ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିସନ୍ ମାମଲା: ୨ ଅଟକ

ଭୁବନେଶ୍ବର: ବିଜେବି କଲେଜରେ ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟରେ ଆଡମିସନ୍ ଘଟଣାରେ ବଡ଼ଗଡ଼ ଥାନା ପୁଲିସ ୨ ଜଣଙ୍କୁ ଅଟକ ରଖିଛି। ପୁଲିସ ଉଭୟଙ୍କୁ ପଚରାଉଚରା କରୁଛି। କଲେଜ ଅଧ୍ୟକ୍ଷଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି ।
ସୂଚନାଯୋଗ୍ୟ, ଭଦ୍ରକ ପରେ ରାଜଧାନୀ ଭୁବନେଶ୍ବରରେ ଜାଲ ଦିବ୍ୟାଙ୍ଗ ସାର୍ଟିଫିକେଟରେ କଲେଜରେ ଆଡମିସନ୍ ଘଟଣା ପଦାକୁ ଆସିଥିଲା। ତିନି ବର୍ଷର ତଥ୍ୟ ଯାଞ୍ଚ କରିବା ପରେ ବିଜେବି କଲେଜରେ ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ।


ଏନେଇ ବିଜେବି ସ୍ବୟଂଶାସିତ କଲେଜ ଅଧ୍ୟକ୍ଷ ଦାୟିତ୍ବରେ ଥିବା ନିରଞ୍ଜନ ମିଶ୍ର ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ। ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା-୪୨୦,୪୬୫,୪୬୮,୪୭୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ? କେଉଁଠୁ ତିଆରି କରିଥିଲେ? ଏଥିରେ କିଏ କିଏ ସାମିଲ? ସେ ନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇଥିବା ଛାତ୍ରଛାତ୍ରୀମାନେ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ ଶିକ୍ଷାବର୍ଷର। ସେମାନେ ଯୁକ୍ତ ୩ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର କଳା ଏବଂ ବିଜ୍ଞାନ ଛାତ୍ରଛାତ୍ରୀ। ଏହି ଛାତ୍ରଛାତ୍ରୀମାନେ ଦାଖଲ କରିଥିବା ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଭଦ୍ରକ ଓ କଟକ ସିଡିଏମ୍ଓ ଅଫିସ୍ ପକ୍ଷରୁ ଜାରି ହୋଇଛି ବୋଲି ଦର୍ଶାଇଥିଲେ। ଯେଉଁ ଛାତ୍ରଛାତ୍ରୀମାନେ ଦିବ୍ୟାଙ୍ଗ ସାର୍ଟିଫିକେଟ୍ ଦେଇ ଆଡମିସନ୍ କରିଛନ୍ତି, କଲେଜ କର୍ତ୍ତୃପକ୍ଷ ଯାଞ୍ଚ କରିଥିଲେ। ଯେଉଁ ସିଡିଏମଓ କାର୍ଯ୍ୟାଳୟରୁ ଏହି ସାର୍ଟିଫିକେଟ ମିଳିଛି ବୋଲି ଦର୍ଶାଯାଇଥିଲା, ସେଠାକୁ ଯାଞ୍ଚ ପାଇଁ ଚିଠି ପଠା ଯାଇଥିଲା। ଯାଞ୍ଚ ସମୟରେ ଏହି ୮ଜଣ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର