ବାଇକ୍‌କୁ ଧକ୍କା ଦେଇ ସିମେଣ୍ଟ ବୋଝେଇ ଟ୍ରକ୍‌ ଓଲଟିଲା

ବାଇକ୍‌ ଚାଳକ ମୃତ, ଟ୍ରକ୍‌ ହେଲପର୍‌ ଗୁରୁତର

ଠାକୁରମୁଣ୍ଡା: ୫୩ ନମ୍ବର ରାଜପଥ କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାରେ ସୁନାରିପୋଷୀ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ବାଇକ୍‌ ଆରୋହୀକୁ ଧକ୍କା ଦେଇ ଓଲଟି ପଡ଼ିଥିବା ବେଳେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜେଏଚ୍‌୬ଏଚ-୦୫୧୦ ନମ୍ବର ବିଶିଷ୍ଟ ଟ୍ରକ୍‌ଟି ସିମେଣ୍ଟ ବୋଝେଇ କରି କରଞ୍ଜିଆରୁ ଭଦ୍ରକ ଆସୁଥିଲା। ଟ୍ରକ୍‌ ଡ୍ରାଇଭରର ବେରୁଆ ଗାଡ଼ିଚାଳନା ଯୋଗୁଁ ପ୍ରଥମେ କେନ୍ଦୁମୁଣ୍ଡି-ଅସନବଣି ମଧ୍ୟରେ ଥିବା ଘାଟି ନିକଟରେ ଠାକୁରମୁଣ୍ଡା ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସଂଜୟ ମଣ୍ଡଳ ବାଇକ୍‌ରେ ସ୍ତ୍ରୀ ଓ ଝିଅଙ୍କୁ ନେଇ ଆସୁଥିବାବେଳେ ତାଙ୍କୁ ଧକ୍କା ଦେଇଥିଲା।

ସେମାନେ ଅଳ୍ପକେ ବର୍ତ୍ତିଯାଇ ଆହତ ହୋଇଥିଲେ। ସେଠାରୁ ଟ୍ରକ୍‌ଟି ଦ୍ରତୁ ଗତିରେ ଆସୁଥିବାବେଳେ ସୁନାରିପୋଷି ବାଙ୍କରେ ଆଉ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ବାଇକ୍‌ଟି ଟ୍ରକ୍‌ ତଳେ ଚାପି ହୋଇ ରହିଥିବା ବେଳେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲ୍‌ପର ଟ୍ରକ୍‌ ଭିତରେ ଚାପି ହୋଇ ରହିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ବାଇକ୍‌ ଚାଳକ ଏବଂ ଟ୍ରକ୍‌ର ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଘଟଣାସ୍ଥଳରେ ଠାକୁରମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। ମୃତକଙ୍କ ପରିଚୟ ଏଯାଏ ମିଳିପାରିନାହିଁ। ବାଇକ୍‌ ନମ୍ବର ଯାଞ୍ଚ ପରେ ଠିକଣା ମିଳିପାରିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର