ଆଉ ୭ କର୍ପୋରେଟ୍‌ ହସ୍ପିଟାଲରେ ଟ୍ରମା ଚିକିତ୍ସା

ଭୁବନେଶ୍ବର : ରାଜ୍ୟର ଆଉ ୭ଟି ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା ମିଳିବ। ଏହି ସମସ୍ତ ଟ୍ରମା କେନ୍ଦ୍ରଗୁଡ଼ିକ ଲେବଲ-୧ ବର୍ଗର। ଖୁବଶୀଘ୍ର ରାଜ୍ୟ ସରକାର ଏହି ହସ୍ପିଟାଲମାନଙ୍କ ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷର କରିବେ। ଏହାକୁ ମିଶାଇଲେ ୧୮ଟି ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ହେବ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ସଡ଼କ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ପ୍ରଥମ ୪୮ଘଣ୍ଟା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର ମାଗଣା ଚିକିତ୍ସା ବା ଏଫ୍‌ଟିଟିଏଫ୍‌ ଆରମ୍ଭ କରିଛନ୍ତି। ପୂର୍ବରୁ ୧୧ଟି ଲେବଲ-୧ ବର୍ଗର ଘରୋଇ ହସ୍ପିଟାଲ ସହିତ ରାଜ୍ୟ ସରକାର ଚୁକ୍ତ କରିଛନ୍ତି। ତେବେ ଟ୍ରମା ଚିକିତ୍ସାକୁ ଆହୁରି ସୁଦୃଢ଼ କରିବା ଓ ଦୁର୍ଘଟଣାଜନିତ ମୃତ୍ୟୁକୁ ହ୍ରାସ ଲାଗି ଆଉ ୭ଟି ହସ୍ପିଟାଲକୁ ଚୟନ କରାଯାଇଛି। ଏଥିପାଇଁ ଏକ ଏସ୍‌ଓପି ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ କଟକସ୍ଥିତ ଅଶ୍ବିନୀ ଟ୍ରମା ସେଣ୍ଟର, ଭୁବନେଶ୍ବର ଆମ୍ରି ହସ୍ପିଟାଲ, କିମ୍‌ସ, ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, ଉତ୍କଳ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍‌ସ, ଆଇଏମ୍‌ସ ଓ ସମ୍ ହସ୍ପିଟାଲ, ସମ୍ ଅଲ୍‌ଟିମେଟ୍, ସନସାଇନ୍ ହସ୍ପିଟାଲ, କେୟାର ହସ୍ପିଟାଲ, ବ୍ଲୁ ହ୍ବିଲ୍‌ ହସ୍ପିଟାଲ, ବିଶାଖାପାଟଣାସ୍ଥିତ ମେଡିକଭର ହସ୍ପିଟାଲ, ରାୟପୁରସ୍ଥିତ ରାମକୃଷ୍ଣ କେୟାର ହସ୍ପିଟାଲ, ରାଉରକେଲା ଜେପି ହସ୍ପିଟାଲ, ପଦ୍ମିନୀ କେୟାର, ଟାଙ୍ଗୀ, କଟକସ୍ଥିତ ଶଶିଭୂଷଣ ମେମୋରିଆଲ ହସ୍ପିଟାଲ, ସନ୍ ହସ୍ପିଟାଲ, ତ୍ରିଶା ହସ୍ପିଟାଲରେ ଟ୍ରମା ଚିକିତ୍ସା ସୁବିଧା ମିଳିବ।

ଅତିରିକ୍ତ ଡିଏମ୍‌ଇଟି ତଥା ଏଫ୍‌ଟିଟିଏଫ୍‌ ନୋଡାଲ ଅଧିକାରୀ ଡା.ଉମାକାନ୍ତ ଶତପଥୀ କହିଛନ୍ତି, ଏଫ୍‌ଟିଟିଏଫ୍‌ ପାଇଁ ଏକ ଏସ୍‌ଓପି ପ୍ରସ୍ତୁତ ହୋଇଛି। ପ୍ରଥମ ୪୮ଘଣ୍ଟା ମାଗଣା ଚିକିତ୍ସା ସୁବିଧା ଦିଆଯିବ। ଏହାର ପରବର୍ତୀ ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ କାଉନ୍‌ସେଲିଂ କରାଯିବା ସହିତ ସରକାରୀ ଟ୍ରମା ସେଣ୍ଟରକୁ ଅଣାଯିବ। ଯଦି ସଂପୃକ୍ତ ରୋଗୀଙ୍କ ସଂପର୍କୀୟ ସଂପୃକ୍ତ ହସ୍ପିଟାଲରେ ରଖି ଚିକିତ୍ସା କରିବାକୁ ଚାହୁଁଥାନ୍ତି ତାହାଲେ ୪୮ଘଣ୍ଟା ପରବର୍ତୀ ଖର୍ଚ୍ଚ ସେମାନଙ୍କୁ ଭରଣା କରିବାକୁ ହେବ। ଗୁରୁତ୍ବପୂର୍ଣ୍ଣ ହେଉଛି, ଏହି ମାଗଣା ଟ୍ରମା କେବଳ ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଲାଗୁ ହେବ। ଗଛ କିମ୍ବା ଛାତରୁ ପଡ଼ି ଟ୍ରମାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏହା ଲାଗୁ ହେବନାହିଁ। ସେହିପରି ବିଏସ୍‌କେୱାଇ କାର୍ଡ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏଫ୍‌ଟିଟିଏଫ୍‌ ଲାଗୁ ହେବ। ସେମାନଙ୍କୁ ସିଧାସଳଖ ବିଏସ୍‌କେୱାଇରେ ଚିକିତ୍ସା କରାଯିବ ବୋଲି ଡା.ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର