ପାରାଦୀପରେ ବନ୍ଧୁକ ଦେଖାଇ ଠିକାଦାରଙ୍କୁ ଅପହରଣ ଉଦ୍ୟମ

ପାରାଦୀପ : ପାରାଦୀପର ଜଣେ ଜଣାଶୁଣା ଠିକାଦାରଙ୍କୁ ଆଜି ବନ୍ଧୁକ ମୁନରେ କିଛି ଦୁର୍ବୃତ୍ତ ଅପହରଣ ଉଦ୍ୟମ କରିଛନ୍ତି। ମାତ୍ର ସ୍ଥାନୀୟ ଲୋକେ ସେହି ସମୟରେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି। ଉକ୍ତ ଯୁବକକୁ ପୁଲିସ ଥାନାରେ ଅଟକ ରଖି ଜେରା କରୁଥିବା ଥାନା ଇନ୍ସପେକ୍ଟର ରଜନୀକାନ୍ତ ସାମଲ ସୂଚନା ଦେଇଛନ୍ତି।

ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ବେଲ୍ଟ ଲାଇନ୍ ନିକଟରେ ଠିକାଦାର ମାନସ ପାତ୍ର ଛିଡା ହୋଇଥିଲେ। ସେହି ସମୟରେ ଏକ ଇଣ୍ଡିଗୋ କାରରେ ୫ଜଣ ଆସି ତାଙ୍କୁ କାର ଭିତରକୁ ଡାକିଥିଲେ। ମାତ୍ର ମାନସ ନ ଯିବାରୁ କାର୍ ମଧ୍ୟରୁ ଜଣେ ଯୁବକ ବାହାରି ମାନସଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍ ଭିତରକୁ ଟାଣି ନେବା ପାଇଁ ଉଦ୍ୟମ କରିଥିଲା। ଏଭଳି ଘଟଣା ଦେଖି ସେହି ରାସ୍ତାରେ ଯାଉଥିବା କିଛି ଯୁବକ ଘଟଣାରେ ହସ୍ତକ୍ଷେପ କରିଥିଲେ। ଫଳରେ କାରରେ ଥିବା ଅନ୍ୟ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ଲୋକମାାନେ କୁଜଙ୍ଗ ପାନପଲ୍ଲୀ ଅଞ୍ଚଳର ଜଣେ ଯୁବକ ବିକ୍ରମ ପାଲକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଏ ନେଇ ପାରାଦୀପ ମଡେଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୂର୍ବରୁ ଥରେ ମାନସଙ୍କୁ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଗ୍ୟାଙ୍ଗଷ୍ଟରଙ୍କ ନିର୍ଦ୍ଦେଶରେ ଗୁଳି କରାଯାଇଥିଲା ମାତ୍ର ଉକ୍ତ ଗୁଳିଟି ମାନସଙ୍କ ଦେହରେ ନ ବାଜି ତାଙ୍କର ଜଣେ ବନ୍ଧୁଙ୍କ ଦେହରେ ବାଜିଥିଲା।

ସମ୍ବନ୍ଧିତ ଖବର