ସାର୍କଙ୍କ ସହ ସମୁଦ୍ର ଗର୍ଭରେ ତିସ୍ୟା ଓ ପ୍ରିୟଦର୍ଶୀ     

ସମ୍ବଲପୁର: ଦୁବାଇରେ ରହୁଥିବା ସମୁଦ୍ର ବୁଡ଼ାଳି ଓଡ଼ିଆ ବାପ,ଝିଅ ଯୋଡି ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ତିସ୍ୟା ପାଣିଗ୍ରାହୀ ଆଉ ଏକ ସ୍ମରଣୀୟ ସଫଳତା ଲାଭ କରିଛନ୍ତି। ପ୍ରିୟଦର୍ଶୀ ଏବଂ ତାଙ୍କ ୧୨ ବର୍ଷୀୟା ଝିଅ ତିସ୍ୟା ମାଳଦ୍ୱୀପଠାରେ ଯଥାକ୍ରମେ ନିଜର ୫୦ ଓ ୨୫ତମ ଡାଇଭିଂ ଅଭିଜ୍ଞତା ଲାଭ କରିଛନ୍ତି। ତେବେ ସାର୍କଙ୍କ ମେଳରେ ସମୁଦ୍ରର ଗଭୀରତା ମାପିବା ଏହି ଡାଇଭ୍‌ରେ ସେମାନଙ୍କ  ବିଶେଷ ଅଭିଜ୍ଞତା ଥିଲା। ସୁନ୍ଦର ଧଳା ବାଲିର ବେଳାଭୂମି, ସ୍ବଚ୍ଛ ନୀଳ ରଙ୍ଗର ଜଳରାଶି ଓ ସମୃଦ୍ଧ ସାମୁଦ୍ରିକ ଜୀବନ ପାଇଁ ବେଶ ଜଣାଶୁଣା ମାଳଦ୍ୱୀପରେ ରହିଛି ୬୭୦ ମିଟର ଲମ୍ବ ଓ ୨୦୦ ମିଟର ପ୍ରସ୍ଥ ବିଶିଷ୍ଟ କ୍ଷୁଦ୍ର ଫୁଲିଢ଼ୋ ଦ୍ବୀପ, ଯାହାର ଜନସଂଖ୍ୟା ମାତ୍ର ୩୦୦। ଗତ ସପ୍ତାହରେ ଫୁଲିଢ଼ୋ ଦ୍ବୀପର ଡାଇଭ୍‌ ସାଇଟରେ ପ୍ରିୟଦର୍ଶୀ ଏବଂ ତିସ୍ୟା ଜୀବନର ସ୍ମରଣୀୟ ଡାଇଭ୍‌ କରିଥିଲେ।

ଉକ୍ତ ଡାଇଭ୍‌ର ମୁଖ୍ୟ ଆକର୍ଷଣ ଥିଲେ ଲଙ୍ଗଫିନ୍ ବାଟ୍‌ଫିସ୍‌ ଓ ବ୍ଲାକ୍‌ ଟିପ୍‌ ରିଫ୍ ସାର୍କ। ଡାଇଭ୍‌ ସମୟରେ ସବୁଠି ବହୁ ସଂଖ୍ୟାରେ ଲଙ୍ଗଫିନ୍ ବାଟ୍‌ଫିସ୍‌ଙ୍କ ଉପସ୍ଥିତି ଡାଇଭର୍‌ଙ୍କୁ ରୋମାଞ୍ଚିତ କରୁଥିଲା। ଏହି ବିଶାଳକାୟ ଜୀବମାନେ ପହଁରୁଥିବା ସମୁଦ୍ରବୁଡ଼ାଳିଙ୍କ ଦେହରେ ଘସି ହୋଇ ଚାଲି ଯାଉଥିଲେ। ତିସ୍ୟା ଓ ପ୍ରିୟଦର୍ଶୀଙ୍କ ସହ ନ୍ୟୁୟର୍କରୁ ଆସିଥିବା ମହିଳା ଡାଇଭର୍‌ କନି ଲିନ୍‌ ମଧ୍ୟ ସେଠାରେ ନିଜର ୫୦ତମ ଡାଇଭିଂ ଅଭିଜ୍ଞତା ହାସଲ କରିଥିଲେ। ସମସ୍ତ ଡାଇଭର୍‌ ୭୦ ଫୁଟ୍ ଗଭୀରତାରେ ଥିବା ଧଳା ସମୁଦ୍ର ଶଯ୍ୟା ପର୍ଯ୍ୟନ୍ତ ଯାଇ ପ୍ରବାଳ ଉପରେ ପାଦ ଥାପିଥିଲେ। ସମୁଦ୍ର ଶଯ୍ୟାରୁ ଉପରକୁ ଚାହିଁ‌ବାବେଳେ ତାଙ୍କ ମୁଣ୍ଡ ଉପରେ ଏକା ସାଂଗରେ ୩୦ରୁ ୪୦ଟି ନର୍ସ ସାର୍କ ପହଁରୁଥିବା ତାଙ୍କୁ ରୋମାଞ୍ଚିତ କରୁଥିଲା ବୋଲି ତିସ୍ୟା ନିଜ ପ୍ରତିକ୍ରିୟାରେ କହିଛନ୍ତି। ପ୍ରିୟଦର୍ଶୀ କହିଛନ୍ତି ଯେ ମାଳଦ୍ବୀପ ଏହାର ସମୃଦ୍ଧ ସାମୁଦ୍ରିକ ଜୀବନ ପାଇଁ ପ୍ରସିଦ୍ଧ। ଏହାର ସମୁଦ୍ରରେ ଥିବା ସୁନ୍ଦର ରଂଗିନ ପ୍ରବାଳ ଓ ଅଧିକ ଦୂରକୁ ଦେଖା ଯାଉଥିବା ଜଳୀୟ ସ୍ବଚ୍ଛତା ଏହି ଡାଇଭ୍‌କୁ ସ୍ମରଣୀୟ କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୦ରେ ତିସ୍ୟା ମାତ୍ର ୧୦ ବର୍ଷ ବୟସରେ ଜୁନିଅର୍ ଓପନ୍ ୱାଟର୍‌ ସ୍କୁବା ଡାଇଭର୍ ଲାଇସନ୍‌ସ ହାସଲ କରି ସର୍ବକନିଷ୍ଠ ଓଡ଼ିଆ ସମୁଦ୍ରବୁଡ଼ାଳି ହେବାର ଗୌରବ ଅର୍ଜନ କରିଥିଲେ। ସେ ମଧ୍ୟ ଚଳିତ ୨୦୨୨ ଜୁନ୍‌ରେ ନିଜ ୧୨ତମ ଜନ୍ମଦିନ ଅବସରରେ ୭୦ ଫୁଟ୍ ଗଭୀରତା ପର୍ଯ୍ୟନ୍ତ ବୁଡ଼ି ସର୍ବକନିଷ୍ଠ ଓଡ଼ିଆଭାବେ ଆଡ୍‌ଭାନ୍‌ସ ଓପନ୍ ୱାଟର୍‌ ସ୍କୁବା ଡାଇଭର୍ ଲାଇସନ୍‌ସ ଲାଭ କରିଥିଲେ। ୨୦୨୧ ଅଗଷ୍ଟ ମାସରେ ଏହି ବାପଝିଅ ଯୋଡ଼ି ୪୦ ଫୁଟ୍ ସମୁଦ୍ର ଗଭୀରତାରୁ ବିଶ୍ବବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ବାର୍ତ୍ତା ଦେଇ ଚର୍ଚ୍ଚାକୁ ଆସିଥିଲେ। ଦୁବାଇର ଏକ ବହୁରାଷ୍ଟ୍ରୀୟ କମ୍ପାନିରେ କାର୍ଯ୍ୟରତ ସମ୍ବଲପୁର ବାସିନ୍ଦା ପ୍ରିୟଦର୍ଶୀ ‌ସେଠାରେ ପରିବାର ସହ ରହୁଛନ୍ତି। ତାଙ୍କ ଝିଅ ତିସ୍ୟା ଦୁବାଇର ରାଫେଲ୍‌ସ ୱାର୍ଲଡ ଏକାଡେମୀ ସ୍କୁଲ୍‌ର ସପ୍ତମ ଶ୍ରେଣୀ ଛାତ୍ରୀ। ସେ ପୂର୍ବତନ ମନ୍ତ୍ରୀ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ଶିକ୍ଷାବିତ୍ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣି। ପ୍ରିୟଦର୍ଶୀ ଏବଂ ତିସ୍ୟାଙ୍କୁ ତାଙ୍କର ଏହି ସଫଳତା ପାଇଁ ପୂର୍ବତନ ସମ୍ବଲପୁର ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର