ଜଳୁଛି ଅଧା ଓଡ଼ିଶା : ତାତି ଆହୁରି ୪୮ ଘଣ୍ଟା/୧୭ ଜିଲ୍ଲାର ୧୦୬ ବ୍ଲକକୁ ରେଡ୍‌ ଆଲର୍ଟ

ରାତିର ତାପମାତ୍ରା ବି ୩୦ ଡିଗ୍ରି ଡେଇଁଲା, ଆହୁରି ସପ୍ତା‌ହେ ବିଳମ୍ବ ହେବ ମୌସୁମୀ

ଭୁବନେଶ୍ବର : ସକାଳ ୮ଟାରୁ ଆକାଶରୁ ଖସୁଛି ନିଆଁ ପିଣ୍ଡୁଳା। ସକାଳ ୧୦ଟା େବଳକୁ ସ୍ଥିତି ଅସମ୍ଭାଳ। ଡହଡହ ଖରାରେ ଘରୁ ପଦାକୁ ବାହାରି ହେଉନି। ମଧ୍ୟାହ୍ନ ବେଳକୁ ରାସ୍ତାରେ ମରୀଚିକା ସୃଷ୍ଟି ହେଉଛି। ଅପରାହ୍‌ଣ ୫ଟା ଯାଏଁ ରାସ୍ତାଘାଟ ଶୂନଶାନ୍‌। ଯେଉଁ ସମୟରେ ଓଡ଼ିଶାରେ ମୌସୁମୀ ବର୍ଷା ହେବା କଥା, ସେତେବେଳେ ଏଭଳି ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ।

ଦିନ ତ ଦିନ, ରାତିରେ ବି ଅବସ୍ଥା ସାଂଘାତିକ ହେଲାଣି। ଚଳିତବର୍ଷ ପ୍ରଥମଥର ଲାଗି ରାତିରେ ତାପମାତ୍ରା ୩୨ଡିଗ୍ରି ଛୁଇଁଲାଣି। ଗତକାଲି ରାତିରେ ଭବାନୀପାଟଣାର ସର୍ବନିମ୍ନ ତାପମାତ୍ରା ୩୨.୫ ଡିଗ୍ରି ଥିଲା। ସମ୍ବଲପୁରରେ ଅନୁରୂପ ଭାବେ ସର୍ବନିମ୍ନ ତାପମାତ୍ରା ୩୧.୪, ଟିଟିଲାଗଡ଼ରେ ୩୦ ଡିଗ୍ରି ଛୁଇଁଛି। ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ଛାଡ଼ି ଅନ୍ୟ ସମସ୍ତ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ଉପରେ ରହିଛି। ଦିନରାତି ୨୪ ଘଣ୍ଟା ଏବେ ପ୍ରଚଣ୍ଡ ଗରମରେ ଲୋକେ ଡହଳବିକଳ ହେଉଛନ୍ତି। ଜୁନ୍‌ ମାସ‌ରେ ସବୁଠାରୁ ଉତ୍ତପ୍ତ ଦିନ ଆଜି ରହିଥିଲା। ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ଥିବା ବେଳେ ୬ଟି ସହରରେ ପାରଦ ୪୫ ଡିଗ୍ରି ଡେଇଁଛି। ଆଜି ବି ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫.୬ ଡିଗ୍ରି ରେକର୍ଡ କରାଯାଇଛି।

ସେପଟେ ପାଣିପାଗ ବିଶେଷଜ୍ଞ ଆକଳନ କଲେଣି କି ସପ୍ତାହେ ମଧ୍ୟରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ସମ୍ଭାବନା କ୍ଷୀଣ। ଜୁନ୍‌ ୧୭ ବେଳକୁ ଦକ୍ଷିଣ ଓଡ଼ିଶାରେ ପ୍ରାକ୍‌ ମୌସୁମୀ ବର୍ଷା ହୋଇପାରେ। ତେବେ ମୌସୁମୀ ପ୍ରବେଶ କରିବାକୁ ଜୁନ୍‌ ୨୦ ତାରିଖ ହୋଇଯାଇପାରେ। ପାଣିପାଗ ବିଭାଗ ବି ସମାନ ଆକଳନ କରିଛି। ଏବେ ମୌସୁମୀ କେରଳରେ ସ୍ଥିର ରହିଛି। ଆଗକୁ ବଢ଼ିପାରୁନି। ତେଣୁ ବିଳମ୍ବ ହେବ ବୋଲି ପାଣିପାଗ ବିଭାଗର ବୈଜ୍ଞାନିକମାନେ କହିଛନ୍ତି।

