ମହାନଦୀରେ ଭାସି‌ଗଲେ ପରିବାରର ୩; ବାପ-ପୁଅଙ୍କ ଶବ ଉଦ୍ଧାର, ଝିଅ ନିଖୋଜ

ସମ୍ବଲପୁର : ସମ୍ବଲପୁରର ମହାନଦୀ‌ ଦଲେଇପଡ଼ା ମହିଳା ଘାଟରେ ଏକ ଅଭାବନୀୟ ଘଟଣା ଘଟିଛି। ଆଖି ଆଗରେ ଝିଅ ପରେ ପୁଅ ଭାସିଯାଉ ଥିବାବେଳେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ବାପା ମହମ୍ମଦ ଅଲ୍‌ତାଫ(୪୦) ବି ଭାସିଗଲେ। ବାପପୁଅଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ଝିଅ ଏବେବି ନିଖୋଜ ଅଛନ୍ତି।

ସୋମବାର ଅପରାହ୍‌ଣ ୪ଟାରେ ସମ୍ବଲପୁର ପେନ୍‌ସନପଡ଼ା ନିବାସୀ ମହମ୍ମଦ ଅଲ୍‌ତାଫ୍ ସ୍କୁଟିରେ ନିଜ ସ୍କୁଲ୍‌ ପଢ଼ୁଆ ପୁଅ ମହମ୍ମଦ ଅଫ୍‌ତାବ ଓ ଝିଅ ରୁକ୍‌ସାନା ଖାତୁନ୍‌ଙ୍କୁ ଧରି ଗାଧୋଇବାକୁ ମହାନଦୀର ଦଲେଇପଡ଼ା ମହିଳା ଘାଟକୁ ଯାଇଥିଲେ। ଘାଟରେ ‌ସେତେ‌ବେଳେ ‌କେବଳ ଜଣେ ମହିଳା ଗାଧୋଉଥିଲେ। ରୁକ୍‌ସାନା ଖାତୁନ ଗାଧୋଇବାକୁ ପାଣି ଭିତରକୁ ପଶିବାର ମାତ୍ର କିଛି ସମୟ ଭିତରେ ସ୍ରୋତରେ ଭାସି ଯାଇଥିଲେ। ଭଉଣୀ ରୁକ୍‌ସାନାଙ୍କୁ ବଞ୍ଚାଇବା ପାଇଁ ଭାଇ ଅଫତାବ୍‌ ପାଣି ଭିତରକୁ ଲମ୍ଫ ଦେଇଥିଲେ। ଦୁର୍ଭାଗ୍ୟକୁ ସେ ମଧ୍ୟ ଭାସି ଯାଇଥିଲେ। ଏହିସମୟରେ ସେଠାରେ ଗାଧୋଉଥିବା ମହିଳା ଜଣକ ଚିତ୍କାର କରି ଉଠିଥିଲେ। ମହିଳାଙ୍କ ଚିତ୍କାର ଶୁଣି ଅଲ୍‌ତାଫ୍‌ ପୁଅ,ଝିଅଙ୍କୁ ବଞ୍ଚାଇବା ପାଇଁ ସଙ୍ଗେସଙ୍ଗେ ଡେଇଁ ପଡ଼ିଥିଲେ। ମାତ୍ର ସେ ବି ଭାସି ଯାଇଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ଓ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ। ଅଗ୍ନିଶମବାହିନୀ ସହିତ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ପ୍ରାୟ ୫ଟା୪୫ରେ ଘଟଣାସ୍ଥଳଠାରୁ ପ୍ରାୟ ୫୦ ମିଟର ଦୂରରେ ଗଭୀର ପାଣି ଭିତରୁ ମତ୍ସ୍ୟଜୀବୀମାନେ ଅଫ୍‌ତାବଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପୁଲିସ ଗାଡ଼ିରେ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ଅନ୍ଧାର ହୋଇଯିବା କାରଣରୁ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା। ଆଲୋକ ବ୍ୟବସ୍ଥା ହେବାପରେ ପୁଣି ୭ଟା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ମତ୍ସ୍ୟଜୀବୀମାନେ ଜାଲ ସହାୟତାରେ ମହମ୍ମଦ ଅଲ୍‌ତାଫଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ସଦର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ରୁକ୍‌ସାନାଙ୍କ ସନ୍ଧାନ ମିଳିପାରିନାହିଁ। ରୁକ୍‌ସାନା ଓ ଅଫ୍‌ତାବ ଭଉୟେ ହିନ୍ଦୀ ନୋଡାଲ ସ୍କୁଲରେ ଯଥାକ୍ରମେ ସପ୍ତମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ।

ସମ୍ବନ୍ଧିତ ଖବର