ପଞ୍ଚାୟତ ସମିତି ବୈଠକରେ ବିଧାୟିକାଙ୍କ ଧମକ : ‘ମୋ’ କଥା ନ ମାନିଲେ ଉଠ୍ବସ୍ ହେବ’
ନିଜର ଦୁଇ ସମଥର୍କଙ୍କୁ ଡାକି ମଞ୍ଚରେ ବସାଇଲେ, ଦସ୍ତଖତ ରେଜିଷ୍ଟର୍କୁ ଚିରି ତାଙ୍କ ନାଁ ଉପରେ ରଖିବାକୁ କହିଲେ
ହେମଗିର : ପାଟଣାଗଡ଼ର ବିଜେଡି ବିଧାୟକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍ବସ୍ କରିବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ଆଜି ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ େଟଟେ ସରକାରୀ କର୍ମଚାରୀମାନଙ୍କୁ ଅନୁରୂପ ଚେତାବନୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାର ହେମଗିର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ନବମ ପଞ୍ଚାୟତ ସମିତି ବୈଠକରେ ଶ୍ରୀମତି ଟେଟେ ତାଙ୍କ କଥା ନ ମାନିଲେ ସରକାରୀ କର୍ମଚାରୀମାନଙ୍କୁ ସେ ଉଠ୍ବସ୍ କରାଇବେ ବୋଲି ଧମକ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଧାୟିକା ନିର୍ବାଚିତ ହେବା ପରେ ଶ୍ରୀମତି ଟେଟେ ଆଜି ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ବୈଠକରେ ଅତିଥି ଭାବେ ଉପସ୍ଥିତ ଥିଲେ। ତେବେ ବୈଠକରେ କୁସୁମଙ୍କର ଉଗ୍ର ବ୍ୟବହାର ସମସ୍ତଙ୍କୁ ଚକିତ କରିଥିଲା। ବିଶେଷକରି ତାଙ୍କର ପ୍ରଟୋକଲ୍ ଉଲ୍ଳଘଂନ ଓ ଅଶାଳୀନ ବ୍ୟବହାରକୁ ନେଇ ଉପସ୍ଥିତ ଜନପ୍ରତିନିଧିମାନେ ଖୋଲାଖୋଲି ଅସନ୍ତୋଷ ଓ ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ। ପ୍ରଟୋକଲ୍ ଅନୁସାରେ, ସଭାମଞ୍ଚରେ ଅନଧିକୃତ ବ୍ୟକ୍ତିଙ୍କ ବସିବା ନେଇ ନିୟମ ନଥିବା ବେଳେ ବିଧାୟିକା ନିଜର ଦୁଇ ଜଣ ସମର୍ଥକଙ୍କୁ ଡାକି ମଞ୍ଚରେ ବସାଇଥିଲେ। କେବଳ ସେତିକି ନୁହେଁ, ଦସ୍ତଖତ ରେଜିଷ୍ଟର୍ରେ ତାଙ୍କ ନାମ ତଳେ ଥିବାରୁ ବିଧାୟିକା ଭୀଷଣ ଭାବେ ରାଗିଯାଇ ତାହାକୁ ଚିରି ଦେଇଥିଲେ। ତାଙ୍କ ନାମ ସବା ଉପରେ ଲେଖାଯିବାକୁ ତାଗିଦ କରିଥିଲେ। ତାଙ୍କ କ୍ରୋଧ ସେତିକିରେ ଥମି ନଥିଲା, ସେ ଚେତାବନୀ ଦେଇ କହିଥିଲେ ଯେ ତାଙ୍କ କଥା ଅଧିକାରୀ ବା କର୍ମଚାରୀମାନେ ନ ମାନିଲେ ସେମାନଙ୍କୁ ସେ ଉଠ୍ବସ୍ କରାଇବେ। ତାଙ୍କର ଏଭଳି ଆଚରଣ ରାଜେନୖତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।