ଆଜି ସରିବ ବିଏମ୍‌ସି କାର୍ଯ୍ୟକାଳ

ଭୁବନେଶ୍ବର: ବୁଧବାର ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ। ୨୦୧୪ରେ ଲଗାତର ଦ୍ବିତୀୟ ଥର ପାଇଁ ବିଜେଡି ମୋଟ୍‌ ୬୭ଟି ଆସନରୁ ୪୯ଟି ଜିତି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ମେୟର ଭାବେ ମଧ୍ୟ ଲଗାତର ଦ୍ବିତୀୟ ଥର ପାଇଁ ଅନନ୍ତ ନାରାୟଣ ଜେନା ଦାୟିତ୍ବ ଗ୍ରହଣ କରିଥିଲେ। ଆସନ୍ତାକାଲି କାର୍ଯ୍ୟକାଳ ସରିବାର ଅବ୍ୟବହିତ ପୂର୍ବରୁ ଆଜି ଶେଷ କର୍ପୋରେସନ ବୈଠକ ବସିଥିଲା। ସୁପ୍ରିମ‌କୋର୍ଟରେ ପୌର ନିର୍ବାଚନ ଜନିତ ମାମଲାର ଶୁଣାଣି ଚାଲିଥିବାରୁ ନିକଟ ଭବିଷ୍ୟତରେ ବି ବିଏମ୍‌ସିର ନିର୍ବାଚନ ହେବାର ସମ୍ଭାବନା ନାହିଁ। ତେଣୁ ଆସନ୍ତାକାଲି ରାଜ୍ୟ ସରକାର ଜଣେ ପ୍ରଶାସକଙ୍କୁ ବିଏମ୍‌ସି ପ୍ରଶାସକ ଭାବେ ନିଯୁକ୍ତି ଦେବେ। ଚଳିତ କର୍ପୋରେସନର ବିଶେଷତ୍ବ ହେଲା ଏହା ଏକରକମ ବିରୋଧୀ ଶୂନ୍ୟ ଥିଲା। ବିଜେଡିର ୪୯ଜଣ କର୍ପୋରେଟର ଜିତିଥିବାବେଳେ ୧୨ଜଣ ସ୍ବାଧୀନ କ‌ର୍ପୋରେଟର ବିଜେଡିକୁ ସମର୍ଥନ କରିଥିଲେ। ଆଉ କଂଗ୍ରେସର ଦୁଇ ଜଣ କର୍ପୋରେଟର ସମୟକ୍ରମେ ବିଜେଡିରେ ମିଶିଥିବାବେଳେ ବିଜେପିର ମୋଟ୍ ୪ଜଣ କର୍ପୋରେଟରଙ୍କ ମଧ୍ୟରୁ ୨ଜଣ ବିଜେଡିରେ ମିଶିଯାଇଥିଲେ।

ସମ୍ବନ୍ଧିତ ଖବର