ବନ୍ଧୁତା ଦିବସରେ ଏକାଠି ଜଳିଲା ତିନି ବନ୍ଧୁଙ୍କ ଚିତା : ମରଣ ବି ଅଲଗା କରିପାରିଲାନି

ବଲାଙ୍ଗୀର/ପୁଇନ୍ତଳା : ଅଗଷ୍ଟ ୫ ତାରିଖରେ ସବୁଆଡ଼େ ବନ୍ଧୁତା ଦିବସ ପାଳନ ହେଉଥିବା ବେଳେ ବଲାଙ୍ଗୀରରେ ତିନି ବନ୍ଧୁଙ୍କ ଅକାଳ ମୃତ୍ୟୁ ଓ ଏକାଠି ଚିତା ଜଳିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଶନିବାର ବିଳମ୍ବିତ ରାତିରେ ବଲାଙ୍ଗୀର-ସୋନପୁର ଜାତୀୟ ରାଜପଥ ୫୭ରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗୀର ମାଲପଡ଼ା ଅଞ୍ଚଳର ଏହି ତିନି ବନ୍ଧୁଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିର ସନ୍ଧାନ ମିଳିପାରିନି। ପୁଇନ୍ତଲା ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।

ମୃତକମାନେ ହେଲେ ମାଲପଡ଼ାର ଅରୁଣ କରଙ୍କ ପୁଅ ଲଳିତ କର, ସୁବାସ ବଗର୍ତ୍ତିଙ୍କ ପୁଅ ଅଚ୍ୟୁତ ବଗର୍ତ୍ତି ଓ ମକରଧ୍ୱଜ ବାଗଙ୍କ ପୁଅ ରାଜେଶ ବାଗ। ଏହି ତିନିଜଣ ବନ୍ଧୁ ଶନିବାର ରାତିରେ ସୋନପୁର ରୋଡ୍‌ରେ ଥିବା ଏକ ଢାବାକୁ ଖାଇବାକୁ ଯାଇଥିଲେ। ରାତିରେ ଫେରୁଥିବା ବେଳେ ଲଳିତଙ୍କ ଓଡି ୦୩ ଜି ୬୨୪୧ ବାଇକ୍‌କୁ ସାତମାଇଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା। ରାତି ପ୍ରାୟ ୨ଟା ବେଳେ ପୁଇନ୍ତଲା ପୁଲିସକୁ ଦୁର୍ଘଟଣା ସଂପର୍କରେ ସୂଚନା ମିଳିଥିଲା। ୧୦୮ ଆମ୍ବୁଲାନ୍ସରେ ଲଳିତ, ଅଚ୍ୟୁତ ଓ ରାଜେଶଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ଅଣାଯାଇଥିଲା। ତେବେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। କିଛି ସମୟ ସେମାନଙ୍କ ଶବକୁ ଘରେ ରଖାଯିବା ପରେ ଏକା ସାଙ୍ଗରେ ଆତ୍ମୀୟ ସ୍ୱଜନମାନେ ଶବକୁ ବିଭୂତିପଡ଼ାକୁ ନେଇଥିଲେ। ସେଠାରେ ଗୋଟିଏ ସ୍ଥାନରେ ତିନିଜଣଙ୍କର ଜୁଇ ଜଳିଥିଲା।

ସମ୍ବନ୍ଧିତ ଖବର