ଏସ୍‌ସିବିରେ ଭର୍ତ୍ତି ଦମ୍ପତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପୁନେ ପଠାଗଲା

କଟକ : କରୋନା ସନ୍ଦେହରେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା କାନପୁରର ଦମ୍ପତିଙ୍କ ରକ୍ତ ଓ ଲାଳର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏହି ନମୁନା ବୁଧବାର ସକାଳେ ସଂଗ୍ରହ କରାଯାଇ ଭୁବନେଶ୍ବର ଆର୍‌ଏମ୍‌ଆର୍‌ସି ମାଧ୍ୟମରେ ପୁଣେସ୍ଥିତ ନାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ସେମାନଙ୍କ ରକ୍ତ ଓ ଲାଳ ପରୀକ୍ଷା ପାଇଁ ପଠାଯିବ ବୋଲି ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ଅନ୍ୟପଟେ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ କର୍ମଚାରୀମାନେ ପିପିଇ କିଟ୍‌ ପିନ୍ଧି ଉକ୍ତ ସନ୍ଦିଗ୍ଧ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଚୀନ୍‌ରୁ ଆସିଥିବା କେମେଷ୍ଟାର୍‌ ସେଲର୍‌ ନାମକ ଜାହାଜରେ ଦ୍ବିତୀୟ ଇଂଜିନିଅର ଭାବେ କାର୍ଯ୍ୟରତ ଉତ୍ତରପ୍ରଦେଶ କାନପୁର ଅଞ୍ଚଳର ଦମ୍ପତିଙ୍କୁ କରୋନା ସଂକ୍ରମଣ ସନ୍ଦେହ କରାଯାଇଥିଲା। ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସ୍ବାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ସଂପୃକ୍ତ ଇଂଜିନିୟର୍‌ ଦମ୍ପତିଙ୍କୁ ଅଧିକ ଚିକିତ୍ସା ପାଇଁ ଏସ୍‌ସିବିକୁ ପଠାଇଥିଲେ। ଏସ୍‌ସିବିରେ ଖୋଲାଯାଇଥିବା ସ୍ବତନ୍ତ୍ର କରୋନା ୱାର୍ଡରେ ଦମ୍ପତିଙ୍କୁ ପୃଥକ୍‌ ଭାବେ ରଖାଯାଇଛି। କେମଷ୍ଟାର ସେଲର ନାମକ ଏହି ଜାହାଜ ଗତମାସ ୧୦ ତାରିଖରେ ଚୀନ୍‌ରୁ ବାହାରି ୧୫ରେ ଦକ୍ଷିଣ କୋରିଆ ଓ ୨୫ରେ ସିଙ୍ଗାପୁରରୁ ଆସି ଗତ ୧ ତାରିଖରେ ପାରାଦୀପ ବନ୍ଦରରେ ପହଂଚିଥିଲା।

ସମ୍ବନ୍ଧିତ ଖବର