ସଂକ୍ରମିତ କମ୍, ସୁସ୍ଥ ଅଧିକ: ୫ ଜିଲ୍ଲାରୁ ୨୩ ପଜିଟିଭ୍ ଚିହ୍ନଟ, ଯାଜପୁରରୁ ସୁସ୍ଥ ହେଲେ ୩୧

ସମ୍ ହସ୍ପିଟାଲରେ କରୋନା ପରୀକ୍ଷାକୁ ଅନୁମତି

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫ଟି ଜିଲ୍ଲାରୁ ହିଁ ଏ ସମସ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଯଦିଓ ଗଞ୍ଜାମ ଜିଲ୍ଲାରୁ ଆଜି ମାତ୍ର ୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ତଥାପି ସର୍ବାଧିକ ୧୫୮ଜଣ ସଂକ୍ରମିତ ବ୍ୟକ୍ତିଙ୍କ ସହ ଗଞ୍ଜାମ ଜିଲ୍ଲା ରାଜ୍ୟରେ ୧ ନମ୍ବର ସ୍ଥାନରେ ରହିଛି। ଯାହାଫଳରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୪୩୭ରେ ପହଞ୍ଚିଛି। ଏହାସହ ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩୧ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଆଜିକୁ ମିଶାଇ ରାଜ୍ୟରେ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ଯାଜପୁର ଜିଲ୍ଲାର ୩୧ଜଣ ସଂକ୍ରମିତ ଆଜି ଏକକାଳୀନ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଆଜି ସମ୍ ହସ୍ପିଟାଲକୁ କୋଭିଡ ନମୁନା ପରୀକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ସକାଳେ ଦିଆଯାଇଥିବା ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲାରୁ ୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରୁ ୧୩ଜଣ ସୁରତ ଫେରନ୍ତା ହୋଇିବା ବେଳେ ଜଣଙ୍କର ପଶ୍ଚିମବଙ୍ଗ ଲିଙ୍କ ରହିଛି। ବେଳେ ଗଞ୍ଜାମ ଓ ଯାଜପୁରରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩ଜଣ ପଶ୍ଚିମବଙ୍ଗ ଫେରନ୍ତା। ବୌଦ୍ଧ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୬୪ରେ ପହଞ୍ଚିଥିବା ବେଳେ ବାଲେଶ୍ବରରେ ୫୭, ବୌଦ୍ଧ ଓ ପୁରୀ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ତେବେ ଗତକାଲି ଓ ଆଜିକୁ ମିଶାଇ ରାଜ୍ୟରେ ୪୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତହିଁରୁ ୪୨ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଛନ୍ତି। ୨ଜଣ ସଂକ୍ରମଣ ଅବରୋଧ ଅଞ୍ଚଳ ଓ ୨ଜଣ ଏହି ଦୁଇ ସ୍ଥାନ ବାଦ୍ ଚିହ୍ନଟ କରାଯାଇଛି। ଆଜି ରାଜ୍ୟରେ କୌଣସି ନୂତନ ଜିଲ୍ଲା କରୋନା ସଂକ୍ରମିତ ତାଲିକାରେ ସାମିଲ ହୋଇନାହିଁ। ରାଜ୍ୟର ଏବେ ୨୧ଟି ଜିଲ୍ଲା କରୋନା କବଳରେ ରହିଛି। ଗଞ୍ଜାମ ଜିଲ୍ଲାରେ ୩୬.୨, ଯାଜପୁରରେ ୧୪.୬ ଓ ବାଲେଶ୍ବରରେ ୧୩ ପ୍ରତିଶତ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ୬୩ ପ୍ରତିଶତ ସଂକ୍ରମିତରାଜ୍ୟର କେବଳ ଏହି ୩ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ରାଜ୍ୟରେ ସଂକ୍ରମିତଙ୍କ ମଧ୍ୟରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଯଥେଷ୍ଟ ତାରତମ୍ୟ ରହିଛି। ୪୩୭ ସଂକ୍ରମିତଙ୍କ ମଧ୍ୟରୁ ୩୭୫ଜଣ ପୁରୁଷ(୮୫.୮%) ଥିବା ବେଳେ ୬୨ଜଣ ମହିଳା(୧୪.୨%) ରହିଛନ୍ତି। ଏହାସହ ୧୫-୪୦ବର୍ଷର ବୟସ୍କ ରାଜ୍ୟରେ ୨୭୪ଜଣ ଚିହ୍ନଟ ହୋଇଥିବା ବେଳେ ୪୧-୬୦ବର୍ଷର ୧୨୧ଜଣ, ୦-୧୪ବର୍ଷର ୧୪ଜଣ ଓ ୬୦ବର୍ଷରୁ ଉର୍ଧ୍ବ ବ୍ୟକ୍ତିଙ୍କ ସଂଖ୍ୟା ୨୮ରେ ପହଞ୍ଚିଛି। ରାଜ୍ୟ‌ରେ ଏ ପର୍ଯ୍ୟନ୍ତ ୬୮,୦୫୭ କୋଭିଡ ନମୁନା ପରୀକ୍ଷା କରାଯାଇଛି। ୩୪୯ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଥିବା ବେଳେ ରାଜ୍ୟରେ କରୋନା ସଂକ୍ରମଣ ହାର ୦.୬୪ ପ୍ରତିଶତ ରହିଛି। ୪୯୪ଜଣ ରାଜ୍ୟରା ବିଭିନ୍ନ ଡାକ୍ତରଖାନାରେ ପୃଥକବାସରେ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କୋଭିଡ ନମୁନା ପରୀକ୍ଷା ପାଇଁ ଆଇଏମ୍‌ଏସ୍‌ ଓ ସମ୍ ହସ୍ପିଟାଲକୁ ଆଇସିଏମ୍‌ଆର ପକ୍ଷରୁ ଅନୁମତି ଦିଆଯାଇଛି। ସମ୍ ହସ୍ପିଟାଲର ମଲିକ୍ୟୁଲାର ଆରଏନ୍‌ଏ ଭିରୋ‌ଲୋଜି ପରୀକ୍ଷାଗାରରେ କୋଭିଡ ନମୁନା ପରୀକ୍ଷା ହେବ। ଚଳିତବର୍ଷ ସମ୍ ହସ୍ପିଟାଲର ମଲିକ୍ୟୁଲାର ଆରଏନ୍‌ଏ ଭିରୋଲୋଜି ପରୀକ୍ଷାଗାରକୁ ଏନ୍‌ଏବିଏଲ ପକ୍ଷରୁ ଅନୁମତି ମିଳିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଦିନକୁ ୩ଶହ ନମୁନା ପରୀକ୍ଷା ‌କରାଯିବ ବୋଲି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ‌କୋଭିଡ ନମୁନା ପରୀକ୍ଷାଗାର ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର