ସୁକତେଲ ସେତୁ ଭାଙ୍ଗିବା ଘଟଣା : ଆତ୍ମସମର୍ପଣ ପରେ ଜାମିନରେ ଗଲେ ବାପପୁଅ

ପାଟଣାଗଡ଼ : ପାଟଣାଗଡ଼ ତମିଆଁ-ମୁଦଲସର ସୁକତେଲ ସେତୁ ଭାଙ୍ଗିବା ଘଟଣାକୁ ୨୧ ଦିନ ବିତି ଯାଇଛି। ମଙ୍ଗଳବାର ସେତୁ ନିର୍ମାଣ କରିଥିବା ଠିକାସଂସ୍ଥାର ମାଲିକ ରାମ କୁମାର ଅଗ୍ରୱାଲ ଓ ପୁଅ ତଥା ସଂସ୍ଥାର ନିର୍ଦ୍ଦେଶକ ସଞ୍ଜୟ ଅଗ୍ରୱାଲ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍‌ରେ ଯାଇଥିବା ଜଣାଯାଇଛି। ତେବେ ଏହି ମାମଲାରେ ପୁଲିସର କୋହଳ ଦଫା ପାଇଁ କୋର୍ଟରୁ ଅଭିଯୁକ୍ତ ବାପ ପୁଅକୁ ଜାମିନ ମିଳିଥିବା ଚର୍ଚ୍ଚା ହେଉଛି।

ପାଟଣାଗଡ଼ ବ୍ଲକ ତମିଆଁ-ମୁଦଲସର ସୁକତେଲ ସେତୁ ଗତ ୨୯ ତାରିଖରେ ମରାମତି କାର୍ଯ୍ୟ ଚାଲିଥିବା ସମୟରେ ଭାଙ୍ଗି ଯାଇଥିଲା। ୨ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳକୁ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି ସନ୍ଦିପ ମଡ଼କର, ଏସ୍‌ଡିପିଓ ସୁରେଶ ନାଏକ ପହଞ୍ଚି ତତ୍ପରତା ପ୍ରକାଶ କରିଥିଲେ। ମାତ୍ର ଏହି ତତ୍ପରତା ପରବର୍ତ୍ତୀ ସମୟରେ ସ୍ଥାନୀୟ ପୁଲିସ ନିକଟରେ ଦେଖିବାକୁ ମିଳି ନଥିଲା। ଏହି ଘଟଣାରେ ଠିକା ସଂସ୍ଥା ମାଲିକଙ୍କୁ ଧରିବାରେ ବିଫଳ ପୁଲିସ ଠିକାସଂସ୍ଥାର ଜଣେ କର୍ମଚାରୀଙ୍କୁ ଅଟକ ରଖି ୮ ଦିନ ପରେ କୋର୍ଟ ଚାଲାଣ କରିଥିଲା। ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଷାନଙ୍କୁ ନିଲମ୍ବନ କରାଯାଇଥିଲା। ଠିକା ସଂସ୍ଥାକୁ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ କଳା ତାଲିକାଭୁକ୍ତ କରିଥିଲା। ତେବେ ଏହି ଘଟଣାର ୨୧ ଦିନ ପରେ ମଙ୍ଗଳବାର ରାମ କୁମାର ଅଗ୍ରୱାଲ ଇଂଜିନିୟର୍ସ ପ୍ରାଇଭେଟ ଲିମିଟେଡ୍‌ର ମାଲିକ ରାମ କୁମାର ଅଗ୍ରୱାଲ ଓ ପୁଅ ତଥା ନିର୍ଦ୍ଦେଶକ ସଞ୍ଜୟ ଅଗ୍ରୱାଲ ପାଟଣାଗଡ଼ ଏସ୍‌ଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ତୁରନ୍ତ ଉଭୟଙ୍କୁ ଜାମିନ ମିଳି ଯାଇଥିଲା।

ଅନ୍ୟପକ୍ଷରେ, ସେତୁ ଭାଙ୍ଗିବା ଦିନଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍‌ଡିଓ ତପନ ବେହେରା ଓ ଜେଇ ରଞ୍ଜିତ ବାଗ ପାଟଣାଗଡ଼ରେ ନାହାନ୍ତି କି ଅଫିସକୁ ଆସୁ ନ ଥିବା ଜଣାପଡ଼ିଛି। ଫଳରେ, ଏ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ସବୁ ଉନ୍ନତିମୂଳକ କାର୍ଯ୍ୟ ସବୁ ଠପ୍ ହୋଇ ଯାଇଛି। ସେତୁ ନିର୍ମାଣ ସମୟରେ ଦାୟିତ୍ବରେ ଥିବା ନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ଶେଖର ମହାପାତ୍ର, ଏସ୍‌ଡିଓ ଇଂ ବେହେରା ଓ ଜେଇ ଇଂ. ବାଗଙ୍କ ବିରୋଧରେ ବିଭାଗ କି ପ୍ରକାରର କାର୍ଯ୍ୟନୁଷ୍ଠାନ ନେଉଛି ତାହା ବି ଦେଖିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର