ସମ୍ବଲପୁର ସ୍ଥିତି ଅନୁଧ୍ୟାନ କଲେ ବିଜେପିର ପ୍ରତିନିଧି ଦଳ    

ସମ୍ବଲପୁର: ଗତ ୧୨ ତାରିଖ‌ରେ ଯେଉଁ ଅଭାବନୀୟ ଘଟଣା ଘଟିଲା, ସମ୍ବଲପୁରରେ ସେଭଳି କେବେ ଘଟିନଥିଲା। ଜଣେ ବିଚାରପତିଙ୍କ ଦ୍ବାରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମଗ୍ର ଘଟଣାର ତଦନ୍ତର ଆବଶ୍ୟକତା ରହିଛି। କେଉଁ ପରିସ୍ଥିତିରେ ଓ ଏଥିପାଇଁ କେଉଁମାନଙ୍କର ଭୂମିକା ରହିଥିଲା, ଏଥିରୁ ତାହା ସ୍ପଷ୍ଟ ହୋଇଯିବ। ଏବେ ସମ୍ବଲପୁରରେ ଭୟର ବାତାବରଣ ଲାଗିରହିଛି। ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ସକାରାତ୍ମକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଆଜି ଏଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ସାମ୍ବାଦିକମାନଙ୍କୁ କହିଛନ୍ତି।

ଆଇନଜୀବୀଙ୍କ ଆନ୍ଦୋଳନକୁ କେନ୍ଦ୍ର କରି ସୃଷ୍ଟ ସ୍ଥିତି ଅନୁଧ୍ୟାନ ପାଇଁ ସମ୍ବଲପୁର ଆସିଥିବା ବିଜେପିର ସାଂସଦ ଓ ବିଧାୟକମାନଙ୍କର ଏକ ପ୍ରତିନିଧି ଦଳ ପକ୍ଷରୁ ଆଜି ଅପରାହ୍‌ଣରେ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଲେ, ଗତ ୧୨ ତାରିଖର ଘଟଣା ପରେ ପୁଲିସ ଯେଉଁଭଳି କାର୍ଯ୍ୟାନୁଷ୍ଠାନ କରୁଛି, ତାହାକୁ ନେଇ ଗତ ୫୦ ବର୍ଷ ଧରି ଚାଲିଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନର ଯେଉଁ ନାଗରିକମାନେ ପୁରୋଧା ଥିଲେ, ସେମାନେ ଏବେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସମଗ୍ର କଚେରି ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଛି। କୋର୍ଟକୁ ଓକିଲ ଓ ମହକିଲ ନିର୍ଭୟରେ ଯାତାୟାତ ନିମ‌ନ୍ତେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବିଚାରପତିଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ।

ଏବେ ୧୪୪ ହଟାଇବା ଦରକାର। ବହୁ ଆଇନଜୀବୀ ଏବେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପୁଲିସ ଗିରଫ ପରେ ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ପିଟିଥିବା ଅଭିଯୋଗ ହୋଇଛି। ଆଜି ଜେଲ୍‌ରେ ଗିରଫ ସମ୍ବଲପୁର ଓକିଲ ସଂଘର ନେତା ଓ ସିଏସିର ନେତାମାନଙ୍କୁ ଭେଟିବା ସମୟରେ ଏକଥା ସାମ୍‌ନାକୁ ଆସିଛି। ଏବେ ସ୍ଥିତି ଏମିତି ରହିଛି ଯେ ଯେଉଁ ଓକିଲମାନେ ନିଷ୍ପତ୍ତି ନେଇପାରିବେ, ସେମାନେ ଏବେ ଜେଲ୍‌ ଭିତରେ ଅଛନ୍ତି ଏବଂ ଯେଉଁମାନ‌େ ନିଷ୍ପତ୍ତି ନେଇପାରିବେ ନାହିଁ, ସେମାନେ ବାହାରେ ଅଛନ୍ତି। କୌଣସି ନିଷ୍ପତ୍ତି ନେବାକୁ ହେଲେ ଜେଲ୍‌ ଭିତରେ ଥିବା ଓକିଲମାନେ ବାହାରିବା ନିହାତି ଜରୁରି। ଗିରଫ ଓକିଲଙ୍କୁ ସେମାନଙ୍କ ପରିବାରବର୍ଗକୁ ଭେଟିବାକୁ ଦିଆଯାଉ ନାହିଁ। ସେମାନଙ୍କୁ ଭେଟିବା ପାଇଁ ଆମକୁ ବି ବହୁତ କସରତ କରିବାକୁ ପଡ଼ିଛି। ପୁଲିସ ଆଇଜି, ଜେଲ୍‌ ଅଧୀକ୍ଷକ, ଅତିରିକ୍ତ ମହାନିର୍ଦ୍ଦେଶକ(ଜେଲ୍‌)ଙ୍କ ପରେ ଏପରିକି ମହାନିର୍ଦ୍ଦେଶକ(ଜେଲ୍‌)ଙ୍କ ସହିତ ବି ଏନେଇ କଥା ହେବାକୁ ପଡ଼ିଲା। ସମ୍ବଲପୁରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ଆଗକୁ ହାତ ବଢ଼ାଇବାକୁ ହେବ। ରାଜ୍ୟ ସରକାର ଯଦି ଏ ଦିଗରେ ସକାରାତ୍ମକ ପଦକ୍ଷେପ ନନିଅନ୍ତି, ଗଣତନ୍ତ୍ରର ସୁରକ୍ଷା ନେଇ ପ୍ରଶ୍ନବାଚୀ ଉଠିବା ସ୍ବାଭାବିକ। ଆଉ ଏଥିପାଇଁ ଓଡ଼ିଶାବାସୀ କେ‌ବେ ବି ସରକାରଙ୍କୁ କ୍ଷମା ଦେବେନାହିଁ।

ସାଂସଦ ଶ୍ରୀ ପୂଜାରୀ ଆହୁରି କହିଲେ, ଆଜି ଉତ୍ତରାଂଚଳ ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ପୁଲିସ ଆଇଜି, ଜିଲ୍ଲାପାଳ, ଏସ୍‌ପିଙ୍କ ସହିତ ଆଲୋଚନା ସମୟରେ ଆଉ ଗିରଫଦାରୀ ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଜିଲ୍ଲା ଜଜ୍‌ ଓ ଅନ୍ୟ ବିଚାରପତିମାନଙ୍କ ସହିତ ଆଲୋଚନା ସମୟରେ ‌ସେଦିନର ଘଟଣାକୁ ସେମାନେ ବି ଭୁଲିଗଲେଣି ବୋଲି ପ୍ରକାଶ କରିଥିବାରୁ ନୂଆବର୍ଷରେ ସ୍ବାଭାବିକ ସ୍ଥିତି ଫେରି ଆସିବ ବୋଲି ଆମେ ଆଶାବାଦୀ ରହିଛୁ। ମାନ୍ୟବର ସୁପ୍ରିମ କୋର୍ଟଙ୍କ ଆଦେଶ ଉପରେ ଏକ ରିଭ୍ୟୁ ପିଟିସିନ୍ ପକାଇବା ଉପରେ ବି ଗୁରୁତ୍ବ ଦିଆଯାଉଛି। ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ‌ ଯେଉଁ ପୂର୍ଣ୍ଣାଂଗ ପ୍ରସ୍ତାବ ଆବଶ୍ୟକ, ତାହା କେନ୍ଦ୍ରକୁ ପଠାଯାଇ ନାହିଁ।

ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଯାହା କିଛି ଦରକାର, ବିଜେପି ନିଶ୍ଚିତ ଭାବେ ‌ସେ ଦିଗରେ ପଦକ୍ଷେପ ନେବ। ଆମେ କେନ୍ଦ୍ର ଆଇନ ମନ୍ତ୍ରୀ ଓ କେନ୍ଦ୍ର ଆଇନ ରାଷ୍ଟ୍ରମନ୍ତ୍ରୀଙ୍କ ସହିତ ବି ଯୋଗାଯୋଗରେ ରହିଛୁ। ରାଜ୍ୟ ସରକାର ବି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା ରହିଛି। ସ୍ଥିତି ଅନ୍ୟୁଧାନ ରିପୋର୍ଟ ବିଜେପି ରାଜ୍ୟ ଓ କେନ୍ଦ୍ର ନେତୃତ୍ବକୁ ଦିଆଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ବିଜେପିର ପ୍ରତିନିଧି ଦଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରେଂଗାଲି ବିଧାୟକ ନାଉରୀ ନାୟକ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ତଲସରା ବିଧାୟକ ଭବାନୀଶଙ୍କର ଭୋଇ ଏବଂ ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ସାମିଲ ଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ, ଟଙ୍କଧର ତ୍ରିପାଠୀଙ୍କ ସହିତ ଯଥାକ୍ରମେ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ବିଜେପି ସଭାପତି ଗିରୀଶ ପଟେଲ, ଅଶ୍ଵିନୀ ଷଡ଼ଙ୍ଗୀ ଓ ମଙ୍ଗଳ ସାହୁ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର