ସୋସାଇଟି ରେଜିଷ୍ଟ୍ରେସନ୍‌ ଆକ୍ଟରେ ଆସୋସିସନ୍ ପଞ୍ଜୀକରଣ ପ୍ରସଙ୍ଗ: ଓରେରା ନିର୍ଦ୍ଦେଶନାମା ଉପରେ ଅନ୍ତରୀଣ ରହିତାଦେଶ

କଟକ : ଓଡ଼ିଶା ରିଅଲ୍‌ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ଓରେରା) ପକ୍ଷରୁ ‘ଆସୋସିଏସନ୍ ଅଫ୍ ଆଲଟିଜ୍’ ପଞ୍ଜୀକରଣ ପ୍ରସଙ୍ଗରେ ୨୦୨୨, ସେପ୍ଟେମ୍ବର୍ ୨୮ରେ ଜାରି ନିର୍ଦ୍ଦେଶନାମା ଉପରେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ଏ ସଂପର୍କିତ ଜନସ୍ବାର୍ଥ ମାମଲାର ସେପ୍ଟେମ୍ବର୍‌ ୨୭ରେ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନୂଆ ଆପାର୍ଟମେଣ୍ଟ ଓନର୍‌ସିପ୍‌ ଆଇନ ପ୍ରସ୍ତୁତ କରାଯାଉଛି। ଆପର୍ଟମେଣ୍ଟ ଓନର୍‌ସିପ୍‌ ଆଣ୍ଡ୍‌ ମ୍ୟାନେଜମେଣ୍ଟ ବିଲ୍‌ ବିଧାନସଭାରେ ଉପସ୍ଥାପନ କରାଯିବ। ହାଇକୋର୍ଟରେ ଗତ ୨୭ ତାରିଖ ଦିନ ଶୁଣାଣି ପରେ ସେପ୍ଟେମ୍ବର୍‌ ୨୮ରେ ଓରେରା ପକ୍ଷରୁ ଆଲଟିଜ୍‌ ଆସୋସିଏସନ ପଞ୍ଜୀକରଣ ପ୍ରସଂ‌ଗରେ ନିର୍ଦ୍ଦେଶନାମା ଜାରି କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ରିଅଲ୍‌ ଇଷ୍ଟେଟ୍‌ (ରେଗୁଲେସନ୍‌ ଆଣ୍ଡ ଡେଭେଲପମେଣ୍ଟ) ଆଇନ, ୨୦୧୬ର ଧାରା ଅଧୀନରେ ପ୍ରମୋଟର୍‌ ଏବଂ ଆଲଟିମାନେ ଏକ ‘ଆସୋସିଏସନ୍‌ ଅଫ ଆଲଟି’ ଗଠନ କରିପାରିବେ। ଏପରି ଆସୋସିଏସନ୍‌ ସୋସାଇଟି ରେଜିଷ୍ଟ୍ରସନ୍‌ ଆକ୍ଟ ଅଧୀନରେ ପଞ୍ଜୀକରଣ ହୋଇପାରିବ। ଅନ୍ୟପଟେ ରାଜ୍ୟ ସରକାର ଯେଉଁ ଘୋଷଣାନାମା ହାଇକୋର୍ଟରେ ପୂର୍ବରୁ ଦାଖଲ କରିଥିଲେ ତାହାର ଏପରି ନିର୍ଦ୍ଦେଶ ପରିପନ୍ଥୀ ବୋଲି ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର୍‌ ୨୮ର ଓରେରା ନିର୍ଦ୍ଦେଶନାମାକୁ ଚାଲେଞ୍ଜ କରି ବିମଳେନ୍ଦୁ ପ୍ରଧାନ ଦାୟର କରିଥିବା ଅନ୍ତରୀଣ ଆବେଦନର ଆଜି ମୁଖ୍ୟ ବିଚାରପତି ଡକ୍ଟର୍‌ ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର