ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ସିବିଆଇ ନିର୍ଦ୍ଦେଶକ ତଥା ୧୯୬୮ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍‌ ଅଫିସର ଉମାଶଙ୍କର ମିଶ୍ରଙ୍କର ଆଜି ଅପରାହ୍ନରେ ପରଲୋକ ହୋଇଯାଇଛି। କିଛିଦିନ ହେବ ଅସୁସ୍ଥତା କାରଣରୁ ସେ ନୂଆଦିଲ୍ଲୀର ସରିତାବିହାରସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ମଧ୍ୟାହ୍ନ ୧୨ଟାରେ ଲୋଧିରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବ ବୋଲି
ତାଙ୍କ ପରିବାର ସୂତ୍ରରୁ ଜାଣିବାକୁ ମିଳିଛି। ସିବିଆଇର ଏସ୍‌ପି, ଡିଆଇଜି, ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ପରେ ଡିସେମ୍ବର ୬, ୨୦୦୩ରେ ଶ୍ରୀ ମିଶ୍ର ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ ଥିବା‌େ‌ବଳେ ସେ ଇଣ୍ଟରପୋଲର ଉପସଭାପତି ରୂପେ ନିର୍ବାଚିତ ହୋଇଥିଲେ।

ଆଜି ପର୍ଯ୍ୟନ୍ତ ଏକମାତ୍ର ଓଡ଼ିଆ ଆଇପିଏସ୍‌ ଅଫିସର ଭାବେ ସ୍ବର୍ଗତ ମିଶ୍ର ସିବିଆଇ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାର ସଫଳତା ଅର୍ଜନ କରିଛନ୍ତି।
ସ୍ବର୍ଗତ ମିଶ୍ରଙ୍କର ସ୍ବତନ୍ତ୍ର ପରିଚୟ ହେଉଛି, ସେ ୧୯୯୩ ମୁମ୍ବାଇ ବୋମା ବି‌ସ୍ଫୋରଣର ପ୍ରମୁଖ ଅଭିଯୁକ୍ତ ଆବୁ ସାଲେମ୍ ଏବଂ ତା’ର ପ୍ରେମିକା ମୋନିକା ବେଦିଙ୍କୁ ନଭେମ୍ବର ୨୦୦୫ରେ ପର୍ତ୍ତୁଗାଲରୁ ଭାରତ ଆଣିବାରେ ସଫଳ ହୋଇଥିଲେ। ସିବିଆଇ ନିର୍ଦ୍ଦେଶକ ପଦରୁ ଅବସର ନେବାର ଏକ ମାସ ପୂର୍ବରୁ ଏହି ବଡ଼ ସଫଳତା ପାଇଥିବାରୁ ସେତେବେଳେ ସାରା ଦେଶରେ ଚର୍ଚ୍ଚିତ ବ୍ୟକ୍ତିତ୍ବ ପାଲଟିଯାଇଥିଲେ। ସିବିଆଇ ନିର୍ଦ୍ଦେଶକ ପଦରୁ ଅବସର ନେବା ପରେ ୨୦୦୯ରେ ଶ୍ରୀ ମିଶ୍ର ଦୈନିକ ଖବରକାଗଜ ସୂର୍ଯ୍ୟପ୍ରଭା ସମ୍ପାଦକ ଭାବେ ଯୋଗଦେଇଥିଲେ। ଏହାବାଦ୍ ସେ ମେଘାଳୟ ପ୍ଲାନିଂ କମିସନର ସଦସ୍ୟ ଏବଂ ମାଇକ୍ରୋସଫ୍ଟ ଇଣ୍ଡିଅାର ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। ସ୍ବର୍ଗତ ମିଶ୍ରଙ୍କ ବିୟୋଗରେ ଓଡ଼ିଶା ପୁଲିସ ଡିଜି ଅଭୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସିବିଆଇ ପକ୍ଷରୁ ମଧ୍ୟ ବାର୍ତ୍ତା ଜାରି କରି ଶୋକବ୍ୟକ୍ତ କରାଯାଇଛି।

ସମ୍ବନ୍ଧିତ ଖବର