କୁହୁଡ଼ି ଯୋଗୁଁ ଟ୍ରେନ୍‌ ଚଳାଚଳ ବିଳମ୍ବିତ ହେବ

‘୧୩୯’କୁ କଲ୍‌ କରି ସୂଚନା ପାଇପାରିବେ ‌ଯାତ୍ରୀ, ଟ୍ରେନ୍‌ ବାତିଲ୍‌ ହେଲେ ଏସ୍‌ଏମ୍‌ଏସ୍‌ରେ ମିଳିବ ସୂଚନା

ଭୁବନେଶ୍ବର : ଦିଲ୍ଲୀ ସହିତ ଉତ୍ତର ଭାରତ ଓ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ର ପରେ, ଭୋର ସମୟରେ ଘନ କୁହୁଡ଼ି ହେଉଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି ଓ କିଛି ଟ୍ରେନ୍‌ ସମୟରେ ପରିବର୍ତ୍ତନ କରିବାକୁ ଯୋଜନା ରଖାଯାଇଛି।

ଘନ କୁହୁଡ଼ି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ୍‌ଗୁଡ଼ିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଅଧିକ ଆଶଙ୍କା ରହିଛି। ବହୁ ଗୁରୁତ୍ୱପୁର୍ଣ ଟ୍ରେନ୍‌ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କକ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନ୍‌ଗୁଡ଼ିକର ଚଳାଚଳ ସମୟରେ ପ୍ରଭାବିତ ହେବ। ତେଣୁ ବାତିଲ ହେବାକୁ ଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ୍‌ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଉଛି। ଯାତ୍ରୀମାନେ ଟିକେଟ ବୁକ୍‌ କରିବା ସମୟରେ ସେମାନଙ୍କ ଆବେଦନ ଫର୍ମରେ ମୋବାଇଲ ନମ୍ବର ପଞ୍ଜୀକରଣ କରିବା ଆବଶ୍ୟକ। ଫଳରେ ସେହିମାନଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ। ପୂର୍ବତଟ ରେଳପଥ କେତେକ ଟ୍ରେନ୍‌ର ଚଳାଚଳକୁ ବାତିଲ କରିବା ସହ କିଛି ଟ୍ରେନ୍‌ ସମୟରେ ପରିବର୍ତ୍ତନ କରାଯାଇପାରେ। ତେଣୁ ଯାତ୍ରୀମାନେ ଏଥିରେ ସହଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏଥିସହ ଯାତ୍ରୀମାନେ ଷ୍ଟେସନ୍‌କୁ ଆସିବାର ବହୁ ଆଗରୁ ସେମାନଙ୍କର ଟ୍ରେନ ସମ୍ବନ୍ଧରେ ‘୧୩୯’ ନମ୍ବରକୁ କଲ୍‌ କରି ସୂଚନା ପାଇପାରିବେ। କୁହୁଡ଼ି ପ୍ରଭାବିତ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କର୍ମଚାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଧିକ କୁହୁଡ଼ି ସମୟରେ ଟ୍ରେନ୍‌ର ଗତିକୁ ନିୟନ୍ତ୍ରଣ କରିବାକୁ ଡ୍ରାଇଭର୍‌ମାନଙ୍କୁ କୁହାଯାଇଛି। ଏହାବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦଙ୍କ ଦ୍ୱାରା କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ନିର୍ଧାରିତ ସମୟଠାରୁ ବିଳମ୍ବରେ ଚଳାଚଳ କରୁଥିବା ଟ୍ରେନଗୁଡ଼ିକର କାର୍ଯ୍ୟଭାର ବହନ ପାଇଁ ପ୍ରସ୍ତୁତ ରହିବାକୁ ରକ୍ଷଣାବେକ୍ଷଣ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଟ୍ରେନ୍‌ ଚଳାଚଳ ଉପରେ ନଜର ରଖିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୨୪ x ୭ ଯାଞ୍ଚ କରାଯାଉଛି। ଶୀତ ଋତୁ ସମୟରେ ଓ ଘନ କୁହୁଡ଼ିରେ ସୁରକ୍ଷା ଦୃଷ୍ଟିରୁ ରେଳ ଚଳାଚଳ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ ହେଉଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର