ଜଗନ୍ନାଥଙ୍କ ଆଗରେ କାନ ଧରି ଭୁଲ ମାଗିଲେ ଟେଣ୍ଟହାଉସ୍ ମାଲିକ

ବାଲେଶ୍ବର: ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କୁ ଏ ଫଟୋ ବିଚଳିତ କରୁଥିବ ନିଶ୍ଚୟ। ବିଶ୍ବନିୟନ୍ତାଙ୍କ ପ୍ରତିକୃତିକୁ ଏମିତି ଗାଡ଼ିରେ ଲଦି ନେବାକୁ କେହି ସହଜରେ ହଜମ କରିପାରିବେନି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲାରେ।

ନିକଟରେ ଗଣେଶ ପୂଜା ସରିଛି। ବାଲେଶ୍ବର ସହର ଫକୀରମୋହନ ଗୋଲେଇ ନିକଟରେ ରଥ ଆକୃତିର ଏକ ତୋରଣ ତିଆରି ହୋଇଥିଲା। ଏହାକୁ ଜଳେଶ୍ବର ଅଞ୍ଚଳର ଏକ ଟେଣ୍ଟହାଉସ୍‌ ନିର୍ମାଣ କରିଥିଲା। ଯେଉଁଠି ସୋଲରେ ପ୍ରସ୍ତୁତ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ଲାଗିଥିଲା। ତେବେ ପୂଜା ପରେ ତୋରଣରେ ବ୍ୟବହାର ହୋଇଥିବା ବାଉଁଶ, କନା ଓ ଅନ୍ୟ ଜିନିଷ ସହ ଶ୍ରୀଜଜନ୍ନାଥଙ୍କ ପ୍ରତିକୃତିକୁ ଟେଣ୍ଟହାଉସ୍ ମାଲିକ ଗାଡ଼ିର ଡାଲାରେ ବାନ୍ଧି ନେଉଥିଲେ। ତେବେ ଏହି ସମୟର ଦୃଶ୍ୟକୁ ଜଣେ କାର୍‌ ଚାଳକ ଦେଖି ଭିଡିଓ ଉତ୍ତୋଳନ ସହ ବିରୋଧ କରିଥିଲେ। ଗାଡ଼ିରେ ଥିବା ସଂପୃକ୍ତ‌ ଟେଣ୍ଟହାଉସ୍‌ କର୍ମଚାରୀଙ୍କୁ ତାଗିଦ କରାଯାଇଥିଲା।

ଗାଡ଼ି ଡାଲାରେ ଶ୍ରୀଜଗନ୍ନା‌ଥଙ୍କୁ ବାନ୍ଧି ‌ନେବାର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବସ୍ତା କଂଗ୍ରେସ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଥିଲା। ଦଳର ଏକ ପ୍ରତିନିଧି ମଣ୍ଡଳୀ ବସ୍ତା ଥାନାକୁ ଯାଇ ସଂପୃକ୍ତ ‌ଟେଣ୍ଟହାଉସ୍‌ ମାଲିକଙ୍କ ନାମରେ ଏତଲା ଦେଇଥିବା ଯୁବନେତା ସୁଧାଂଶୁ ଶେଖର ଜେନା କହିଛନ୍ତି।

ଅନ୍ୟପଟେ ଘଟଣାର ସମ୍ବେଦନଶୀଳତାକୁ ଟେଣ୍ଟହାଉସ୍‌ ମାଲିକ ଓ କର୍ମଚାରୀମାନେ ଦୃଦୟଙ୍ଗମ କରିଛନ୍ତି। ସେମାନଙ୍କ ନିଜ ଭୁଲ୍‌ ବୁଝିଛନ୍ତି। ଫଳରେ ସମସ୍ତେ ଜଳେଶ୍ବର ଇସ୍କନ ମନ୍ଦିରକୁ ଯାଇଛନ୍ତି। ସେଠାରେ ଦୀପ ଜାଳିଛନ୍ତି। ଆଉ କାଳିଆ ଠାକୁରଙ୍କ ପାଖରେ କାନ ଧରି କ୍ଷମା ପ୍ରାର୍ଥନା କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର