କୂଅରୁ ଗଳିତ ମୃତଦେହ ଉଦ୍ଧାର

କାଳିଆପାଣି: କାଳିଆପାଣି ଥାନା କାଙ୍କଡ଼ପାଳ ପଞ୍ଚାୟତ ଗରାମିଆଁ ମୁଣ୍ଡାସାହିସ୍ଥିତ ଏକ ଗଭୀର ଖୋଲାକୂଅରୁ ଆଜି ସେହି ଗାଁର ମଧୁସୂଦନ ବଦରା(୪୩)ଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ସେ ୪ ଦିନ ଧରି ନିଖୋଜ ଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁକିନ୍ଦା ଅଗ୍ନିଶମ ବାହିନୀ ସହାୟତାରେ ୪୦ ଫୁଟ ଗଭୀର କୂଅରୁ ମୃତଦେହ ଉଦ୍ଧାର କରିଥିଲା। ମଧୁଙ୍କ ପୁଅ ଅଜୟ ଥାନାରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୨/୨୩ ରୁଜୁ କରାଯାଇଛି।

ଗତ ବୁଧବାର ମଧୁ ତାଙ୍କ ଘରେ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ନାତିର ଜନ୍ମଦିନ ପାଳନ କରିଥିଲେ। ରାତିରେ ସାମାନ୍ୟ କଥାକୁ ନେଇ ଝଗଡ଼ା ହେବାରୁ ଘର ଛାଡ଼ି ପଳାଇଥିଲେ। ସେ ନିଖୋଜ ଥି‌ଲେ ମଧ୍ୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇନଥିଲା। ଏହି କୂଅ ପାଣିକୁ ୮ଟି ଆଦିବାସୀ ପରିବାର ପିଇବା ଓ ରୋଷେଇ ପାଇଁ ବ୍ୟବହାର କରିଥାନ୍ତି। ଆଜି ସକାଳେ କୂଅ ପାଣି ଅତ୍ୟଧିକ ଦୁର୍ଗନ୍ଧ ହୋଇଥିଲା। ​ପରେ ଦେଖିବାରୁ ଭାସମାନ ମୃତଦେହ ଠାବ କରିଥିଲେ। କୂଅ ପାଣି ବ୍ୟବହାର କରିଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନେଇ ସେମାନେ ଆଶଙ୍କାରେ ଅଛନ୍ତି ବୋଲି ବସ୍ତିବାସିନ୍ଦାଙ୍କ ପକ୍ଷରୁ ଦାମୁ ଗାଗରାଇ କହନ୍ତି।

ସମ୍ବନ୍ଧିତ ଖବର