ପୁଲିସ ମାଡ଼ରେ ଆଦିବାସୀ ଯୁବକଙ୍କ ମୃତ୍ୟୁ, ଏତଲା ରଖିଲାନି ପାଣିକୋଇଲି ପୁଲିସ

ଯାଜପୁର/ପାଣିକୋଇଲି : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଳତିରି ଗ୍ରାମର ଆଦିବାସୀ ଯୁବକ ଶୁକୁରା ମୁଣ୍ତା(୨୯) ଜଣେ ପୁଲିସ କର୍ମଚାରୀଙ୍କ ମାଡ଼ରେ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସଂଧ୍ୟା ସୁଦ୍ଧା ପାଣିକୋଇଲି ପୁଲିସ ମାମଲା ରୁଜୁ କରିନାହିଁ। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଶୁକୁରାଙ୍କ ପୁତୁରା ଚଗୁଲୁ ମୁଣ୍ତା ଜଣେ ପୁଲିସ କର୍ମଚାରୀଙ୍କର ଟ୍ରାକ୍ଟରରେ ଡ୍ରାଇଭର ଭାବେ କାମ କରୁଥିଲେ। ଏହି କର୍ମଚାରୀ ଜଣକ କଟକ ଓଏସ୍‌ଏପିରେ କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି। ସେ ଦରମା ଦେବାରେ ଅବହେଳା କରିବାରୁ ଚଗୁଲୁ ଟ୍ରାକ୍ଟର ଚଲାଇବାକୁ ମନା କରିଦେଇଥିଲେ। ଚଗୁଲୁ ଏ ବିଷୟରେ ଶୁକୁରାଙ୍କୁ ବି ଜଣାଇଥିଲେ। ଗତ ୧୩ ତାରିଖ ସକାଳେ ଶୁକୁରା ଦରମା ବାବଦରେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ପଚାରିବାରୁ ସେ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିଥିଲେ। ସେହିଦିନ ୧୨ଟାରେ ସମ୍ପୃକ୍ତ ସେ ଉତ୍ତ୍ୟକ୍ତ ହୋଇ ଶୁକୁରାଙ୍କ ଘରେ ପହଞ୍ଚି ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହିତ ମାଡ଼ ମଧ୍ୟ ମାରିଥିଲେ। ଘରେ ଥିବା ଜିନିଷପତ୍ର ଭଙ୍ଗାରୁଜା କରି ଚାଳଛପରକୁ ଓଲାରି ଦେଇଥିଲେ। ଏହାକୁ ବିରୋଧ କରିବାରୁ କାଠ ବେଣ୍ଟ ଓ ବାଡ଼ିରେ ଶୁକୁରାଙ୍କ ଛାତି ଓ ମୁଣ୍ତକୁ ଏହି ପୁଲିସ କର୍ମଚାରୀ ଜଣକ ପିଟିଥିଲେ। ଏ ବିଷୟରେ ଶୁକୁରା ସେହିଦିନ ପାଣିକୋଇଲି ଥାନାରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୁଲିସ୍‌ ଅଭିଯୋଗ ଗ୍ରହଣ କରିନଥିଲେ। ଗୁରୁତର ଶୁକୁରାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତି ୨ଟାରେ କଟକଠା‌ରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଗୁରୁବାର ସକାଳେ ଶବ ପହଞ୍ଚିଲା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶୁକୁରାଙ୍କ ପରିବାର ଲୋକେ ପୁଲିସ କର୍ମଚାରୀଙ୍କ ଘର ଆଗରେ ଶବ ରଖି ହୋ’ହଲ୍ଲା କରିଥିଲେ। କେତେକ ପ୍ରଭାବଶାଳୀ ବ୍ୟକ୍ତି ଗୁରୁବାର ଦିନ ପହଞ୍ଚି ଭିତିରି ବୁଝାମଣା  କରି ହତ୍ୟାକାଣ୍ଡକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ, ବିଭିନ୍ନ ମହଲରେ ଘଟଣାର ତୀବ୍ର ନିନ୍ଦା କରାଯିବା ସହିତ ଦୋଷୀ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର