ଶିକ୍ଷୟିତ୍ରୀ ପିନ୍ଧିବେ ହସ୍ତତନ୍ତ ଶାଢ଼ୀ

ହାଇସ୍କୁଲ୍‌, ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ଲାଗୁ , ପିଲାଙ୍କ ୟୁନିଫର୍ମ ନେଇ ପରେ ନିଷ୍ପତ୍ତି

ଭୁବନେଶ୍ୱର: ଏଣିକି ସରକାରୀ ସ୍କୁଲ୍‌ର ଶିକ୍ଷୟିତ୍ରୀମାନେ ହସ୍ତତନ୍ତ ଶାଢ଼ୀ ପିନ୍ଧିବେ। ଚଳିତ ଶିକ୍ଷା ବର୍ଷରୁ ହାଇସ୍କୁଲ୍‌ ଓ ଉଚ୍ଚ ପ୍ରାଥମିକ ସ୍କୁଲ୍‌ରେ ଏହା ଲାଗୁ ହେବ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଏକ ଉଚ୍ଚସ୍ତରୀୟ ସମନ୍ଵୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବର୍ତ୍ତମାନ ପ୍ରଚଳିତ ଶାଢ଼ୀର ରଙ୍ଗ ନ ବଦଳାଇବାକୁ ସ୍ଥିର କରାଯାଇଛି। ଶିକ୍ଷୟିତ୍ରୀମାନଙ୍କ ପାଇଁ ହସ୍ତତନ୍ତ ଶାଢ଼ୀ ବାଧ୍ୟତାମୂଳକ କରିବା ନେଇ ଦୀର୍ଘ ଦିନ ହେଲା ଆଲୋଚନା ଚାଲିଥିଲା। ଆଜି ସଚିବାଳୟରେ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ତାହାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ବୈଠକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଉପସ୍ଥିତ ଥିଲେ। ବୈଠକ ପରେ ଗଣମାଧ୍ୟମକୁ ଶ୍ରୀମତୀ ଛୁରିଆ କହିଥିଲେ, ଶିକ୍ଷୟିତ୍ରୀମାନଙ୍କ ଡ୍ରେସ୍‌ କୋଡ୍‌ରେ ହସ୍ତତନ୍ତ ଶାଢ଼ୀକୁ ବାଧ୍ୟତାମୂଳକ କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଯେଉଁ ପାଟର୍ନ କିମ୍ବା ରଙ୍ଗ ରଖାଯାଇଥିଲା, ତାହା ସମାନ ରହିବ। କିନ୍ତୁ ସେଥିରେ ବାନ୍ଧ କାମ ହେବ ଓ ହସ୍ତତନ୍ତ ଲୁଗା ଦିଆଯିବ। ସ୍କୁଲ୍‌ ଓ କଲେଜ ପିଲାଙ୍କ ଡ୍ରେସ୍‌ କୋର୍ଡ ବିଷୟରେ ବି ଆଲୋଚନା ହୋଇଛି। ଏଥି ପାଇଁ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯିବ। ପରବର୍ତ୍ତୀ ସମୟରେ ଏ ନେଇ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏହା ଦ୍ୱାରା ବିଭାଗର ଲାଭକ୍ଷତି ହିସାବ କରାଯାଉ ନାହିଁ। ବୁଣାକାରମାନଙ୍କ ଜୀବନ ଜୀବିକାର ସୁଦୃଢ଼ୀକରଣ ତଥା ଆର୍ଥିକ ଦୃଷ୍ଟିରୁ ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ଏପରି ପଦକ୍ଷେପ ନିଆଯାଉଛି। ଶ୍ରୀମତୀ ଛୁରିଆ ଆହୁରି ସୂଚନା ଦେଇଛନ୍ତି, ସାଧାରଣତଃ ହସ୍ତତନ୍ତ ଶାଢ଼ୀର ଦର ଅଧିକ ହୁଏ। କିନ୍ତୁ ସେଥି ପାଇଁ ବିଭାଗ ତରଫରୁ ରିହାତି ଦିଆଯିବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର