ପୁରୀ: ଜନ ଆଶୀର୍ବାଦ ଯାତ୍ରାର ପ୍ରଥମ ଦିନରେ ଆଜି ପୁରୀ ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । ପୁରୀରେ ପହଞ୍ଚି ଦୁଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଏବଂ ଶ୍ରୀ ପ୍ରଧାନ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରୁ ପତିତପାବନଙ୍କ ଦର୍ଶନ କରିଛନ୍ତି । ତେବେ ଗସ୍ତ ସମୟରେ ପୁରୀବାସୀଙ୍କୁ ଖୁସିଖବର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦେଶରେ ଚାଲିବାକୁ ଥିବା ୭୫ଟି ବନ୍ଦେ ଭାରତ ଟ୍ରେନ ମଧ୍ୟରୁ ପୁରୀକୁ ଗୋଟିଏ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ ବୋଲି କହିଛନ୍ତି ଅଶ୍ୱିନୀ । ଏହାସହ ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଓ ଜଗନ୍ନାଥ ସଂସ୍କୃତି ସହ ଯୋଡି ହୋଇ ରହିଥିବାରୁ ରେଳପଥର ବିକାଶ ପାଇଁ ପୁରୀ-କୋଣାର୍କ ରେଳ ଲାଇନର ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ପଦକ୍ଷେପ ନେବ ବୋଲି କହିଛନ୍ତି ଅଶ୍ୱିନୀ । ଶ୍ରୀକ୍ଷେତ୍ର ପୁରୀ ସହ ସାଂସ୍କୃତିକ ଓ ଓଡ଼ିଶାବାସୀଙ୍କ ଭାବାବେଗ ଯୋଡି ହୋଇ ରହିଥିବାରୁ ଏଠାରେ କଣ ବିକାଶ କରାଯାଇପାରିବ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଅଶ୍ୱିନୀ ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଶିକ୍ଷା କ୍ଷେତ୍ରରେ ସାକ୍ଷୀଗୋପାଳ ବକୁଳବନ ଏକ ସ୍ୱତନ୍ତ୍ର ଭୂମିକା ସୃଷ୍ଟି କରିଥିବାରୁ ଏଠାରେ ହେବାକୁ ଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କାର୍ଯ୍ୟରେ ରାଜ୍ୟକୁ କେନ୍ଦ୍ର ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବ । ଏହାସହିତ ବକୁଳବନ ବିଶ୍ୱବିଦ୍ୟାଳୟକୁ ନୂଆ ଶିକ୍ଷାନୀତିର ପ୍ରୟୋଗଶାଳା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାସହ ରାଜ୍ୟର ୫୦ହଜାର ଗାଁକୁ ଇଂଟରନେଟ ସୁବିଧା ଯୋଗାଇ ଦିଆଯିବ ଏବଂ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମକୁ ଓଡ଼ିଆରେ ପ୍ରଚଳନ କରାଯିବ ପାଇଁ ଉଦ୍ୟମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।