ମାଟ୍ରିକ୍‌ ଫଳ ପ୍ରକାଶ ପୂର୍ବରୁ ଛାତ୍ରୀଙ୍କ ଆତ୍ମହତ୍ୟା

ଦିଗପହଣ୍ଡି : ଆଜି ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବାର ଅଧଘଣ୍ଟା ଆଗରୁ ବନ୍ଦ କୋଠରି ଭିତରେ ଦେହରେ କିରାସିନି ଢାଳି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ରାଣୀସାହିରେ ଏଭଳି ଏକ ଅଭାବନୀୟ ଘଟଣା ଆଜି ଆଲୋଡ଼ନ ସୃଷ୍ଟି କରିଛି। ତେବେ ଘଣ୍ଟାଏ ପରେ ପରୀକ୍ଷା ଫଳ ପ୍ରକାଶ ପାଇବା ବେଳକୁ ଜଣାପଡ଼ିଲା ସେ ୪୨୧ ମାର୍କ ସହ ‘ବି-୧’ ଗ୍ରେଡ଼୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଘଟଣା ସାରା ଅଞ୍ଚଳବାସୀଙ୍କୁ ଯେତିକି ସ୍ତବ୍ଧ ଓ ତଟସ୍ଥ କରିଛି; ସହପାଠୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମହଲରେ ସେତିକି ଦୁଃଖର ଛାୟା ଖେଳାଇ ଦେଇଛି।

ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି, ଗଜପତି ଜିଲ୍ଲା ଖାରଡ଼ା ଗ୍ରାମର କାଳିଆ ଜେନାଙ୍କ ଝିଅ କଳ୍ପନା ଜେନା (୧୫)। କଳ୍ପନା ଗଜପତି ଜିଲ୍ଲା ମୂଳବାସିନ୍ଦା ହୋଇଥିବାବେଳେ କିଛିବର୍ଷ ତଳେ ତାଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା। ବାପା କାଳିଆ ସିକିମ୍‌ରେ କାମ କରୁଥିବାରୁ ସେ ଝିଅକୁ ତାଙ୍କ ବଡ଼ବାପା ନରସିଂହ ଜେନାଙ୍କ ପାଖରେ ପଢ଼ିବାକୁ ଛାଡ଼ି ଦେଇଥିଲେ। କଳ୍ପନା ଦିଗପହଣ୍ଡି ନିକଟ ପଦ୍ମନାଭପୁର ଶ୍ରୀଧାମ ଶିଶୁ ବିଦ୍ୟାମନ୍ଦିର ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିବା ବେଳେ ଏଥର ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ପରୀକ୍ଷା ସରିବା ପରେ ସେ ହଷ୍ଟେଲ୍‌ ଛାଡ଼ି ବଡ଼ବାପାଙ୍କ ଘରେ ଆସି ରହୁଥିଲେ। ବୁଧବାର ଦିନ ପରୀକ୍ଷାଫଳ ବାହାରିବାର ଠିକ୍ ଅଧଘଣ୍ଟା ପୂର୍ବରୁ ଅର୍ଥାତ୍‌ ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ନିଜ ବେଡ଼୍‌ରୁମ୍ କବାଟକୁ ଭିତରପଟୁ ବନ୍ଦକରି ଦେହରେ ହଠାତ୍ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ କଳ୍ପନା। କୋଠରି ଭିତରୁ ଧୂଆଁ ବାହାରୁଥିବାରୁ ପଡ଼ୋଶୀ ଓ ପରିବାରବର୍ଗ କବାଟ ଭାଙ୍ଗି ଘରେ ପଶିବା ବେଳକୁ କଳ୍ପନା ହୁତ୍‌ହୁତ୍ ହୋଇ ଜଳୁଥିଲେ। ଦିଗପହଣ୍ଡି ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ, ସେତେବେଳକୁ କଳ୍ପନାଙ୍କ ମୃତ୍ୟୁ ହୋଇସାରିଥିଲା। ଦିଗପହଣ୍ଡି ପୁଲିସ ଶବକୁ ଜବତ କରି କେସ୍ ନମ୍ବର ୮ ଅନୁସା‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ ‌କରିଛି। ଅନ୍ୟପକ୍ଷରେ, କଳ୍ପନା କାହିଁକି ଏଭଳି ଏକ ଚରମ ପଦକ୍ଷେପ ନେଲେ, ଏହାକୁ ନେଇ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି।

ସମ୍ବନ୍ଧିତ ଖବର