ସରକାରୀ ବାବୁ, ଜନପ୍ରତିନିଧି ଶୁଣିଲେନି: ଆମରି ନାଆରେ ଆମେ ନାଉରି…

ବାଉଁଶପୋଲ ତିଆରି କଲେ ଗ୍ରାମବାସୀ, କେନାଲ ପୁନରୁଦ୍ଧାର କଲେ ଯୁବଗୋଷ୍ଠୀ

ପୋଲସରା/କଳମ୍ବ : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅଧୀନ ବଡ଼ପଙ୍କଳବାଡ଼ି ପଞ୍ଚାୟତ ଚଣ୍ଡୀରାମଚନ୍ଦ୍ରପୁର ଗ୍ରାମ ପାଇଁ ଦୁଃଖ ପାଲଟିଛି ବାଘୁଆ ନଦୀ। ବର୍ତ୍ତମାନ ସୁଦ୍ଧା ପୋଲସରା ବ୍ଲକ୍ ଦେଇ ଯାଇଥିବା ବାଘୁଆ ନଦୀ ଉପରେ ୫ଟି ପୋଲ ନିର୍ମାଣ ହୋଇଛି। କିନ୍ତୁ ବ୍ଲକ୍ ସଦର ମହକୁମା ଓ ଚାଷଜମିକୁ ଆସିବା ଲାଗି ଚଣ୍ଡୀରାମଚନ୍ଦ୍ରପୁର ଗ୍ରାମବାସୀଙ୍କୁ ଏହି ନଦୀ ପାର କରିବାକୁ ପଡ଼ୁଥିବାରୁ ସେମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ୮ରୁ ୧୦ କିଲୋମିଟର ଦୂର ବୁଲି ସେମାନଙ୍କୁ ପୋଲସରା ଆସିବାକୁ ପଡ଼ୁଛି। ଫଳରେ ଏହି ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବହୁବାର ଗ୍ରାମବାସୀ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କରିଆସୁଥିଲେ। କିନ୍ତୁ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାମବାସୀ ଏକ ସପ୍ତାହ ଧରି ବିନା ମଜୁରିରେ ଶ୍ରମଦାନ କରି ବାଉଁଶ ପୋଲ ନିର୍ମାଣ କରିଛନ୍ତି।

କେନାଲ ପୁନରୁଦ୍ଧାର କଲେ ଯୁବଗୋଷ୍ଠୀ
ଘୁ.ଉଦୟଗିରି, : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚା‌ୟତର ସାରଙ୍ଗଧରପୁର ଓ ଆର୍.ପଡ଼ିକିଆ ଗ୍ରାମରୁ ମାତ୍ର ଏକ କିମି ଦୂର କଲିନାଜୁରେ ଥିବା ଡ୍ୟାମ୍‌ ଖରାପ ହୋଇଯାଇଥିବାରୁ କଲିନାଜୁ ଗ୍ରାମକୁ ୧୫ ବର୍ଷ ହେଲା ପାଣି ଆସିପାରୁନି। ମରାମତି ପାଇଁ ଅନୁଦାନ ଆସୁଥିଲେ ବି ଏହା ବିନିଯୋଗ ହେଉନଥିଲା। ଅନ୍ୟପକ୍ଷରେ ରାଜସ୍ବ ବିଭାଗ ବର୍ଷ ଶେଷ ହେବା ଆଗରୁ ଜଳକର ଆଦାୟ କରୁଛନ୍ତି। ପୂର୍ବରୁ ବହୁବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ବି କୌଣସି ସୁଫଳ ମିଳିନଥିଲା।

ଶେଷରେ, ଯୁବଗୋଷ୍ଠୀ ଶ୍ରମଦାନ କରି କେନାଲକୁ ସଫେଇ କରିବା ସହ ଏହାକୁ ମରାମତି କରିଛନ୍ତି। ଯୁବଗୋଷ୍ଠୀଙ୍କ ଏଭଳି ପ୍ରୟାସକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧିତ ଖବର