ପୁଣି ୧୦ କରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୧୯

ଭୁବନେଶ୍ୱର: ରାଜ୍ୟରେ ଆଜି ସନ୍ଧ୍ୟାରେ ପୁଣି ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ୭ ଜଣ ହୋଇଥିବା ବେଳେ ଅନ୍ୟ ୩ ଜଣ ହେଉଛନ୍ତି ଭୁବନେଶ୍ୱରର ବାସିନ୍ଦା । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୯ରେ ପହଞ୍ଚିଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୪୩, ୪୮, ୨୫, ୨୯, ୩୯, ୨୫ ଓ ୬୦ ବର୍ଷ । ଏହି ସମସ୍ତ ଆକ୍ରାନ୍ତ ଏମାନେ ସମସ୍ତେ ସୁରତରୁ ଫେରିଛନ୍ତି। ଗଂଜାମରେ ଆଜି ସକାଳୁ ମଧ୍ୟ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏଯାଏଁ ଗଂଜାମ ଜିଲ୍ଲାରୁ ମୋଟ ୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ।

ସେହିଭଳି ଭୁବନେଶ୍ୱର (ଖୋର୍ଦ୍ଧା ଜିଲ୍ଲା)ରୁ ଆଜି ସନ୍ଧ୍ୟାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ହେଲେ ମଂଚେଶ୍ୱର ଅଂଚଳର ୩୬ ବର୍ଷିଅ ଯୁବକ, ଭିଏସ୍ଏସ୍ ନଗର ଅଂଚଳର ୩୪ ବର୍ଷିଅ ଯୁବକ ଓ ସୂର୍ଯ୍ୟନଗର ଅଂଚଳର ୬୭ ବର୍ଷିଅ ବୃଦ୍ଧ । ଏମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ପ୍ରଶାସନ ତରଫରୁ ତାହାର କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି । ଖୋର୍ଦ୍ଧା ଜିଲ୍ଲାରେ ଏ ପର୍ଯ୍ୟନ୍ତ ୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣ ଜୀବନ ହାରିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୦ ହଜାର ୫୧୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୮ଟି ଜିଲ୍ଲାରୁ ମୋଟ ୨୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ ଜଣ, ଗଂଜାମ ଜିଲ୍ଲାରୁ ୨୮ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ମୟୂରଭଂଜ ଜିଲ୍ଲାରୁ ୪ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୫୫ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ସମ୍ବନ୍ଧିତ ଖବର