ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ: ନିର୍ଦ୍ଦେଶକ ବବି ଇସ୍‌ଲାମ, ଅଭିନେତା ମିଟୁ ମିଥୁନ୍‌ଙ୍କ ଆତ୍ମହତ୍ୟା ଉଦ୍ୟମ

ନବୀନ ନବାସ ନିକଟରୁ ଉଠାଇନେଲା ପୁଲିସ

ଭୁବନେଶ୍ୱର : ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିବାଦ ତେଜୁଛି। ପ୍ରିୟାପ୍ରୀତି ତୋଷଣ କରାଯାଇ ପୁରସ୍କାର ଲାଗି ମନୋନୟନ କରାଯାଇଛି ବୋଲି ଅଭିଯୋଗ ହେଉଛି। ରାଜଧାନୀରେ ଶନିବାର ଏହାର ପ୍ରତିଫଳନ ଦେଖିବାକୁ ମିଳିଛି। ଶନିବାର ଦିନନ ଚଳଚ୍ଚିତ୍ର ନିର୍ଦ୍ଦେଶକ ବବି ଇସ୍‌ଲାମ ଓ ଅଭିନେତା ମିଟୁ ମିଥୁନ୍‌ ନବୀନ ନିବାସ ନିକଟରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅପରାହ୍ନ ପ୍ର‌ାୟ ୨ଟା ୪୫ମିନିଟ୍‌ ସମୟରେ ଦୁହେଁ କିରୋସିନ୍‌ ଓ ଦିଆସିଲ ଧରି ନବୀନ ନିବାସ ନିକଟରେ ପହଞ୍ଚିବା ବେଳକୁ ଏୟାର ପୋର୍ଟ ଥାନା ପୁଲିସ ସେମାନଙ୍କୁ ଉଠାଇ ନେଇଥିଲା। ଦୁଇଜଣଙ୍କୁ ଥାନାରେ ଅଟକ ରଖିବା ପରେ ରାତିରେ ଛାଡ଼ି ଦେଇଥିବା ଜଣାପଡ଼ିଛି।

ବବି ଓ ମିଟୁ ଅଭିଯୋଗ କରିଛନ୍ତି ଯେ, ଅନ୍ୟ ଭାଷାର ଚଳଚ୍ଚିତ୍ରକୁ କପି କରାଯାଇ ନିର୍ମିତ ଚଳଚ୍ଚିତ୍ରକୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ହେଲେ ମୌଳିକ ଓଡ଼ିଆ ଫିଲ୍ମକୁ ଚୟନ କମିଟି ଅଣଦେଖା କରିଛି। ଏପରି କରିବାରୁ ନିଛକ ଓଡ଼ିଆ ଫିଲ୍ମ କରୁଥିବା ପ୍ରଯୋଜକ ଓ ନିର୍ଦ୍ଦେଶକ ଓଡ଼ିଆ ଫିଲ୍ମ ଜଗତ ଠାରୁ ଦୂରେଇ ଯିବେ। ଚୟନ ତାଲିକାର ପୁନର୍ବିଚାର କରିବା ପାଇଁ ସେମାନେ ଦାବି କରିଆସୁଛନ୍ତି। ହେଲେ କୌଣସି ପଦକ୍ଷେପ ନିଆ ନଯିବାରୁ ଏପରି ପନ୍ଥା ଅପଣାଇଛନ୍ତି ବୋଲି ଦର୍ଶାଇଛନ୍ତି। ତେବେ ବବି ଇସ୍‌ଲାମଙ୍କ ଅଭିଯୋଗ ଅନୁସାରେ, କୋରିଆର ‘ହୋପ୍’ ନାମକ ଫିଲ୍ମ ଓ ପଞ୍ଜାବୀ ଫିଲ୍ମ ‘କ୍ୟାରି ଅନ୍ ଜଟ୍ଟା’କୁ କପି କରି ତିଆରି ହୋଇଥିବା ଚଳଚ୍ଚିତ୍ରକୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏପରି ହେଲେ ନିଛକ ଓଡ଼ିଆ ଚଳଚ୍ଚିତ୍ର କରିବା ପାଇଁ ଆଗ୍ରହ ରଖୁଥିବା ନିର୍ମାତା, ନିର୍ଦ୍ଦେଶକ ହତୋତ୍ସାହିତ ହେବେ। ବିଭାଗ ତା’ର ଚୟନ ତାଲିକା ପୁଣି ଥରେ ଅନୁଧ୍ୟାନ କରି ସଂଶୋଧନ କରିବା ପାଇଁ ବବି ଦାବି କରିଛନ୍ତି।

‘ଛବିରାଣୀ’ ନିଛକ ଓଡ଼ିଆ ଚଳଚ୍ଚିତ୍ର ଓ ପ୍ରଥମ ଓଡ଼ିଆ ବାୟୋପିକ୍। ତଥାପି ଜୁରି କମିଟି ପ୍ରିୟାପ୍ରୀତି ତୋଷଣ କରି ଏହି ଚଳଚ୍ଚିତ୍ରକୁ ଅଣଦେଖା କରିଥିବା ସେମାନେ କହିଛନ୍ତି। ପାତରଅନ୍ତର କରି ଭଲ ଫିଲ୍ମକୁ ଅଣଦେଖା କରି ଚାଲୁ ଫିଲ୍ମକୁ ପୁରସ୍କୃତ କରିବା ଜୁରି କମିଟିର ପୁରୁଣା ଅଭ୍ୟାସ। ୧୯୯୨ ମସିହାରେ ଏ ନେଇ ସ୍ବର୍ଗତ ହର ପଟ୍ଟନାୟକ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଜୁରି କମିଟି ଉପରେ ତା’ର କୌଣସି ପ୍ରଭାବ ପଡ଼ିନଥିଲା। ଏପରି ପ୍ରିୟାପ୍ରୀତି ତୋଷଣ ଯୋଗୁଁ ଢୋ‌କେ ପିଇ ଦଣ୍ଡେ ଜିଇ ଅବସ୍ଥାରେ ଥିବା ଓଡ଼ିଆ ଫିଲ୍ମ ଶିଳ୍ପ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି ବବି କହିଛନ୍ତି।

ସମ୍ବନ୍ଧିତ ଖବର