା ଉଚିତ। ତାଙ୍କୁ ଜମାନତ ଦିଆଯିବାର ଥିଲେ ସିକ୍ୟୁରିଟି ବଣ୍ଡ ଏବଂ ଗାଡିଏନସିପ୍‌ ବଣ୍ଡ ଦାଖଲ ପରେ ଛଡ଼ାଯାଏ। ଏଠାରେ ସେହି ନିୟମ ପାଳନ କରାଯିବାର ଥିଲା।

ସମ୍ବନ୍ଧିତ ଖବର