ଘର ଅଧା ତିଆରି କରି ଠିକାଦାର ଧରା ଛୁଆଁ ଦେଉନି, କୁଡ଼ିଆରେ ବିତୁଛି ୪ ଜଣକ ଜୀବନ

ବୈପାରିଗୁଡା: ଘର ତିଆରି କରିଦେବାର ପ୍ରତିଶ୍ରୁତି ଦେଇ ଠିକାଦାର ଘର ଅଧା ତିଆରି କରିସାରିବା ପରେ ଏବେ ଆଉ ଧରା ଛୁଆଁ ଦେଉନାହିଁ। ଅନ୍ୟ ଦିଗରେ ନିଜ ତିନି ନାବାଳକ ପିଲାଙ୍କୁ ନେଇ କୁଡ଼ିଆ ଘରେ ଦିନ କାଟୁଛି ବିଧବା ମାଆ। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର ରତାଖଣ୍ଡି ଗ୍ରାମରେ। ଘଟଣା ଅନୁଯାୟୀ,ରତାଖଣ୍ଡି ଗ୍ରାମର ମଙ୍ଗଳା ନାୟକଙ୍କ ନାମରେ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ ଆବାସ ଗୃହ ମଞ୍ଜୁର ହୋଇଥିଲା। ତେବେ ନିର୍ଦ୍ଧିଷ୍ଟ ସମୟରେ ଘର ତିଆରି କରିଦେବାର ପ୍ରତିଶ୍ରୁତି ଦେଇ ଜନୈକ ଠିକାଦାର ମଙ୍ଗଳା ନାୟକକର ଆବାସ ଗୃହ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା। ତେବେ ଘର କାମ ସଂପୂର୍ଣ୍ଣ ହେବା ପୂର୍ବରୁ ମଙ୍ଗଳାର ମୃତ୍ୟୁ ହୋଇଯାଇଥିଲା। ଫଳରେ ମଙ୍ଗଳାର ବିଧବା ପତ୍ନୀ ବତୀ ନାୟକଙ୍କ ନାମରେ ମଂଜୁର କରାଗଲା। ତେବେ ଘର ଅଧା ତିଆରି ପରେ ଠିକାଦାର ଜଣକ ଆଉ ପାଖ ମାଡୁ ନାହିଁ। ବିଧବା ବତୀ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ କୁଡ଼ିଆଟେ କରି ନିଜର ତିନି ନାବାଳକ ପୁଅକୁ ନେଇ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛି। ତେବେ ଯେଉଁ କୁଡ଼ିଆ ଭିତରେ ଜଣେ ଲୋକ ଚଳପ୍ରଚଳ ହେବା ସହଜ ନୁହେଁ।

ସେହି କୁଡ଼ିଆରେ ଚାରିଜଣ ଅସହାୟ ଅବସ୍ଥାରେ ମାଡିମଚକି ହୋଇ ଦିନ କାଟୁଛନ୍ତି। ନାମକୁ ମାତ୍ର ଛଣ ଛପର ଘର, ଭିତରେ ବର୍ଷା ଦିନେ ଆଣ୍ଠୁଏ ପାଣି ଜମେ। ବତୀ ଦିନ ମଜୁରିଆ ଭାବେ କାମ କରି ପଲିଥିନ ଘୋଡ଼ାଇ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଛି। ତେବେ ଘରର ସ୍ଲାବ୍ ପଡିନଥିବା ସତ୍ତ୍ବେ ଏକ ଲକ୍ଷ ଟଙ୍କାର ବିଲ୍ ପ୍ରସ୍ତୁତ କରି ଠିକାଦାର ଉଠେଇ ନେଇଥିବା ଜଣାପଡ଼ିଛି। ବତୀ ନିରକ୍ଷର ଥିବାରୁ କୈାଣସି ବାହାନା ଦେଖାଇ ଟିପ ଚିହ୍ନ ନେଇ ଟଙ୍କା ଉଠାଇ ନେଇଥିବା ବତୀ ପ୍ରକାଶ କରିଛନ୍ତି। ଘର ସଂପୂର୍ଣ୍ଣ କରିବା ପାଇଁ ଠିକାଦାର ପାଖକୁ ବାରଂବାର ଦୈାଡିବା ପରେ ମଧ୍ୟ ସେ କାମ କରିବା ନାଁ ନେଉନାହିଁ।

ଶେଷରେ ଗ୍ରାମବାସୀ ମାନେ ଠିକାଦାରକୁ କାମ ଶେଷ କରିବା ପାଇଁ କହିବାରୁ ସିମେଣ୍ଟ ପାଞ୍ଚ ବସ୍ତା ସହ ଚିପ୍ସ,ବାଲି ଆଣି ପକେଇ ପୁଣି କିଛି ଦିନ ପରେ ଉଠେଇ ନେଇଯାଇଥିବା ବତୀ ତଥା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ଜିଓଟାଗ୍ ବତୀ ନିକଟରୁ ତାର ସ୍ବାମୀ ମଙ୍ଗଳା ନାଁ ରେ ରହିଥିବା ପାସବୁକ୍ ଏବଂ ଆଧାର କାର୍ଡ ନେଇଯାଇଥିବା ବତୀ ପ୍ରକାଶ କରିଛି। ଏସଂପର୍କରେ ବୈପାରିଗୁଡା ବିଡ଼ିଓଙ୍କୁ ପଚାରିବାରୁ ଏସଂପର୍କରେ କୈାଣସି ସୂଚନା ତାଙ୍କ ପାଖରେ ନାହିଁ ତଥାପି ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଘରର ଛାତ ପଡିନଥିବା ବେଳେ କେଉଁ ନିୟମ ଅନୁଯାୟୀ ଏକ ଲକ୍ଷ ଟଙ୍କାର ବିଲ୍ ପାସ୍ ହୋଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଧବା ବତୀର ଆଶାର ଘର ଯଥା ଶୀଘ୍ର ତିଆରି କରିବା ପାଇଁ ଗ୍ରାମବାସୀମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର