ଜଳୁଛି ପୂରା ଓଡ଼ିଶା: ୪ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୨ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ତିନି ଦିନ ସ୍କୁଲ ବନ୍ଦ

ଭୁବନେଶ୍ବର: ସୂର୍ଯ୍ୟକିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୧୮ରୁ ୨୦ ତାରିଖରେ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌) ଶିଖର ଛୁଇଁବା ସହ କିଛି ଅଞ୍ଚଳରେ ୪୫ ଡିଗ୍ରିରେ ପହଞ୍ଚିବାର ସମ୍ଭାବନା ମଧ୍ୟ ରହିଛି। ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ (ସିଭିୟର୍‌ ହିଟ୍‌ୱେଭ୍‌) ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଗତକାଲି ପରି ଆଜି ମଧ୍ୟ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୩୦ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ରେକର୍ଡ କରାଯାଇଛି। ତାଳଚେରରେ ତାପମାତ୍ରା ଆଜି ୪୩.୨ ଡିଗ୍ରି ରହିଥିଲା। ଏହା ହେଉଛି ଆଜି ରାଜ୍ୟରେ ସର୍ବାଧିକ। ନୂଆପଡାରେ ୪୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ପାରଳାଖେମୁଣ୍ଡି ଓ ବୌଦ୍ଧରେ ୪୨.୮, ଅନୁଗୁଳ ଓ ନୟାଗଡ଼ରେ ୪୨.୭, ବାରିପଦାରେ ୪୨.୬, ଟିଟିଲାଗଡ଼ରେ ୪୨.୫, ଭବାନୀପାଟଣା ଓ ମାଲକାନଗିରିରେ ପାରଦ ୪୨ ଡିଗ୍ରି ରେକର୍ଡ ହୋଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ଟ୍ୱିନ୍‌ସିଟିର ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଛି। ଭୁବନେଶ୍ବରରେ ୪୧.୭ ଓ କଟକରେ ୪୧.୫ ଡିଗ୍ରି ରହିଥିଲା। ଗତକାଲି ବାରିପଦା ସହରର ତାପମାତ୍ରା ୪୩.୬ ଡିଗ୍ରି ରହିବା ସହ ଦେଶ ତଥା ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି।

୪୦ ଡିଗ୍ରି ଉପରେ ରାଜ୍ୟର ୩୦ ସହର
୨୦ରୁ ୨୩ କାଳବୈଶାଖୀ ସମ୍ଭାବନା
ଦିନରେ ତାତିବ, ଅପରାହ୍ଣରେ ଆଶ୍ବସ୍ତି

ପାଣିପାଗ କେନ୍ଦ୍ର ମୁଖ୍ୟ ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ ଆସନ୍ତା ୧୮ ଓ ୧୯ ତାରିଖରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗ୍ରୀଷ୍ମ ପ୍ରବାହରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗିରହିବାକୁ ଥିବାରୁ ୪ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ତେବେ ୨୦ରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ। ୨୧ ତାରିଖ ପର୍ଯ୍ୟନ୍ତ ଦିନ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହିବା ସହ କିଛି ସ୍ଥାନେ ୪୨ରୁ ୪୫ ଡିଗ୍ରି ଛୁଇଁପାରେ। ଦିନରେ ତାତି ସହ ଅପରାହ୍ଣରେ କାଳବୈଶାଖୀ ପ୍ରଭାବ ରହିବା ଦ୍ବାରା ତାପମାତ୍ରାରେ ସାମାନ୍ୟ ତାରତମ୍ୟ ହୋଇପାରେ। ୧୮ ତାରିଖରେ ବାରିପଦା ତାପମାତ୍ରା ୪୫ ଡିଗ୍ରି ଛୁଇଁବାକୁ ଥିବା ବେଳେ ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳରେ ୪୪ ଡିଗ୍ରି ମଧ୍ୟରେ ରହିବ। ୧୯ ତାରିଖରେ ଅଧିକାଂଶ ସ୍ଥାନରେ ପାରଦ ୪୨ରୁ ୪୫ ଡିଗ୍ରି ମଧ୍ୟରେ ରହିପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଗ୍ରୀଷ୍ମ ପ୍ରବାହ ଆଗକୁ ମଧ୍ୟ ଜାରି ରହିବ। କାଳବୈଶାଖୀର ସମ୍ଭାବନା ନାହିଁ। ସ୍ଥାନେ ସ୍ଥାନେ କେବେ କେମିତି ବର୍ଷା ହୋଇପାରେ। ମାତ୍ର ତାହା ତାପମାତ୍ରା ବୃଦ୍ଧିକୁ ପ୍ରଶମିତ କରିପାରିବ ନାହିଁ। କାଲିଠାରୁ ପଶ୍ଚିମ ଓଡ଼ିଶାରେ ତାତି ବଢ଼ିବ। ଭୁବନେଶ୍ବର ସମେତ ଉପକୂଳରେ ମଝିରେ ମଝିରେ ଅପରାହ୍ଣରେ ବର୍ଷା ହୋଇପାରେ। ଏହାଯୋଗୁ କିଛି ଆଶ୍ବସ୍ତି ମିଳିବ। ମୋଟ ଉପରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସପ୍ତାହେ ପର୍ଯ୍ୟନ୍ତ ୪୧.୫ ଡିଗ୍ରିରୁ ୪୪ ଡିଗ୍ରି ମଧ୍ୟରେ ରହିବ।

ତିନି ଦିନ ସ୍କୁଲ ବନ୍ଦ

ଭୁବନେଶ୍ବର: ଆଗକୁ ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯିବା ପରେ ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟକୁ ତିନି ଦିନ ଛୁଟି ଘୋଷଣା କରିଛନ୍ତି। ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ସମୟରେ ବିଦ୍ୟାଳୟ ଖୋଲା ରହିବା ସହ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ କାର୍ଯ୍ୟକ୍ରମ ଜାରି ରହିବ। ଶିକ୍ଷକ, ଶିକ୍ଷୟିତ୍ରୀ ନିୟମିତ ବିଦ୍ୟାଳୟକୁ ଆସିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର