ସୁବର୍ଣ୍ଣରେଖାରେ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମା ନିର୍ଦ୍ଧାରଣ ବୈଠକ ଭେଳିକି: କଂଗ୍ରେସ

ଭୁବନେଶ୍ବର: ବର୍ଷ ବର୍ଷ ଧରି ସୁବର୍ଣ୍ଣରେଖା ନଦୀରୁ ପଶ୍ଚମବଙ୍ଗ ବାଲି ଉତ୍ତୋଳନ କରିଆସୁଛି। ଏ ନେଇ ରାଜ୍ୟ ସରକାର ଚୁପ୍‌ ରହିଲେ। ୨୦୧୭ ଅଗଷ୍ଟ ୩୧ ତାରିଖରେ ଏହି ବିବାଦ ନ୍ୟାସନାଲ ଗ୍ରିନ ଟ୍ରିବ୍ୟୁନାଲ(ଏନ୍‌ଜିଟି)କୁ ଯାଇଥିଲା। ଉଭୟ ରାଜ୍ୟ ମଧ୍ୟରେ ସୀମା ନିର୍ଦ୍ଧାରଣ କରି ଆଗକୁ ଯେପରି ବାଲି ଉତ୍ତୋଳନ ନ ହୁଏ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଏନ୍‌ଜିଟି ୨୦୧୮ ସେପ୍ଟେମ୍ବର ୪ ତାରିଖରୁ ରାୟ ଦେଇଥିଲେ। କିନ୍ତୁ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଲେ। ଏବେ ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁଛି। ସରକାର ସୀମା ନିର୍ଦ୍ଧାରଣ ପାଇଁ ବୈଠକ କରି କେବଳ ଭେଳିକି ଦେଖାଉଛନ୍ତି। ଆଜି କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି ଦଳୀୟ ନେତା ସୁଦର୍ଶନ ଦାସ।

ଶ୍ରୀ ଦାସ କହିଛନ୍ତି ଯେ ସୁବର୍ଣ୍ଣରେଖାର ଓଡ଼ିଶା ସୀମା ଭିତରକୁ ପଶି ବେଆଇନ ଭାବେ ପଶ୍ଚିମବଙ୍ଗ ମାଫିଆ ବାଲି ଉତ୍ତୋଳନ କରୁଥିବା ନେଇ ସେ ୨୦୧୭ ମସିହାରେ ଏନ୍‌ଜିଟିରେ କେସ୍‌ ଦାୟ କରିଥିଲେ। ବିଚାରପତି ଆଦର୍ଶ କୁମାର ଗୋଏଲଙ୍କ ଅଧ୍ୟକ୍ଷତାରେ ଗଠିତ ୪ ଜଣିଆ ଖଣ୍ଡପୀଠ ଏହି ମାମଲରା ବିଚାର କରି ୨୦୧୮ରେ ୨୩ ପୃଷ୍ଠା ସମ୍ବଳିତ ଏକ ରାୟ ଶୁଣାଇଥିଲେ। ଏହା ଏକ ଐତିହାସିକ ରାୟ ଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଓଡ଼ିଶା ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ବେଆଇନ ବାଲି ଉତ୍ତୋଳନ ଦ୍ବାରା ପ୍ରଭାବିତ ହୋଇଥିବା ଲୋକ ଓ ନଦୀ ପରିବେଶ ସଂକ୍ରାନ୍ତ କ୍ଷୟକ୍ଷତିକୁ ଆକଳନ କରି କ୍ଷତିଭରଣା କରିବାକୁ ଟ୍ରିବ୍ୟୁନାଲ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଜିଟିର ଖଣ୍ଡପୀଠ ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ଯେ, ଏହି ରାୟ ପ୍ରକାଶ ପାଇବାର ୩ ମାସ ଭିତରେ ଉଭୟ ରାଜ୍ୟ ସେମାନଙ୍କର ସୀମା ନିର୍ଦ୍ଧାରଣ କରିବେ। ସୀମବର୍ତ୍ତୀ ଅଞ୍ଚଳରେ ବାଲି ଖନନକୁ ତୁରନ୍ତ ବନ୍ଦ କରିବାକୁ ମଧ୍ୟ ଏନ୍‌ଜିଟି ରାୟ ଦେଇଥିଲେ। କିନ୍ତୁ ୩ ବର୍ଷ ବିତିଗଲାଣି, ଏ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ହୋଇପାରିଲାନି। ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏବେ ବି ସୁବର୍ଣ୍ଣରେଖାରୁ ବେଧଡ଼କ ଭାବେ ବାଲି ଉତ୍ତୋଳନ ଚାଲିଛି।

ଗତ ଫେବ୍ରୁଆରି ୨୫ ତାରିଖରେ ଦୁଇ ରାଜ୍ୟର ଜିଲ୍ଲା ସ୍ତରୀୟ ଅଫିସର ଓ ବିଶେଷଜ୍ଞମାନଙ୍କର ବୈଠକ ହୋଇଥିଲା। ଏଥିରେ ସୀମାବିବାଦ ସଂକ୍ରାନ୍ତ ଆବଶ୍ୟକ ଟର୍ମ ଅଫ୍‌ ରେଫରେନ୍‌ସ୍‌ ନିରୁପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଓଡ଼ିଶାର ୩୦ଟି ଓ ପଶ୍ଚିମବଙ୍ଗର ୫୨ଟି ରେଫରେନ୍‌ସ୍‌ ପଏଣ୍ଟ୍‌ ଉପରେ ବିଚାର ବିମର୍ଶ କରି ଚୂଡ଼ାନ୍ତ କରିବା ପାଇଁ ମଙ୍ଗଳବାର ବାଲେଶ୍ବରରେ ଆଉ ଏକ ଅଫିସର ସ୍ତରୀୟ ବୈଠକ ବସିଛି। ୨୦୧୫ ମସିହାରୁ ଅଫିସର ସ୍ତରୀୟ ବୈଠକ ବସି ଆସୁଛି। ମାତ୍ର ଏପର୍ଯ୍ୟନ୍ତ କିଛି ଫଳ ମିଳିନାହିଁ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆଲୋଚନା କଲେ ଏହି ବିବାଦର ସମାଧାନ ବାହାରିପାରନ୍ତା। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେଥିପ୍ରତି ଗୁରୁତ୍ବ ଦେଇନାହାନ୍ତି ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। କୋଟିଆ ବିବାଦ ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଥିବାବେଳେ ସୁବର୍ଣ୍ଣରେଖା ବାଲି ଉତ୍ତୋଳନକୁ ନେଇ ପଶ୍ଚିମବଙ୍ଗ ସହ ସୀମା ବିବାଦ ରାଜ୍ୟ ସରକାରଙ୍କ ଅପାରଗତାକୁ ଦର୍ଶାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର