ପାଠ ନବୁଝି ପାରିବାରୁ ଛ‌ାତ୍ରୀଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ପାଠ ନ ବୁଝିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଇଂରାଜୀରେ ସମସ୍ତ ବିଷୟ ପଢ଼ାଯାଉଥିବାରୁ ସେ ବୁଝି ପାରୁନଥିଲେ ଏବଂ ଏଥିପାଇଁ ସେଥିପାଇଁ ସେ ମାନସିକ ଚାପରେ ଥିଲେ। ଶେଷରେ, ସେ ଜୀବନ ହାରିଥିବା ଛାତ୍ରୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଥିବାବେଳେ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ମୃତ ଛାତ୍ରୀ ହେ‌େଲ ସୁଶୀଳା ପୂଜାରୀ। ସେ ନବରଙ୍ଗପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। ସେ ହଷ୍ଟେଲ୍‌ରେ ରହୁଥିବାବେଳେ ଆତ୍ମହତ୍ୟା କରିଛନ୍ତି। ବାପା ଜଗତ ପୂଜାରୀଙ୍କ କହିବା କଥା ହେଲା, ଗତ ୧୦ ତାରିଖ ଦିନ ଝିଅ ତାଙ୍କୁ ଫୋନ କରିଥିଲା। ଇଂରାଜୀରେ ସମସ୍ତ ବିଷୟ ଶିକ୍ଷାଦାନ କରାଯାଉଥିବାରୁ ସମସ୍ୟା ହେଉଥିବା ସୁଶୀଳା କହିଥିଲା। କଥାବାର୍ତାରୁ ସେ ଚାପରେ ଥିବା ଭଳି ମନେହେଉଥିଲା। ତଥାପି ବାପା ମନଦୁଃଖ ନକରିବାକୁ ପରାମର୍ଶ ଦେଇଥିଲେ। ଆତ୍ମବିଶ୍ବାସ ବଢ଼ାଇବା ପାଇଁ ସାନ୍ତ୍ବନା ଦେଇଥିଲେ। ତଥାପି ସେ ଚାପରେ ପଡ଼ି ଚରମ ନିଷ୍ପତ୍ତି ନେଇଥିବା ଶ୍ରୀ ପୂଜାରୀ କହିଛନ୍ତି।

Image Courtesy: virgin.com

ଅନ୍ୟପକ୍ଷରେ, ସୁଶୀଳା ଲେଖିଥିବା ଚିଠିରେ ଚାପଗ୍ରସ୍ତ ରହିଥିବା ନେଇ ଉଲ୍ଲେଖ ହୋଇଥିବା ଥାନା ଅଧିକାରୀ କହିଛନ୍ତି। ଏହି ଗୋଟିଏ କାରଣ ନା’ ଅନ୍ୟ କିଛି ରହିଛି ତାହାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ନବରଙ୍ଗପୁର ମା’ ଘର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ କହିଛନ୍ତି ଯେ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ହଠାତ୍ ଇଂରାଜୀ ମାଧ୍ୟମ ବାତାବରଣକୁ ଆସି ନୂଆ ଶିକ୍ଷା ବ୍ୟବସ୍ଥାରେ ଭୟଭୀତ ହୋଇ ଆତ୍ମହତ୍ୟା କରିଥିବା କଥା ଯଦି ସତ ତାହାହେଲେ ସାଂଘାତିକ ବିଷୟ। ତେଣୁ ସରକାର ଓ ଶିକ୍ଷା ବିଭାଗ ଶିକ୍ଷାନୀତି ଉପରେ ଗୁରୁତ୍ବ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର