ରାଜ୍ୟସ୍ତରୀୟ ବିଶ୍ବ ପରିବେଶ ଦିବସ : ବାହାର ରାଜ୍ୟରୁ ଆସିବ ଚାରା, ୧୬୬ ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

ଭୁବନେଶ୍ବର : ‘ଫନି’ ପ୍ରଭାବରେ ଭୁବନେଶ୍ବର ସମେତ ପୁରୀ, କଟକ ଓ ଖୋର୍ଧା ସହରରେ ବ୍ୟାପକ ଗଛ କ୍ଷତି ହୋଇଛି। ସେଗୁଡ଼ିକର ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ଅଧା ଉପୁଡ଼ି ଯାଇଥିବା ୮ ହଜାରରୁ ଅଧିକ ଗଛକୁ ପୁଣିଥରେ ଛିଡ଼ା କରାଯାଇଛି। ବହୁ ସ୍ଥାନରେ ବଡ଼ ବଡ଼ ବରଗଛକୁ ସୁରକ୍ଷିତ କରାଯାଇଛି। ସେଥିରୁ ଏବେ ପତ୍ର ବାହାରିଲାଣି। ମୋଟ ୩୦ ହଜାର ଗଛର ପୁନରୁଦ୍ଧାର କରିବା ଲକ୍ଷ୍ୟ ରଖାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ‌ କାର୍ଯ୍ୟକ୍ରମରେ ଯୋଗଦେଇ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା କହିଛନ୍ତି।

ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଆହୁରି କହିଲେ, ଏବର୍ଷ ବ୍ୟାପକ ଚାରାରୋପଣ ହେବ। ଏବେ ସୁଦ୍ଧା ସରକାରଙ୍କ ପାଖରେ ଏକ କୋଟି ଚାରା ମହଜୁଦ ରହିଛି। ଆହୁରି ଚାରାର ଆବଶ୍ୟକତା ରହିଛି। ବିଶେଷକରି ପୁରୀ ଉପକୂଳରେ ବ୍ୟାପକ ଝାଉଁ ଗଛ ନଷ୍ଟ ହୋଇଛି। ତେଣୁ ବାହାର ରାଜ୍ୟରୁ ୫ଲକ୍ଷ ଝାଉଁ ଚାରା ଅଣାଯିବ। ସେଥିମଧ୍ୟରୁ ଏକ ଲକ୍ଷ ୧୦ରୁ ୧୨ଫୁଟ୍‌ର ଗଛ ଅଣାଯାଇ ରୋପଣ କରାଯିବ। ବର୍ତମାନ ସମୟରେ ବାୟୁ ପ୍ରଦୂଷଣ ସାରା ବିଶ୍ବ ଲାଗି ଉଦ୍‌ବେଗର କାରଣ ହୋଇଛି। ବିଶ୍ବର ପ୍ରମୁଖ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ରାଜଧାନୀ ଦିଲ୍ଲୀ ସ୍ଥାନ ପାଇଲାଣି। ଭୁବନେଶ୍ବର‌‌ରେ ପ୍ରତିବର୍ଷ ୪୦ ହଜାର ନୂଆ ଯାନବାହନ ପଞ୍ଜୀକୃତ ହେଉଛି। ଏହା ବାୟୁ ପ୍ରଦୂଷଣ ବଢ଼ାଇବାରେ ସହାୟକ ହେଉଛି। ତେଣୁ ଏହାକୁ ହ୍ରାସ କରିବା ବଡ଼ ଆହ୍ବାନ ବୋଲି ସେ କହିଥିଲେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ବଢ଼ୁଛି। ବାୟୁମଣ୍ଡଳରେ କାର୍ବନ ମନୋକ୍ସାଇଡ୍‌, କାର୍ବନ ଡାଇଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଅକ୍ସାଇଡ୍‌, ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌, ଭୂସ୍ତର ଓଜୋନ, ଭାସମାନ ଧୂଳିକଣା, ସଲଫର ଡାଇଅକ୍ସାଇଡ୍‌ ବୃଦ୍ଧି ଲୋକଙ୍କ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏହି ସବୁ ସମସ୍ୟାକୁ ହୃଦୟଙ୍ଗମ କରି ପ୍ରାକୃତିକ ସମ୍ପଦର ସୁବିନିଯୋଗ କରିବା, ବ୍ୟାପକ ବୃକ୍ଷରୋପଣ, ପ୍ଲାଷ୍ଟିକ୍‌ ଆବର୍ଜନା ଜନିତ ପ୍ରଦୂଷଣ ହ୍ରାସ ଲାଗି ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ।

ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର, ୧୬୫ଜଣଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପୂର୍ବରୁ ଆୟୋଜିତ ଇକୋ-ମଡେଲ୍‌ ପ୍ରଦର୍ଶନରେ ଅଂଶଗ୍ରହଣ କରି ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ପୁସ୍ତକ ‘ପରିବେଶ ଜାଗ୍ରତ ପ୍ରହରି’, ସେଣ୍ଟର୍‌ ଫର୍‌ ଏନ୍‌ଭାରନମେଣ୍ଟାଲ ଷ୍ଟଡିଜ୍‌ର ମୁଖପତ୍ର ‘ଏନ୍‌ଭିଏସ୍‌ ସମ୍ବା‌ଦପତ୍ରିକା’ ଉନ୍ମୋଚିତ ହୋଇଥିଲା। ପରିବେଶ ନିର୍ଦେଶକ କେ ମୁରୁଗେସନ ସ୍ବାଗତ ଭାଷଣ ଦେଇଥିବା ବେଳେ ସେଣ୍ଟର୍‌ ଫର୍‌ ଏନ୍‌ଭାରନମେଣ୍ଟାଲ ଷ୍ଟଡିଜ୍‌ର ନିର୍ଦେଶକ ଆ‌ଶୁତୋଷ ଦେବତା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର