ବାଲେଶ୍ୱର ଯୋଗାଣ ବିଭାଗର ଆଣ୍ଟି ସ୍ମଗଲିଂ ଗାର୍ଡଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ଜଳେଶ୍ୱର: ବାଲେଶ୍ୱର ସିଏସଓ କର୍ମଚାରୀ ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସୂଚନା ଅନୁଯାୟୀ ୪ ଜଣ ଡିଏସପି ଓ ୫ଜଣ ଇନସ୍ପେକ୍ଟରଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି।ସୂଚନା ଅନୁଯାୟୀ, ଆଣ୍ଟି ସ୍ମଗଲିଂ ଗାର୍ଡ ଜନାର୍ଦ୍ଦନ ପଲାଇଙ୍କ ଜଳେଶ୍ୱର ଓ ବାଲେଶ୍ୱର ଘର, ଛତ୍ରପୁର ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହେଉଛି।

ଯୋଗାଣ ବିଭାଗର କର୍ମଚାରୀ ଜନାର୍ଦ୍ଦନ ପଲାଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଜନାର୍ଦ୍ଦନ ପୂର୍ବରୁ ଜଳେଶ୍ଵର ସ୍ଥିତ ଆମ୍ବିଳିଅଠା ଓ ଲକ୍ଷ୍ମଣନାଥ ୟୁନିଫାଏଡ ତନଖି ଫାଟକରେ ଆଣ୍ଟି ସ୍ମଗଲିଂ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଏବେ ସେ ବାଲେଶ୍ଵର ଆର.ଆର.ସି.(ରାଇସ ରିସିଭିଂ ସେଣ୍ଟର) ଓ ଜଳେଶ୍ଵର ଜିଲ୍ଲା ଷ୍ଟେରେଜ ସେଣ୍ଟର (ଡିଏସସି) ରେ କାର୍ଯ୍ୟରତ ଅଛନ୍ତି। ଶ୍ରୀ ପଲାଇ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହୋଇଥିବା ବେଳେ ପ୍ରାରମ୍ଭିକ ଆକଳନରୁ ସେ ଅଚଳାଚଳ ସମ୍ପତ୍ତିର ମାଲିକ ବୋଲି ଜଣା ପଡିଛି। ତେବେ ତାଙ୍କର ଆୟ କେତେ ଓ ସମସ୍ତ ସ୍ଥାବର ଓ ଅବସ୍ଥାର ସମ୍ପତ୍ତିର ମୂଲ୍ୟ କେତେ ଭିଜିଲାନ୍ସ ସେନେଇ ଖୋଳତାଡ଼ କରୁଛି।
ପ୍ରକାଶଯୋଗ୍ୟ ଯେ ଶ୍ରୀ ପଲାଇଙ୍କଠାରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ରହିଥିବାର ଅଭିଯୋଗ ପରେ ବାଲେଶ୍ଵର ଭିଜିଲାନ୍ସ ବିଭାଗ ତରଫରୁ ଆଜି ଭୋର ସାଢେ ୪ଟାରୁ ନୂଆବଜାର ସ୍ଥିତ ବାସଭବନରେ ଏହି ଚଢାଉ ଆରମ୍ଭ ହୋଇଛି। ଏକକାଳୀନ ୫ ଟି ସ୍ଥାନରେ ଏହି ଚଢ଼ାଉ ହେଉଥିବା ବେଳେ ୪ ଜଣ ଡିଏସପି ଓ ପାଞ୍ଚ ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଶ୍ରୀ ପଲାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ମୂଳ ବାସିନ୍ଦା ହୋଇଥିବାରୁ ସେଠାରେ ମଧ୍ୟ ଚଢାଉ ହେଉଛି।

ସମ୍ବନ୍ଧିତ ଖବର