ଆସନ୍ତା ୪୮ ଘଣ୍ଟା ଭିତରେ ତାତିରୁ ନିସ୍ତାର ମିଳିବାର ସମ୍ଭାବନା ନାହିଁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ୧୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ତାତି ଜାରି ରହିବ। ୧୬ ତାରିଖଠାରୁ ପାଗରେ କିଛିଟା ପରିବର୍ତନ ଆସିପାରେ। ‌ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଢ଼େଙ୍କାନାଳ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଧା ଓ ଭଦ୍ରକ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ଜାରି କରାଯାଇଛି। ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହି ସମୟ ମଧ୍ୟରେ ପଶ୍ଚିମ, ଦକ୍ଷିଣ ଓ ଉପକୂଳର କିଛି ସ୍ଥାନରେ କାଳବୈଶାଖୀ ବର୍ଷା େହାଇପାରେ। ତେବେ ତାପମାତ୍ରା କମିବା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ।

ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା‌ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଓସ୍‌ଡମା) ପକ୍ଷରୁ ରାଜ୍ୟର ଅର୍ଧାଧିକ ଜିଲ୍ଲାର ୧୦୬ ବ୍ଲକ ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଜଗତ୍‌ସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ ଭଳି ୧୭ଟି ଜିଲ୍ଲାର ଅଧିକାଂଶ ବ୍ଲକରେ ୧୫ ତାରିଖ ଯା‌ଏ ରେଡ୍‌ ଆଲର୍ଟ ଜାରି ହୋଇଛି। ବରଗଡ଼ ଜିଲ୍ଲାର ପାଇକମାଳ, ବଲାଙ୍ଗୀର ଜିଲ୍ଲାର ଖପ୍ରା‌ଖୋଲ ଓ ସଇଁତଳା, ଢ଼େଙ୍କାନାଳ ଜିଲ୍ଲାର ଭୂବନ ଓ ଗଁଦିଆ, ସମ୍ବଲପୁରର ଜୁଜୋମରା, ସୋନପୁରର ଉଲ୍ଲୁଣ୍ଡା ବ୍ଲକରେ ବି ରେର୍ଡ ଆଲର୍ଟ ସତର୍କ ସୂଚନା ଦିଆଯାଇଛି। ଅନୁଗୁଳ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲା ଲାଗି ୟେଲୋ ଆଲର୍ଟ ଜାରି ହୋଇଛି। ଦେବଗଡ଼ ଜିଲ୍ଲା ପାଇଁ ଆଦୌ ଆଲର୍ଟ ଦିଆଯାଇ ନାହିଁ। ଆସନ୍ତା ତିନି ଦିନ ପାଇଁ ଉକ୍ତ ଜିଲ୍ଲାର ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ ୧୪ ତାରିଖ ପରେ ତାପମାତ୍ରା ସାମାନ୍ୟ କମିବ। ତେବେ ମୌସୁମୀ ଆଗମନ ପାଇଁ ଆହୁରି ସମୟ ଲାଗିବ। ୧୩ ତାରିଖରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ଆହୁରି ଦୁଇ ଡିଗ୍ରି ବଢ଼ିପାରେ। ୧୪ ତାରିଖରେ ସ୍ଥିତି ଅପରିବର୍ତ୍ତିତ ରହିବ। ୧୫ ତାରିଖରେ ସାମାନ୍ୟ କମିପାରେ। ୧୬ ତାରିଖ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ଶେଷ ଦିନ ହୋଇପାରେ। ୧୫ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଲାଗି ରହିବ। ୧୬ ଓ ୧୭ ତାରିଖରେ ବର୍ଷା ହେବା ପରେ ତାପମାତ୍ରା କମିପାରେ। ୨୦ ତାରିଖ ପରେ ତାପମାତ୍ରା ୪୦ ଡିଗ୍ରି ତଳକୁ ଖସିଆସିବ।

ଖୋର୍ଧା, ପୁରୀ ଓ ନୟାଗଡ଼ରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ୍‌ ୧୭ ଓ ୧୮ ତାରିଖ‌ରୁ ଦକ୍ଷିଣ ଓଡ଼ିଶାରେ ପାଗରେ ପରିବର୍ତନ ଆସିବ। ୧୭ରେ ଗଞ୍ଜାମରେ ବର୍ଷା ହେବ। ୧୮ ତାରିଖ ‌ବେଳକୁ ଦକ୍ଷିଣ କେନ୍ଦ୍ରୀୟ ଓଡ଼ିଶା, ଉପକୂଳ ଓଡ଼ିଶାରେ ହାଲକା ବର୍ଷା ହେବ। ଉତ୍ତର ଓଡ଼ିଶାରେ କୋହଲା ପାଗ ଲାଗି ରହିବ। ୧୭ ତାରିଖଠାରୁ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ। ମୌସୁମୀ ଆସିବାକୁ ଆହୁରି ଏକ ସପ୍ତାହ ଲାଗିଯିବ ବୋଲି ସେ ଆକଳନ କରିଛନ୍ତି।

ସମ୍ବନ୍ଧିତ ଖବର