ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ଯୋଗୁଁ ଘୁଞ୍ଚାଇ ଦିଆଯାଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶନିବାର ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଶ୍ରୀମନ୍ଦିର ସଂସ୍କାର ଉପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଶୁଣିବାକୁ ମିଳିଛି। ଶ୍ରୀମନ୍ଦିର ସଂସ୍କାର ଉପରେ ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟ ଦେଉଥିବା ଓ ନିକଟରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ପୁରୀ ଆସୁଥିବାରୁ ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି। ସେବାୟତମାନେ ଆମିକସ୍‌କ୍ୟୁରିଙ୍କଠାରେ କଣ ପକ୍ଷ ରଖିବେ, ସେ ଉପରେ ବି ବୈଠକରେ ବିସ୍ତତ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଯେହେତୁ ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦ ଓ ଶ୍ରୀମନ୍ଦିର ଆଇନ୍‌ରେ ସଂଶୋଧନକୁ ସେବାୟତମାନେ ବିରୋଧ କରି ଆସୁଛନ୍ତି, ଏ ଉପରେ କଣ ନିଷ୍ପତ୍ତି ହୋଇଛି, ସେ ଉପରେ ବି ଆଲୋଚନା ହୋଇପାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର