ଟୋକନ୍ ଲାପ୍‌ସ: ଚାଷୀଙ୍କ ଦୋଷ କ’ଣ?

ମଣ୍ଡିରେ ଧାନ ନଷ୍ଟ ହେଉଛି, ଚିନ୍ତାରେ ଚାଷୀ, ଧାନ କିଣା ସମ୍ପର୍କରେ ସ୍ପଷ୍ଟ କରୁନି ଯୋଗାଣ ବିଭାଗ

ଭୁବନେଶ୍ବର : ଧାନ ଅମଳ ହୋଇ ନ ଥିଲା। ଚାଷୀଙ୍କୁ ଟୋକନ୍ ମିଳିଗଲା। ଅମଳ ସାରି ମଣ୍ଡିକୁ ଆଣିଲା ବେଳକୁ ଟୋକନ୍ ଲାପ୍‌ସ କରିଗଲାଣି।

ଚାଷୀ ଟୋକନ୍ ପାଇଲେ। ଟୋକନ୍ ପାଇବାର ଦିନେ ଦୁଇ ଦିନ ଭିତରେ କିଛି ଚାଷୀ କରୋନାରେ ଆକ୍ରାନ୍ତ ହେଲେ। ସରକାରଙ୍କ ନିୟମ ଅନୁଯାୟୀ ସଙ୍ଗରୋଧରେ ରହିଲେ। ସଙ୍ଗରୋଧ ସମୟସୀମା ସରିଲା ବେଳକୁ ଟୋକନ୍ ଲାପ୍‌ସ।

ଟୋକନ୍ ପାଇ ଚାଷୀ ମଣ୍ଡିକୁ ଧାନ ନେଲେ। କିନ୍ତୁ ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ସେମାନଙ୍କର ନାମ ଏଣ୍ଟ୍ରିରେ ବିଳମ୍ବ ହେଲା। ଦିନ ଦିନ ଧରି ମଣ୍ଡିରେ ନିଜ ଧାନକୁ ଚାଷୀ ଜଗି ରହିଲେ। ସେହି ମଣ୍ଡିରେ ଧାନ ଥିବା ଅବସ୍ଥାରେ ଟୋକନ୍ ଲାପ୍‌ସ କରିଗଲା।

ଏମିତି କାରଣ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଟୋକନ୍ ଲାପ୍‌ସ ହୋଇଛି। ଏଥିରେ ଚାଷୀଙ୍କ ଦୋଷ କ’ଣ ସେମାନେ ନିଜେ ଜାଣିପାରୁ ନାହାନ୍ତି। ବିନା ଦୋଷରେ ଚାଷୀ କାହିଁକି ତାଙ୍କ ଧାନ ବିକିପାରିବେ ନାହିଁ? ସରକାରୀ ବ୍ୟବସ୍ଥାରେ ଥିବା ଗୁରୁଚଣ୍ଡାଳ ତ୍ରୁଟି ଓ ଅଭିଜ୍ଞତାର ଅଭାବ ପାଇଁ ଚାଷୀ କାହିଁକି ମୂଲ୍ୟ ଦେବେ?

କଳାହାଣ୍ଡି, ବରଗଡ଼, ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରୁ ଏମିତି ଅଭିଯୋଗ ଗଦା ହେବାରେ ଲାଗିଛି। ବହୁ କଷ୍ଟରେ ନିଜେ ଅମଳ କରିଥିବା ଧାନକୁ ଚାହିଁ ଚାହିଁ ଚାଷୀର ଦିନ ଗଡ଼ୁଛି। ଟୋକନ୍ ଲାପ୍‌ସ ହୋଇଯାଇଥିବାରୁ ସେମାନଙ୍କ ଧାନ ବିକ୍ରି ହେବ କି ନାହିଁ, ତାହା ସେମାନେ ଜାଣିପାରୁ ନାହାନ୍ତି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ପ୍ରସଙ୍ଗରେ ବିକ୍ଷୋଭ, ଧାରଣା ଚାଲିଛି। ସରକାରଙ୍କ ନିକଟରେ ଅଭିଯୋଗ ପହଞ୍ଚୁଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯୋଗାଣ ବିଭାଗର ଉପର ସ୍ତରରେ ଏହାର ପ୍ରଭାବ ପଡ଼ୁ ନାହିଁ। ଏହି ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ଦେବାକୁ କେହି ବାହାରୁ ନାହାନ୍ତି।

ବିନା କାରଣରେ ଚାଷୀ ଧାନ ବିକ୍ରି କରି ପାରୁ ନଥିବାରୁ ଚାରିଆଡ଼େ ଅସନ୍ତୋଷ ବ୍ୟାପିବାରେ ଲାଗିଛି। ଫଳରେ ରୋଷର ଶିକାର ହେଉଛନ୍ତି ତଳିଆ ଅଧିକାରୀମାନେ। ଗତକାଲି କଳାହାଣ୍ଡି ଜିଲ୍ଲାରେ ରାସ୍ତାରୋକ ହୋଇଥିଲା। ତଳିଆ ଅଧିକାରୀ ଯାଇ ଚାଷୀଙ୍କୁ ବୁଝାବୁଝି କଲେ। ଏମିତି ବିଭିନ୍ନ ସ୍ଥାନରେ ଚାଷୀଙ୍କ ଅସନ୍ତୋଷକୁ ସାମୟିକ ଭାବେ ଦବାଇବା ପାଇଁ ତଳିଆ ଅଧିକାରୀ ଆଲୋଚନା କରୁଛନ୍ତି। କିନ୍ତୁ ସେମାନେ କିଛି ନିର୍ଭର ପ୍ରତିଶ୍ରୁତି ଦେଇପାରୁ ନାହାନ୍ତି। କାରଣ ଉପର ସ୍ତରରୁ ସେମାନଙ୍କ ପାଖକୁ କିଛି ନୂଆ ନିର୍ଦ୍ଦେଶନାମା ଆସି ନାହିଁ।

ଚଳିତ ବର୍ଷ ଟୋକନ୍‌ର ଅବଧି ମାତ୍ର ୧୨ ଦିନ ରଖାଯାଇଛି, ଯାହା କି ଚାଷୀଙ୍କ ପାଇଁ ଅଧିକ ଅଡ଼ୁଆ ସୃଷ୍ଟି କରିଛି। ଖରିଫରେ ଏକ ମାସ ଅବଧି ରହୁଥି‌ଲା ବେଳେ ଟୋକନ୍ ଲାପ୍‌ସ ହେଉଥିଲା। ଏବେ ୧୨ ଦିନ ଯୋଗୁ ସମସ୍ୟା ଗୁରୁତର ଆକାର ଧାରଣ କରିଛି। ବରଗଡ଼ରେ ଏବେ ସୁଦ୍ଧା ପ୍ରାୟ ୧୦ ହଜାର ଚାଷୀ ଧାନ ବିକି ପାରି ନାହାନ୍ତି। ଏଠାରେ ବହୁ ମଣ୍ଡି ବନ୍ଦ ହୋଇଗଲାଣି ଓ ଟୋକନ୍ ଜାରି ହେଉ ନାହିଁ। ସେମିତି କଳାହାଣ୍ଡିରେ ୨୨୦୦ରୁ ଅଧିକ ଚାଷୀଙ୍କ ଟୋକନ ଲାପ୍ସ କରିଛି। ଏଠାରେ ମଣ୍ଡି ନିକଟରେ ବର୍ଷାରେ ଭିଜି ଧାନ ଗଜା ହେଲାଣି। ଗଞ୍ଜାମ ଜିଲ୍ଲାରେ ମଧ୍ୟ ୨ ହଜାରରୁ ଅଧିକ ଚାଷୀଙ୍କ ଟୋକନ୍ ଲାପ୍‌ସ କରିଗଲାଣି। ଅନ୍ୟ ଜିଲ୍ଲାରେ ମଧ୍ୟ ଏମିତି ଅନେକ ଟୋକନ୍ ଲାପ୍‌ସ କରିବା ଦ୍ବାରା ଚାଷୀ ହଇରାଣ ହେଉଥିବାର ଖବର ମିଳିଛି।

Representative image: Quora

ରବି ଧାନ ସଂଗ୍ରହର ସମୟସୀମା ଜୁନ୍ ୩୦ ତାରିଖ। ଆଉ ମାତ୍ର ତିନି ଦିନ ବାକି। ବହୁ ଜିଲ୍ଲାରେ ଧାନ ଉଠାଯାଇ ନାହିଁ। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ମଣ୍ଡିରେ ଟୋକନ୍ ସରିଯାଇଥିବାରୁ ତଳିଆ ଅଧିକାରୀମାନେ ଏକପ୍ରକାର ହାତ ଟେକି ସାରିଲେଣି। କିନ୍ତୁ ଏହାର ଠୋସ୍ ସମାଧାନ ପାଇଁ ଏ ଯାଏଁ ବିଭାଗ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ।

ସପ୍ତାହକ ତଳେ ଯୋଗାଣ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ଧାନ ସଂଗ୍ରହ ହୋଇଥିବା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ କହିଥିଲେ। କାଗଜପତ୍ରରେ ହିସାବ ଦିଆଗଲା ଯେ ୮୮% ଚାଷୀ ଧାନ ବିକି ସାରିଲେଣି ଓ ଚଳିତ ବିପଣନ ଋତୁରେ ୬ ଲକ୍ଷ ଟନ୍ ଅଧିକ ଧାନ ସଂଗ୍ରହ ହୋଇଛି। କିନ୍ତୁ କାଗଜପତ୍ରରେ ହିସାବ କଲା ବେଳେ ତୃଣମୂଳ ସ୍ତରରେ ଚାଷୀ କି ସମସ୍ୟା ଭୋଗୁଛି ଓ ତା’ ଧାନ କିପରି ନଷ୍ଟ ହେବାରେ ଲାଗିଛି, ସେ ଦିଗ ପ୍ରତି ବିଭାଗ ଆଖି ବୁଜି ଦେଇଛି। ଧାନ ସଂଗ୍ରହ ହେଉଥିବା ଜିଲ୍ଲାଗୁଡ଼ିକରୁ ଅବ୍ୟବସ୍ଥାର ଅଭିଯୋଗ ଗଦା ହେଉଥିଲେ ବି ବିଭାଗ ପକ୍ଷରୁ ଚାଷୀଙ୍କୁ ସାନ୍ତ୍ବନା ଦେଲା ପରି ଧାଡ଼ିଏ କୁହାଯିବାକୁ କେହି ଉଚିତ ମଣୁ ନାହାନ୍ତି। ଯେଉଁ ଚାଷୀଙ୍କ ଝାଳ ବୁହା ଧାନ ନଷ୍ଟ ହେଉଛି ତା’ର ମାନସିକ ଅବସ୍ଥା କିପରି ଥିବ, ତାହା ଲୋକସେବା ଭବନରେ ବସୁଥିବା ଅଧିକାରୀମାନେ ସମ୍ଭବତଃ ବୁଝିବାକୁ ଅକ୍ଷମ।

ପୂର୍ବରୁ ବିଭିନ୍ନ କାରଣ ପାଇଁ ବହୁ ଚାଷୀ ସେମାନଙ୍କ ବଳକା ଧାନକୁ ବିକ୍ରି କରିପାରି ନାହାନ୍ତି। ଯେମିତି ବରଗଡ଼ ଜିଲ୍ଲାରେ ରବି ଧାନର ବମ୍ପର ଉତ୍ପାଦନ ହୋଇଛି। କିନ୍ତୁ ଏକର ପିଛା ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ସେଥିରେ ବହୁ ଧାନ ବଳିପଡ଼ିଛି। ଏବେ ଟୋକନ୍ ଲାପ୍‌ସ ଯୋଗୁ ଚାଷୀ ପ୍ରଭାବିତ ହେବାକୁ ଯାଉଛି। ସରକାର ଚାଷକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହୁଥିଲା ବେଳେ ବିନା କାରଣରେ ଚାଷୀଙ୍କୁ ମାନସିକ ଦୁଃସ୍ଥିତି ଭିତରକୁ ଠେଲିଦେବା ଆଶ୍ଚର୍ଯ୍ୟଜନକ। ଦିନେ ଦୁଇ ଦିନ ଭିତରେ ଧାନ ଉଠାଇବା ନେଇ ସରକାର ଠୋସ୍ ନିଷ୍ପତ୍ତି ନ ନେଲେ ବହୁ ଜିଲ୍ଲାରେ ଚାଷୀଙ୍କ ଅସନ୍ତୋଷ ସୀମା ଲଂଘିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

ସମ୍ବନ୍ଧିତ ଖବର