୬ଷ୍ଠ ଦିନରେ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର : ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ସପ୍ତମ ବେତନ କମିସନ ଲାଗୁ, ଚାକିରି ସର୍ତ୍ତାବଳୀ ପ୍ରଦାନ ସହ ସତ୍ୟପାଠ ଦେବା ଲାଗି ଜାରି ହୋଇଥିବା ଫତୁଆକୁ ପ୍ରତ୍ୟାହାର କରିବା ଜିଦରେ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ ୬ଷ୍ଠ ଦିନରେ ପହଞ୍ଚିଛି। ତଥାପି କୌଣସି ସୁଫଳ ମିଳିନି। ରାଜ୍ୟ ସରକାରଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଆଜି ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇବାକୁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏପର୍ଯ୍ୟନ୍ତ କିଛି ବି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାରୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଏହାକୁ ନିନ୍ଦା କରିଛି। ଚଳିତ ସପ୍ତାହ ସୁଦ୍ଧା ଯଦି ଦାବି ପୂରଣ କରା ନ ଯାଏ ତେବେ ସ୍କୁଲ, କଲେଜରେ ତାଲା ପଡ଼ିବ ବୋଲି ମିଳିତ ମଞ୍ଚର ଆବାହକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ମହାନ୍ତି, ପବିତ୍ର ମହାଲା, ଗୋଲକ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

ଆନ୍ଦୋଳନ ବ୍ୟାପକ ହେଉଥିଲେ ମଧ୍ୟ ଗଣଶିକ୍ଷା କିମ୍ବା ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଆଗକୁ ହାଇସ୍କୁଲ ଓ ଯୁକ୍ତ୨ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ମଧ୍ୟ ଚିନ୍ତାରେ ରହିଛନ୍ତି। ଏପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କାର୍ଯ୍ୟରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଛନ୍ତି। ଏଭଳି ଧମକକୁ ମିଳିତ ମଞ୍ଚ ବିରୋଧ କରିବା ସହ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ମଞ୍ଚ ଆଜି ପୁଣିଥରେ ସ୍ପଷ୍ଟ କରିଛି। ସର୍ବଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘର ଉପସଭାପତି ଏନ୍‌. ନାରାୟଣନ୍‌ ଆଜି ମିଳିତ ମଞ୍ଚର ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି। ଦାବି ପୂରଣ ନ ହେଲେ ଶିକ୍ଷକ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର