କାଳିଆପାଣିରେ ଭିଜିଲାନ୍ସ ଛାନଭିନ

କାଳିଆପାଣି: ଭିଜିଲାନ୍ସ  ପକ୍ଷରୁ ଶୁକ୍ରବାର ଓଡ଼ିଶା ଖଣି ନିଗମ(ଓଏମ୍‌ସି) କାଳିଆପାଣି ଟାଉନସିପ କଲୋନିର କ୍ବାର୍ଟର୍ସ ନଂ ଏଫ୍‌-୧୧୯ରେ ଦୁଇ ଘଣ୍ଟା ଧରି ଛାନ୍‌ଭିନ୍ କରାଯାଇଛି। ବ୍ରହ୍ମପୁରସ୍ଥିତ ଗ୍ରାମ୍ୟ ନିର୍ମାଣ(ବିତ୍ୟୁତ) ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ସେଠୀଙ୍କ ଘର ଉପରେ ଗତ ୯ ତାରିଖରୁ ଜାରି ରହିଥିବା ଚଢ଼ଉ ଓ ଖୋଳତାଡ଼ ଘଟଣାରେ କାଳିଆପାଣି ଲିଙ୍କ୍ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଥିବ‌ା ନିର୍ବାହୀ ଯନ୍ତ୍ରୀ ଶ୍ରୀ ସେଠୀଙ୍କ ସାନପୁଅ ଚିନ୍ମୟାଦିତ୍ୟ ସର୍ବେଶ୍ବର ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରେ କନିଷ୍ଠ ନିର୍ବାହୀ ସହାୟକ ଭାବେ କାର୍ଯ୍ୟରତ ଥିବା ସୂଚନା ମିଳିଥିଲା। ସେହିଦିନରୁ ରାଜ୍ୟ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ପ୍ରତିନିଧି କାଳିଆପାଣିରେ ଡେରା ପକାଇଥିଲେ। ଚିନ୍ମୟାଦିତ୍ୟ ତାଙ୍କ କ୍ବାର୍ଟର୍ସ‌ରେ ତାଲା ଠୁଙ୍କି ପଳାଇଥିଲେ। ଭିଜିଲାନ୍ସ ଟିମ୍‌ ଆଉ ଏକ ତାଲା ପକାଇଥିଲେ। ଦୁଇଦିନ ପରେ ଆଜି ଭିଜିଲାନ୍ସ ଟିମ୍‌ ଚିନ୍ମୟାଦିତ୍ୟଙ୍କୁ ସାଥୀ‌ରେ ଧରି କାଳିଆପାଣି ପହଞ୍ଚିଥିଲା।

ତାଙ୍କ ଉପସ୍ଥିତିରେ ୨ଟିଯାକ ତାଲା ଖୋଲାଯାଇ ଯାଞ୍ଚ୍ କରାଯାଇଥିଲା। ସେହିପରି ଓଏମ୍‌ସିରେ ଅଫିସରେ  ଚିନ୍ମୟାଦିତ୍ୟ ବ୍ୟବହାର କରୁଥିବା କମ୍ପ୍ୟୁଟର ଯାଞ୍ଚ କରିଥିଲେ। ଜଣେ ଡିଏସ୍‌ପିଙ୍କ ନେତୃତ୍ବରେ ୨ ଜଣ ଇନ୍ସପେକ୍ଟର ଓ ୩ ଜଣ କନଷ୍ଟେବଲ୍‌ ଚଢ଼ଉରେ ସାମିଲ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର