ଅଲିଭରିଡଲେ ଅଣ୍ତାରୁ ଛୁଆ ଫୁଟିଲା : ସମୁଦ୍ରକୁ ଗଲେ ୨କୋଟି ଶାବକ

ରାଜନଗର : ଗହୀରମଥାରେ ଆରମ୍ଭ ହୋଇଛି ଅଲିଭରିଡଲେ କଇଁଛଙ୍କ ଅଣ୍ତାରୁ ଛୁଆ ଫୁଟିବାର ପର୍ବ। ୫ଦିନ ମଧ୍ୟରେ ୨କୋଟି ୫ଲକ୍ଷ ୧୦ ହଜାର ଶାବକ ବଙ୍ଗୋପସାଗର ମୁହାଁ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡିଛି। କଇଁଛ ଅଣ୍ତାରୁ ଏତେ ସଂଖ୍ୟକ ଛୁଆ ବାହାରିବା ଗତ ୧୦ ବର୍ଷରେ ସର୍ବାଧିକ। ଏହି ପ୍ରକ୍ରିୟା ଆଉ ଦିନେ ଦୁଇଦିନ ଚାଲୁରହିବ।

ଗହୀରମଥା, ବାବୁବାଲି ଦ୍ବୀପ, ଅଗରନାସୀ ଦ୍ବୀପ, ପେଣ୍ଠ, ସାତଭାୟା ବେଳାଭୂମି ଏବଂ ବରୁଣେଇ ମୁହାଣ ସଂଲଗ୍ନ ବାଲୁକା ରାଶିରେ ଗତବର୍ଷ ମାର୍ଚ୍ଚ ୧୪ରୁ ୨୧ ତାରିଖ ଯାଏ ୮ଦିନ ଧରି ୪ଲକ୍ଷ ୭ ହଜାର କଇଁଛ ସମୂହ ଅଣ୍ଡାଦାନ କରିଥିଲେ। ୪୦ରୁ ୪୫ ଦିନ ଭିତରେ ସେହି ଅଣ୍ତାଗୁଡିକରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ସଂଜ ନଇଁବା ପରଠୁ ସିନ୍ଦୂରା ଫାଟିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିଛି।

ବନବିଭାଗ ସୂଚନା ମୁତାବକ, ଗତ ୨ ତାରିଖ ଦିନ ୬୮ ଲକ୍ଷ ୬୦ହଜାର, ୩ ତାରିଖ ଦିନ ୮୪ ଲକ୍ଷ, ୪ ତାରିଖ ଦିନ ୪୩ ଲକ୍ଷ ୪୦ ହଜାର, ୫ ତାରିଖ ଦିନ ୭ ଲକ୍ଷ ଓ ୬ ତାରିଖ ଦିନ ୨ ଲକ୍ଷ ୧୦ହଜାର ମୋଟ ୨କୋଟି ୫ ଲକ୍ଷ ୧୦ହଜାର କଇଁଛ ଶାବକ ସମୁଦ୍ରମୁହାଁ ହୋଇଛନ୍ତି। ଗହୀରମଥା ବନାଂଚଳ ଅଧିକାରୀ ଦେବାଶିଷ ଭୋଇଙ୍କ ତତ୍ତ୍ବାବଧାନରେ ବନପାଳ ବନରକ୍ଷୀଙ୍କ ସମେତ ୧୫ ଜଣ ବନକର୍ମଚାରୀ ଓ ଭଦ୍ରକ ଡିଭିଜନର ବନକର୍ମଚାରୀମାନେ ଶାବକଙ୍କ ସୁରକ୍ଷା ଦାୟିତ୍ବରେ ସାମିଲ ହୋଇଛନ୍ତି। ଅଣ୍ତାରୁ ଛୁଆ ବାହାରିବା ପର୍ବ ଆରମ୍ଭ ହେବାପରେ ନିକଟସ୍ଥ ଡ. ଅବଦୁଲ୍ କାଲାମ୍ ଦ୍ବୀପରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା ବନ୍ଦ ରଖାଯାଇଛି।

ସୂଚନାଯୋଗ୍ୟ ଯେ, ଗହୀରମଥାରେ ୧୯୯୬–୯୭, ୧୯୯୭–୯୮,୨୦୦୧–୦୨,୨୦୦୭–୦୮ ଓ ୨୦୧୩–୧୪ରେ ସମୂହ ଅଣ୍ତାଦାନ ପ୍ରକ୍ରିୟା ହୋଇ ନ ଥିଲା। ଏହି ବିରଳ କଇଁଛ କୂଳକୁ ଆସିଥିଲେ ବି ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇ ନ ଥିଲେ। ହଜାର ହଜାର କଇଁଛଙ୍କ ମୃତ୍ୟୁ ପରେ ଏ ବର୍ଷ କଇଁଛମାନେ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହେବା ନେଇ ଆଶଙ୍କା ଦେଖାଦେଇଥିଲା। ବହୁ ବିଳମ୍ବରେ ମାର୍ଚ୍ଚ ୧୪ରେ ଅଲିଭରିଡଲେ କଇଁଛମାନେ ଏହି ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର