ସପ୍ତାହ ଶେଷ ସୁଦ୍ଧା +୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର: ଅଧ୍ୟାପକ-ସରକାରଙ୍କ ଟଣାଓଟରା ମଧ୍ୟରେ ଶେଷ ହୋଇଛି ଯୁକ୍ତ୨ ଖାତା ମୂଲ୍ୟାୟନ। ଗତ ୧୦ ତାରିଖ ସୁଦ୍ଧା ବିଜ୍ଞାନ ବିଭାଗ ଖାତାଗୁଡ଼ିକର ଇ-ମୂଲ୍ୟାୟନ ଶେଷ ହୋଇଥିବା ବେଳେ କଳା ଓ ବାଣିଜ୍ୟ ବିଭାଗର ମୂଲ୍ୟାୟନ ଏବେ ଶେଷ ହୋଇଛି। ମୂଲ୍ୟାୟନରେ ବିଳମ୍ବ ହୋଇଥିବାରୁ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ମଧ୍ୟ ପ୍ରାୟ ୭ ଦିନ ବିଳମ୍ବରେ ପ୍ରକାଶ ପାଇବା ଏକପ୍ରକାର ଧାର୍ଯ୍ୟ ହୋଇଛି। ଗତବର୍ଷ ମେ’ ୧୨ରେ ବିଜ୍ଞାନ ବିଭାଗର ଫଳ ବାହାରିଥିଲା ବେଳେ ଏଥର ଚଳିତ ସପ୍ତାହ ଶେଷ ସୁଦ୍ଧା ପ୍ରକାଶ କରାଯିବ। ଏବେ ମାର୍କ ଟାବୁଲେସନ ଜାରି ରହିଛି। ଆସନ୍ତା ୧୮ କିମ୍ବା ୧୯ ତାରିଖରେ ବିଜ୍ଞାନ ବିଭାଗର ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଫଳ ପ୍ରକାଶ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଖୁବ୍‌ଶୀଘ୍ର ତାରିଖ ଘୋଷଣା କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କଳା ଓ ବାଣିଜ୍ୟ ବିଭାଗର ଖାତା ମୂଲ୍ୟାୟନ ମଧ୍ୟ ଚଳିତବର୍ଷ ବିଳମ୍ବରେ ସରିଛି। ଗତବର୍ଷ ମେ’ ପ୍ରଥମ ସପ୍ତାହ ଭିତରେ ଖାତାଗୁଡ଼ିକର ମାନୁଆଲ ମୂଲ୍ୟାୟନ ସରିଥିଲା। କିନ୍ତୁ ଏଥର ପ୍ରାୟ ୮ ଦିନ ଡେରି ହୋଇଛି। ତଥାପି ଜୁନ୍‌ ପ୍ରଥମ ସପ୍ତାହରେ ଉଭୟ ବିଷୟର ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ପରିଷଦ କାର୍ଯ୍ୟାଳୟରେ ମଧ୍ୟ ଘନଘନ ବୈଠକ ବସୁଛି। ପୂର୍ବରୁ ମେ’ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଉଥିଲା। ଗତ ଦୁଇ ବର୍ଷ ହେଲା ଜୁନ୍‌ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ହେଉଥିବାରୁ ଏଥର ମଧ୍ୟ ସେହି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର