ଆଜି ଶ୍ରୀକ୍ଷେତ୍ର ପରିକ୍ରମା: ନାଗା ବେଶରେ ଦର୍ଶନ ଦେବେ ସିଦ୍ଧମହାବୀର

ଭୋର ୪ଟାରୁ ଦର୍ଶନ, ଜମିବ ମେଳା, ରାମଲୀଳା

ପୁରୀ : ଚଳଚଞ୍ଚଳ ହେବ ସିଦ୍ଧମହାବୀର କ୍ଷେତ୍ର। ନାଗା ବେଶରେ ଦର୍ଶନ ଦେବେ ପ୍ରଭୁ ଶ୍ରୀସିଦ୍ଧମହାବୀର। ଶ୍ରୀକ୍ଷେତ୍ର ପରିକ୍ରମା କରି ସିଦ୍ଧମହାବୀର କ୍ଷେତ୍ରରେ ସମବେତ ହେବେ ସଂକୀର୍ତ୍ତନ ଦଳ। ପ୍ରଭୁଙ୍କ ଚତୁଃପାର୍ଶ୍ବ ବୁଲିବାର ସୁଯୋଗ ମିଳିବ। ବର୍ଷକରେ ଏହି ଗୋଟିଏ ଦିନ ପ୍ରଭୁଙ୍କ ପାଦ ସ୍ପର୍ଶ କରିବାର ଅବସର ମିଳୁଥିବାରୁ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ। ରବିବାର ଶ୍ରୀକ୍ଷେତ୍ର ପରିକ୍ରମା ଅବସରରେ ମିଳିବ ଏହି ଦୁର୍ଲଭ ସୁଯୋଗ। ଦୁଇବର୍ଷ ହେବ କରୋନା ଯୋଗୁଁ ପ୍ରଭୁଙ୍କୁ ସ୍ପର୍ଶ କରିବାରେ କଟକଣା ଥିବାରୁ ଚଳିତ ବର୍ଷ ଏହି ବହୁ ପ୍ରତିକ୍ଷୀତ ସୁଯୋଗକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ ଭକ୍ତ। ଏନେଇ ସିଦ୍ଧ ମହାବୀର ମନ୍ଦିର ପକ୍ଷରୁ ମଧ୍ୟ ବ୍ୟାପକ ଆୟୋଜନ ହୋଇଛି। ପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାପକ ଭିଡ଼କୁ ଦୃଷ୍ଟିରେ ରଖି ନୀତିକାନ୍ତି ବିଳମ୍ବିତ ରାତିରୁ ଆରମ୍ଭ କରାଯାଇଛି। ତେବେ ବାରମ୍ବାର ଅବଗତ କରିବା ସତ୍ତ୍ବେ ସିଦ୍ଧମହାବୀରକୁ ଯାଇଥିବା ବିପର୍ଯ୍ୟସ୍ତ ରାସ୍ତାକୁ ପୌରସଂସ୍ଥା ମରାମତି କରିବା ପରିବର୍ତ୍ତେ କେବଳ ଖାଲ ସ୍ଥାନରେ କଂକ୍ରିଟ ବର୍ଜ୍ୟ ପକାଇ କାମ ସାରି ଦେଇଛି। ତେଣୁ ଦର୍ଶନ ପାଇଁ ଯିବା ବେଳେ ଲୋକେ ଯାତାୟତ କଷ୍ଟ ଭୋଗିବେ।

ତେବେ ଏହି ମନ୍ଦିର ପଛରେ ରହିଛି ସମୃଦ୍ଧ ଐତିହ୍ୟ। ଗବେଷକ ସ‌ୁରେନ୍ଦ୍ର କୁମାର ମିଶ୍ରଙ୍କ କହିବା ମୁତାବକ, ଶ୍ରୀକ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଅଷ୍ଟବୀରଙ୍କ ଆବିର୍ଭାବ ହୋଇଛି। ସେମାନଙ୍କ ମଧ୍ୟରୁ ସିଦ୍ଧମହାବୀର ହେଉଛନ୍ତି ଅଙ୍ଗଦ। ସିଦ୍ଧ ମହାବୀରଙ୍କ ମନ୍ଦିର ଶ୍ରୀମନ୍ଦିର ସହ ମଧ୍ୟ ସମ୍ପର୍କିତ। ଏହି ମନ୍ଦିର‌ର ପ୍ରତିଷ୍ଠା ନେଇ ‌ଯଦିଓ କୌଣସି ତଥ୍ୟ ନାହିଁ, କିନ୍ତୁ ଜନଶ୍ରୁତି ମୁତାବକ ରାମାୟଣର ରଚୟିତା ସନ୍ଥ ତୁଳସୀ ଦାସ ପୁରୀ ଆସିଥିବା ବେ‌ଳେ ଏହିଠାରେ ଅବସ୍ଥାନ କରିଥିଲେ। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ସନ୍ଥ ତୁଳସୀ ଦାସ ପୁରୀକୁ ଆସି ସେଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ରାମ ରୂପରେ ଦର୍ଶନ କରିବାକୁ ତପସ୍ୟା କରିଥିଲେ। ମହାପ୍ରଭୁ ଭକ୍ତ ତୁଳସୀ ଦାସଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦର୍ଶନ ଦେବା ସହିତ ଶ୍ରୀରାମଚରିତ ମାନସ ରଚନା କରିବାକୁ ନିର୍ଦେଶ ଦେଇଥିଲେ। ଏପରିକି ସିଦ୍ଧମହାବୀରଙ୍କୁ ପୁରୁଷୋତ୍ତମ କ୍ଷେତ୍ରର ପ୍ରକୃତ ସୁରକ୍ଷାଦାତା ଭାବେ ମଧ୍ୟ ଅଭିହିତ କରାଯାଏ।

ଭୋର ୪ଟାରୁ ଦର୍ଶନ
ମାର୍ଗଶୀର ମାସ ପଞ୍ଚମୀ ତିଥି ମୁତାବକ ରବିବାର ସିଦ୍ଧମହାବୀରଙ୍କୁ ନାଗା ବେଶରେ ଦର୍ଶନ କରିବେ ଭକ୍ତ। ଏନେଇ ପୂର୍ବଦିନ ରାତିରୁ ନୀତିକାନ୍ତ ଆରମ୍ଭ ହେବ। ରାତି ୧୨ଟା ୫ରେ ଦ୍ବାର ଫିଟା, ୧୨ଟା ୧୦ରେ ମଙ୍ଗଳ ଆଳତି, ଗୋଟାଏ ୪୫ରେ ବାଳଭୋଗ ଧୂପ, ୨ଟାରେ ଦ୍ବିପ୍ରହର ଧୂପ ହେବା ପରେ ରାତି ସାଢ଼େ ୨ଟାରୁ ପ୍ରଭୁ ସିଦ୍ଧମହାବୀରଙ୍କୁ ନାଗା ବେଶ କରାଯିବ। ଭକ୍ତମାନେ ଭୋର ୪ଟାରୁ ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ। ପ୍ରଭୁଙ୍କୁ ସ୍ପର୍ଶ କରିବା ପାଇଁ କେବଳ ଏହି ଗୋଟିଏ ଦିନ ସୁଯୋଗ ମିଳୁଥିବାରୁ ଭକ୍ତଙ୍କର ବ୍ୟାପଳ ସମାଗମ ହୁଏ। ଏଥିସହ ଭକ୍ତମାନେ ପ୍ରଭୁଙ୍କର ଅତିପ୍ରିୟ ରସଗୋଲା ପ୍ରସାଦ ଭୋଗ କରିବେ।

ଜମିବ ମେଳା, ରାମଲୀଳା
ପ୍ରଭୁଙ୍କ ଏହି ଶ୍ରୀକ୍ଷେତ୍ର ପରିକ୍ରମା କାର୍ଯ୍ୟକ୍ରମ ଅବସରରେ ସିଦ୍ଧ ମହାବୀର ମନ୍ଦିର ସମ୍ମୁଖ ମଣ୍ଡପରେ ସୁନ୍ଦରା କାଣ୍ଡ ପାଠ କରାଯିବ। ସିଦ୍ଧ ମହାବୀର ମନ୍ଦିରକୁ ପ୍ରବେଶ ପଥ ରାସ୍ତା ନିକଟରେ ରାମଲୀଳା ଅନୁଷ୍ଠିତ ହେବ। ଦୁଇବର୍ଷର କଟକଣା ପରେ ଏଥର ମେଳା ଜମିବ। ଏଥିପାଇଁ ମନ୍ଦିର ନିକଟରେ ଦୋକାନ ପାଇଁ ବ୍ୟବସାୟୀମାନେ ଜାଗା ଘେରାଇ ସାରିଛନ୍ତି। ବିଶେଷକରି ତାଳପତ୍ରରେ ପ୍ରସ୍ତୁତ ଅପୂର୍ବ କାରିଗରୀର ନିଦର୍ଶନ ଦେଖିବାକୁ ମିଳିବ। ତେବେ ଚଳିତ ବର୍ଷ ଭଜନ ସମାରୋହ ଆୟୋଜନ କରାଯିବ ନାହିଁ ବୋଲି ସିଦ୍ଧ ମହାବୀର ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର