ବୃକ୍ଷରୋପଣ ହେଉଛି, କିନ୍ତୁ…

ରାଜଧାନୀର ଚିତ୍ର; ଭାତହାଣ୍ଡିରୁ ଗୋଟିଏ

୧୦ବର୍ଷରେ ୨୧୩୨କୋଟି ଟଙ୍କାର ଗଛ ଲାଗିଛି
କେତେ ଗଛ କଟାଯାଇଛି, ତା’ହିସାବ ନାହିଁ
ଡରାଇଲାଣି ସୋନପୁର, ବୌଦ୍ଧ ଜିଲ୍ଲାର ତାତି

ଭୁବନେଶ୍ବର : ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ। ସେଦିନ ରାଜଧାନୀ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଥିଲା ୪୪.୨ ଡିଗ୍ରି ସେଲସିୟସ୍। ଯେବେ ଠାରୁ ରାଜଧାନୀର ତାପମାତ୍ରା ଆଞ୍ଚଳିକ ପାଣିପାଗ ବିଭାଗ ମାପିଲେଣି; ଏତେ ତାତି କେବେ ଅନୁଭୂତ ହୋଇନଥିଲା। ଅର୍ଥାତ୍ ଏହା ମାର୍ଚ୍ଚ ମାସରେ ଭୁବନେଶ୍ବରର ସର୍ବକାଳୀନ ରେକର୍ଡ।

୨୦୨୧ ଏପ୍ରିଲ ୨୫ ତାରିଖ। ସେଦିନ ରାଜଧାନୀର ତାପମାତ୍ରା ଥିଲା ୪୩.୨ ଡିଗ୍ରି ସେଲ୍‌ସିୟସ୍। ଯଦିଓ ଏହା ସର୍ବକାଳୀନ ନୁହେଁ, କିନ୍ତୁ ୨୦୨୦ ଏପ୍ରିଲ (୧୩ ତାରିଖରେ ୪୧.୫ ଡିଗ୍ରି ଥିଲା) ତୁଳନାରେ ଅଧିକ।

୨୦୨୧ ମେ’ ୮ ତାରିଖରେ ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ଥିଲା ୩୯.୭ ଡିଗ୍ରି ସେଲ୍‌ସିୟସ୍। ୨୦୨୦ ତୁଳନାରେ ( ମେ’ ୧୮ ତାରିଖରେ ୩୯ ଡିଗ୍ରି) ତା’ ପରବର୍ଷ ଅଧିକ ତାତି ରେକର୍ଡ ହୋଇଥିଲା।

Photo by : Skymet Weather

କେବଳ ଏହି ଦୁଇ ତିନି ବର୍ଷ ନୁହେଁ, ଗତ ଦଶ ବର୍ଷର ପାଣିପାଗ ବିଭାଗର ରିପୋର୍ଟକୁ ଅନୁଶୀଳନ କଲେ ଦେଖାଯାଉଛି ଯେ ମାର୍ଚ୍ଚ, ଏପ୍ରିଲ, ମେ’ ମାସରେ ଭୁବନେଶ୍ବରରେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି। ଯେଉଁଠାରେ ଅପରାହ୍ନର ପବନ ନିଆରା ଥିଲା, ଏବେ ସେହି ରାଜଧାନୀରେ ରାତିଯାଏ ଲୋକେ ତାତିର ତାଉରେ ସନ୍ତୁଳି ହେଉଛନ୍ତି।

ରାଜଧାନୀକୁ ଚିକ୍ ଚିକ୍ ତଥା ସିଟିକୁ ସ୍ମାର୍ଟ କରିବା ଲାଗି ଭୁବନେଶ୍ବରରେ ଯେଉଁଭଳି ଗତ କିଛି ବର୍ଷ ଧରି ବିଶାଳ ଗଛମାନ କଟାଚାଲିଛି, ଏହାର ସାଂଘାତିକ ପ୍ରଭାବ ଏବେ ଏମିତି ଢଙ୍ଗରେ ପାଣିପାଗ ଉପରେ ପଡ଼ିଲାଣି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ସବୁ ବଡ଼ବଡ଼ିଆ ରହୁଥିବା ତଥା ରାଜଧାନୀ ଭୁବନେଶ୍ବରର ସ୍ଥିତି ଯଦି ଏମିତି ତେବେ ସହରୀକରଣ, ବଜାର ସୃଷ୍ଟି, ଘର ନିର୍ମାଣ ଖଣି ଖାଦାନ, ଶିଳ୍ପ ଆଳରେ ରାଜ୍ୟର ପୁରୀ, କେନ୍ଦୁଝର ଠାରୁ ଆରମ୍ଭ କରି ଢେଙ୍କାନାଳ, ସୁନ୍ଦରଗଡ ଆଦି ଅଞ୍ଚଳରେ ଯେଉଁ ହାରରେ ଗଛ କଟା ଚାଲିଛି, ତାର ପ୍ରଭାବ କେତେ ଭୀଷଣ ହୋଇଥିବ, ତାହା ଏବେ ରାଜ୍ୟବାସୀଙ୍କୁ ଆନ୍ଦୋଳିତ କଲାଣି।
ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ୨୦୧୦ ମସିହାରୁ ୨୦୨୨ ମଧ୍ୟରେ ବର୍ଧିତ ସବୁଜ ବଳୟ, ସବୁଜ ମହାନଦୀ ମିସନ, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ଆମ ଜଙ୍ଗଲ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ ନିଯୁକ୍ତି ଯୋଜନା, କାମ୍ପା, ଜାତୀୟ ବନୀକରଣ ଯୋଜନା, ସବୁଜ ଭାରତ ମିସନ, ଓଡ଼ିଶା ଖଣି ନିଗମ, ମହାନଦୀ କୋଇଲା ନିଗମ, ଜିଲ୍ଲା ଖଣିଜ ପାଣ୍ଠି ଇତ୍ୟାଦି ୩୫ଟି କାର୍ଯ୍ୟକ୍ରମ ବା ଯୋଜନାରେ ବୃକ୍ଷରୋପଣ କରାଯାଇଛି। ଶହେ କି ପାଞ୍ଚଶହ କୋଟି ନୁହେଁ, ଏହିବର୍ଷମାନଙ୍କରେ ୨ହଜାର ୧୩୧ କୋଟି ୫୩ଲକ୍ଷ ୮୨ ହଜାର ଟଙ୍କା ବିନିଯୋଗ ହୋଇ ୯ଲକ୍ଷ ୩୩ ହଜାର ୫୮୩ ହେକ୍ଟର ଜମିରେ ନୂଆ ଜଙ୍ଗଲ ସୃଷ୍ଟି କରାଯାଇଛି। ସରକାରଙ୍କ ଏହି ତଥ୍ୟକୁ ବିଶ୍ବାସ କରାଯିବା କଥା।

zeenews.india.com

ହେଲେ ଏହି ସମୟରେ ଫାଇଲିନ୍ ଠାରୁ ଫନୀ ଭଳି ବାତ୍ୟା ଯେଉଁ ଗଛ ଉଜାଡ଼ି ଦେଲେ, ତାର ସଂଖ୍ୟା କେତେ?ଏହା ଭରଣା ହେଲା କି? ୨୦୧୯ ମେ’ ମାସରେ ହୋଇଥିବା ଫନି ବାତ୍ୟା ପରବର୍ତ୍ତୀ ସମୟରେ ସରକାର ବାତ୍ୟା ପ୍ରଭାବିତ ଅଞ୍ଚଳରେ ୧୮୮ କୋଟି ଟଙ୍କା ବ୍ୟୟରେ ବୃକ୍ଷରୋପଣ ପାଇଁ ଯୋଜନା କରିଥିଲେ। ହେଲେ କେଉଁଠି କେତେ ଗଛ ଲଗାଗଲା, ସେ ମଧ୍ୟରୁ କେତେ ବଞ୍ଚିଛି, ଏ ହିସାବ ଜଙ୍ଗଲ ଓ ପରିବେଶ ବିଭାଗ ପାଖରେ ଅଛି କି?

ଆହୁରି ସାଂଘାତିକ କଥା ହେଲା, ସରକାର ବିଭିନ୍ନ ସମୟରେ କେତେ ଗଛ ଲଗାଉଛନ୍ତି, ସେ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରୁଛନ୍ତି, ଯେମିତି ଦଶବର୍ଷରେ ୨୧୩୧ କୋଟି ଟଙ୍କା ବିନିଯୋଗର ତଥ୍ୟ ହେଲେ। ହେଲେ ଖଣି, ଶିଳ୍ପ, ବିକାଶ ଆଳରେ ଏହି ବର୍ଷମାନଙ୍କରେ କେତେ ଗଛ କଟାଗଲା, ସର୍ବୋପରି ସରକାରୀ ଓ ବେସରକାରୀ ସଂସ୍ଥା ଦ୍ବାରା ଲଗାଯାଇଥିବା ଗଛ ମଧ୍ୟରୁ କେତେ ଗଛ ବଞ୍ଚିଲା ସେ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରୁନାହାନ୍ତି କାହିଁକି? ଯେମିତି ବୃକ୍ଷରୋପଣ ପାଇଁ ପୁରସ୍କୃତ କରାଯାଉଛି, ସେମିତି ଯେଉଁମାନଙ୍କ ଅବହେଳା ପାଇଁ ଗଛ ବଞ୍ଚୁନାହିଁ, ସେମାନଙ୍କୁ ଉତ୍ତରଦାୟୀ କରି ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବାର ନଜିର ଅଛି କି?

ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପରିସଂଖ୍ୟାନ ଧରି ବାହା-ବା ଗୋଟାଉଥିଲେ ହେଁ ପରିବେଶବିତ୍‌ମାନେ କହିଲେଣି ଯେ ବ୍ୟାପକ ସହରୀକରଣ ଏବଂ ଗଛକଟା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଓଡ଼ିଶାରେ ବଡ ପ୍ରଭାବ ପକାଇବା ଆରମ୍ଭ କଲାଣି। ଯେଉଁ ଭୟାନକ ଚିତ୍ରଟି ସାମ୍ନାକୁ ଆସୁଛି ତାହା ହେଲା, ରାଜ୍ୟର ପାଣିପାଗ ଓ ଋତୁଚକ୍ର ପୂରାପୂରି ବିଗିଡ଼ିଗଲାଣି। ନିକଟରେ ତତଲାଗଡର ମାନ୍ୟତା ପାଇଥିବା ବଲାଙ୍ଗୀର ଟିଟିଲାଗଡର ତାତିଠାରୁ ବଳିଗଲା ବୌଦ୍ଧ ଓ ସୋନପୁର ଜିଲ୍ଲାର ଉତ୍ତାପ। ଅନ୍ୟ ସମସ୍ତ ଜିଲ୍ଲାଠାରୁ ଢେର୍ ଆଗରେ ଏସବୁ ଜିଲ୍ଲାର ତାପମାତ୍ରା ରହିଲା, ଭାରତବର୍ଷରେ ବି ନୂଆ ରେକର୍ଡ କଲା।

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ କହିବା କଥା ହେଲା, ଜଙ୍ଗଲ ସବୁବେଳେ ସ୍ଥାନୀୟ ଜଳବାୟୁର ସ୍ଥାୟିତ୍ବ ବୃଦ୍ଧି ସହିତ ପରିସଂସ୍ଥାନ, ଜୈବ-ବିବିଧତା, ଅଙ୍ଗାରକାମ୍ଳ ଏବଂ ଅମ୍ଳଜାନ ଚକ୍ର ନିୟନ୍ତ୍ରଣ କରିବାରେ ଏକ ଅବିଚ୍ଛେଦ୍ୟ ଭୂମିକା ଗ୍ରହଣ କରିଥାଏ। ସହର ମଧ୍ୟରେ ଜଙ୍ଗଲ ଆବରଣ ଉତ୍ତାପକୁ ଶୋଷଣ କରିବା ସହ ସ୍ଥାନୀୟ ତାପମାତ୍ରାକୁ ପ୍ରଭାବିତ କରିଥାଏ ଏବଂ “ରେଫ୍ରିଜରେଜେସନ୍” ବା “ଶୀତଳୀକରଣ ପ୍ରକ୍ରିୟା ଦ୍ୱାରା ଏହା ସ୍ଥାନୀୟ ଜଳବାୟୁକୁ ଥଣ୍ଡା କରିବା ସହ ବିଶ୍ୱ ତାପନ ପ୍ରଭାବକୁ ପ୍ରତିହତ କରିବାରେ ବଡ ଭୂମିକା ଗ୍ରହଣ କରିଥାଏ। ଏହାର ଆହୁରି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ତାହା ହେଲା, ଜଙ୍ଗଲ ମୃତ୍ତିକା ସବୁବେଳେ ଅଣ-ଜଙ୍ଗଲ ମୃତ୍ତିକା ତୁଳନାରେ ଅଧିକ ଜଳ ଧାରଣ କରିବା କ୍ଷମତା ରଖେ। ଅନ୍ୟଥା କିଛି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବାର ଭୟ ରହିଛି। ଏବଂ ଏସବୁ ସ୍ଥାନରେ ଅକସ୍ମାତ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନାକୁ ଏଡ଼ାଇ ଦେଇହେବନାହିଁ।

ପରିବେଶ ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ଯଦିଓ ବୃକ୍ଷରୋପଣ ଜଳବାୟୁ ପରିବର୍ତ୍ତନର ଏକମାତ୍ର କାରଣ ନୁହେଁ, ଏହା କିନ୍ତୁ ଗୋଟିଏ ବଡ କାରଣ ବୋଲି କୁହାଯାଇପାରେଷ ଅଧିକ ବୃକ୍ଷ ଥିଲେ ତାତି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଯିବ ଏବଂ ଉତ୍ତାପ ଶୀଘ୍ର ହ୍ରାସ ପାଇବ। ଏହା ସହିତ ବର୍ଷାର ପରିମାଣ ବୃଦ୍ଧିରେ ମଧ୍ୟ ସହାୟକ ହେବ।

ପୂର୍ବତନ ପିସିସିଏଫ୍‌ ବିଜୟ କେତନ ପଟ୍ଟନାୟକ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଓଡ଼ିଶାରେ ବ୍ୟାପକ ବୃକ୍ଷରୋପଣ ହେଉଛି। କିନ୍ତୁ ଯୋଜନାବିହୀନ ଭାବେ। ଆଜି ଯେଉଁଠି ଗଛ ଲଗାଇ ଦିଆଯାଉଛି, କାଲି ରାସ୍ତା, ଘର ଆଦି ବିକାଶ ବା ଖଣି, ଶିଳ୍ପ ଆଳରେ ତାକୁ କାଟି ଦିଆଯାଉଛି। କେଉଁ ଅଞ୍ଚଳରେ କଣ ଭବିଷ୍ୟତରେ ନିର୍ମାଣ ବା କାର୍ଯ୍ୟ ହାତକୁ ନିଆଯିବ, ସେ ସଂକ୍ରାନ୍ତରେ ଗୋଟିଏ ବିସ୍ତୃତ ନକ୍ସା ପ୍ରସ୍ତୁତ କରିବା ପରେ ବୃକ୍ଷରୋପଣ କରାଗଲେ ବା ବୃକ୍ଷକୁ ସୁରକ୍ଷା ଦେଇ ବିକାଶର ମାନଚିତ୍ର ପ୍ରସ୍ତୁତ କଲେ ସ୍ଥିତିରେ ଉନ୍ନତି ଘଟନ୍ତା। ଗୁଜରାଟ ସରକାରଙ୍କର ଉଦାହରଣ ଏ କ୍ଷେତ୍ରରେ ନିଆଯାଇପାରେ।

ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ଗଛ କଟାଯିବା ପରେ ଏହାର ଦଶଗୁଣ ଗଛ ଲଗାଯାଉଥିବା କୁହାଯାଉଛି। ହେଲେ ସେ ଗଛ ଲାଗୁଛି କେଉଁଠି? ଅନ୍ୟ କୌଣସି ଅଞ୍ଚଳରେ ବୃକ୍ଷ ଲଗାଗଲେ, କଟାଯାଇଥିବା ଅଞ୍ଚଳର ପାଣିପାଗରେ କି ପରିବର୍ତ୍ତନ ହେବ? ତୃତୀୟ କଥାଟି ହେଲା, ଘର ନିର୍ମାଣ ପାଇଁ ଅନୁମତି ଦିଆଯିବା ବେଳେ ପୂର୍ବରୁ ସାଢେ ପାଞ୍ଚଫୁଟ ପର୍ଯ୍ୟନ୍ତ ଜାଗା ଛାଡ଼ିବାକୁ କୁହାଯାଉଥିଲା। ଏବେ ତିନି ବା ସାଢେ ତିନି ଫୁଟ ଛାଡ଼ିଲେ, ସେଥିରେ କେଉଁ ଗଛ ଲାଗିପାରିବ? ଏଭଳି ଅନେକ ବ୍ୟତିକ୍ରମ ଜଙ୍ଗଲ ବିଭାଗ ପାଇଁ ଆହ୍ବାନ ସୃଷ୍ଟି କଲାଣି।

ଏଠାରେ ଉଲ୍ଲେଖଥାଉକି, ଖୋଦ୍ ଭୁବନେଶ୍ବରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ମୁଖ୍ୟସଚିବ, ବିଭିନ୍ନ ବିଭାଗର ସଚିବ, ଜଙ୍ଗଲ ବିଭାଗର ବରିଷ୍ଠ କର୍ମକର୍ତ୍ତା, ଅଧିକାଂଶ ପ୍ରମୁଖ ପରିବେଶବିତ୍, ପାଣିପାଗ ବିଶେଷଜ୍ଞ ରହୁଛନ୍ତି। ଯଦି ରାଜଧାନୀରେ ସରକାର ଗଛକୁ ସୁରକ୍ଷା ଦେଇପାରୁନାହାନ୍ତି, ପାଣିପାଗ ବିଗିଡିବାର କାରଣ ଖୋଜି ନିରାକରଣ ପାଇଁ ପଦକ୍ଷେପ ନେଉନାହାନ୍ତି, ତେବେ ବାକି ଜିଲ୍ଲା ସ୍ଥିତି କଣ ହେବ, ତାହା ସହଜେ ଅନୁମେୟ। ରାଜ୍ୟ ସରକାରଙ୍କ ବୃକ୍ଷରୋପଣ ଯୋଜନା, ବନୀକରଣ ଉତ୍ସବ ପାଳନ ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କାହା ସ୍ବାର୍ଥରେ କରାଯାଉଛି?

ସମ୍ବନ୍ଧିତ ଖବର