ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର: ଦୁଇଜଣ ନାବାଳିକା ଦୁଷ୍କର୍ମକାରୀକୁ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍ ଶୁଭଶ୍ରୀ ତ୍ରିପାଠୀ ୨୦ ବର୍ଷ ଲେଖା‌ଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୮ ମାର୍ଚ୍ଚ ୨୫ ତାରିଖରେ ବାମେବାରୀ ଥାନା ଖଣ୍ଡବନ୍ଧ ଗ୍ରାମର ଜଣେ ନାବାଳିକା ତାଙ୍କ ସାଙ୍ଗ ସହ କୌଣସି ଏକ ସ୍ଥାନକୁ ଯିବାକୁ ମୋବାଇଲରେ କଥା ହୋଇଥିଲେ। ଖଣ୍ଡବନ୍ଧ ଛକରେ ଥିବା ‌ନନା ଦୋକନ ନିକଟରେ ଅପେକ୍ଷା କରିବାକୁ ନାବାଳିକାଙ୍କୁ ତାଙ୍କ ସାଙ୍ଗ କହିଥିଲେ। ନାବାଳିକା ଜଣଙ୍କ ସେଠାରେ ଅପେକ୍ଷା କରିଥିବା ବେଳେ ଗୋଟିଏ ଡମ୍ପର ପହଞ୍ଚିଥିଲା।

ଡ୍ରାଇଭର କାଳିଆ ଲୋହାର (୨୫) ଓ ହେଲପର୍‌ ଅଭିନାଶ ଲାଗୁରୀ (୨୨) ନାବାଳିକାଙ୍କୁ ସେଠାରୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ପଳସା ଜଙ୍ଗଲକୁ ନେଇ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ନାବାଳିକା ବହୁ କଷ୍ଟରେ ଘରକୁ ଫେରି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ଏନେଇ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ ନମ୍ବର ୪୧/୨୦୧୮ ରେ ଏକ ମାମଲା ରୁଜୁ କରି କାଳିଆ ଓ ଅଭିନାଶକୁ ଗିରଫ କରିଥିଲା। ୧୦ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଅଦାଲତ ଆଜି କାଳିଆ ଓ ଅଭିନାଶକୁ ୨୦ ବର୍ଷ ଲେଖାଏଁ କାରଦଣ୍ଡ ସହ ୫୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ଦେଢ଼ବର୍ଷ ଜେଲ୍‌। ସେହିପରି ନାବାଳିକାଙ୍କୁ ଡିଏଲ୍‌ଏସ୍‌ଏ ପକ୍ଷରୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର